Puri Fake Gumastha:ମହାପ୍ରଭୁଙ୍କ ଦର୍ଶନ ନାଁରେ ୧୩ ହଜାର ଠକେଇ
ଶ୍ରୀମନ୍ଦିରରେ ସହଜ ଦର୍ଶନ କରାଇଦେବାର ଲୋଭ ଦେଖାଇ ଟାର୍ଗେଟ କରୁଥିଲେ । ଏମିତି ଏକ ଠକେଇ ଘଟଣାର ଖୁଲାସା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ। ଶେଷରେ ଧରାପଡ଼ିଛନ୍ତି ୫ ଜଣ ନକଲି ଗୁମାସ୍ତା।
ପୁରୀ :ଶ୍ରୀମନ୍ଦିର ନିକଟରେ ପୁଣି ସକ୍ରିୟ ନକଲି ଗୁମାସ୍ତାଙ୍କ ଗ୍ୟାଙ୍ଗ୍। ଭକ୍ତଙ୍କୁ ସହଜ ଦର୍ଶନ କରାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ଲୁଟୁଥିବା ୫ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଛି ପୁରୀ ସିଂହଦ୍ୱାର ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ସଦର ଥାନା ପିଳିପିଳା ଗ୍ରାମର ଲକ୍ଷ୍ମୀଧର ପରିଡ଼ା, ହାଡ଼ଗୋଡ଼ିଆ ସାହିର ବିଶ୍ୱରଞ୍ଜନ ନାୟକ, ଗୋରୁଆଳ ଗ୍ରାମର ଭଗବାନ ସାହୁ, ଲୋକନାଥ ରୋଡ୍ର ମଧୁସୂଦନ ମିଶ୍ର ଏବଂ ଜଗତସିଂହପୁର ଜିଲ୍ଲାର ରୁଦ୍ର ପ୍ରତାପ ଷଡ଼ଙ୍ଗୀ।
ସୂଚନା ଅନୁସାରେ, ଗତକାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ଜଣେ ପ୍ରବାସୀ ଭାରତୀୟଙ୍କୁ ଦର୍ଶନ କରାଇଦେବା ନାଁରେ ୧୩ ହଜାର ଟଙ୍କା ଠକି ନେଇଥିଲା ବିଶ୍ୱରଞ୍ଜନ ନାୟକ। ଏଭଳି ଠକେଇ ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ବଡ଼ଦାଣ୍ଡ, ମାର୍କେଟ ଛକ ଓ ସିଂହଦ୍ୱାର ନିକଟରେ ଏହି ଠକମାନେ ଭକ୍ତଙ୍କୁ ଟାର୍ଗେଟ କରୁଥିଲେ। ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି, ସହଜରେ ଦର୍ଶନ କରାଇଦେବେ ବୋଲି କହି ଟଙ୍କା ଆଦାୟ କରୁଥିଲେ। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ସାଦା ପୋଷାକରେ ନଜର ରଖିଥିଲା। ଶେଷରେ ୫ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।ଏନେଇ ପୁରୀ ଏସ୍ପି ପ୍ରତୀକ ସିଂ ସୂଚନା ଦେବା ସହ ଶ୍ରଦ୍ଧାଳୁଙ୍କୁ ସଚେତନ ରହିବାକୁ ଅନୁରୋଧ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼େନାହିଁ। ଦର୍ଶନ ନାଁରେ କେହି ଟଙ୍କା ମାଗିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଏସ୍ପି ପରାମର୍ଶ ଦେଇଛନ୍ତି।
