Pension Delay: ଭତ୍ତା ବିଳମ୍ବକୁ ନେଇ ବିଧାନସଭାରେ ହଙ୍ଗାମା: ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ
ଓଡ଼ିଶାରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ବିଳମ୍ବକୁ ନେଇ ବିଧାନସଭାରେ ବିଜେଡି ଓ କଂଗ୍ରେସର ହଙ୍ଗାମା। ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ।

ଭୁବନେଶ୍ବର: ସୁନ୍ଦରଗଡ଼ରେ ୬ ମାସ ଧରି ଭିନ୍ନକ୍ଷମ ଭତ୍ତା ନମିଳିବାରୁ ଜଣେ ହିତାଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ବିଧାନସଭାରେ ତୀବ୍ର ଆଲୋଚନା ହୋଇଛି। ବିଜେଡି ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରି ବିରୋଧୀ ଦଳ ସରକାରଙ୍କୁ ଭତ୍ତା ବଣ୍ଟନରେ ବିଫଳତା ନେଇ ଘେରିଛନ୍ତି। ବିଜେଡି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବହୁ ବୟସ୍କ, ଭିନ୍ନକ୍ଷମ ଓ ଅସହାୟ ଲୋକ ନିୟମିତ ଭତ୍ତା ପାଇପାରୁ ନାହାନ୍ତି। ଗଞ୍ଜାମର ଜଣେ ୬୬ ବର୍ଷୀୟା ମହିଳାଙ୍କ ବିଷ ପାନ ପରେ ମୃତ୍ୟୁ ଏବଂ ଢେଙ୍କାନାଳର ଘନଶ୍ୟାମ ସାହୁଙ୍କ ଭତ୍ତା ନପାଇ ମୃତ୍ୟୁ ଘଟଣା ଉଠାଇ ସରକାରଙ୍କୁ ସମାଲୋଚନା କରିଥିଲେ। ନିର୍ବାଚନ ସମୟରେ ୩ ହଜାର ଟଙ୍କା ଭତ୍ତା ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଢ଼େଇ ବର୍ଷ ପରେ ନୂଆ ହିତାଧିକାରୀଙ୍କୁ ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ଭତ୍ତା ବଣ୍ଟନରେ ବିଳମ୍ବ ପାଇଁ କମ୍ପ୍ୟୁଟର ଓ ବୈଷୟିକ ତ୍ରୁଟିକୁ ଦାୟୀ କରିବା ଗ୍ରହଣୀୟ ନୁହେଁ ବୋଲି ବିଜେଡି କହିଛି। ସମସ୍ତଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଭତ୍ତା ପ୍ରଦାନ ପାଇଁ ଦାବି କରାଯାଇଛି। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ସରକାରଙ୍କ ଉତ୍ତରକୁ ଅସନ୍ତୋଷଜନକ ବୋଲି କହିଛନ୍ତି। ଆଦିବାସୀ ଅଞ୍ଚଳରେ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଭତ୍ତା ଅଭାବରୁ ଜଣଙ୍କର ମଧ୍ୟ ଆତ୍ମହତ୍ୟା ହେଲେ ତାହା ସରକାରଙ୍କ ବିଫଳତା ବୋଲି ସେ କହିଛନ୍ତି। ଅନ୍ୟପଟେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବୈଷୟିକ ତ୍ରୁଟି ଓ କେନ୍ଦ୍ରୀୟ ପୋର୍ଟାଲରେ ପରିବର୍ତ୍ତନ ଯୋଗୁଁ ଭତ୍ତା ପ୍ରଦାନରେ ବିଳମ୍ବ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ନିକଟରେ ୫ ଲକ୍ଷ ୫ ହଜାର ୮୧୭ ଜଣଙ୍କୁ ଏକକାଳୀନ ଭତ୍ତା ଦିଆଯାଇଛି। ମଧୁବାବୁ ପେନସନ ଯୋଜନାରେ ୩୬ ଲକ୍ଷ ୭୫ ହଜାର ଏବଂ ଜାତୀୟ ସାମାଜିକ ସହାୟତା ଯୋଜନାରେ ୧୯ ଲକ୍ଷ ୯୦ ହଜାର ୭୨୯ ଜଣ ହିତାଧିକାରୀ ଅଛନ୍ତି। ଅକ୍ଟୋବରରୁ ଭତ୍ତା ପ୍ରଦାନ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ କହିଛନ୍ତି।
