Laxmi Nrusimha Besha: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ। ଆସନ୍ତାକାଲି ହେବ ସୁନାବେଶ
ପଞ୍ଚୁକ ଚତୁର୍ଦ୍ଦଶୀରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ। ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ହେବ ରାଜରାଜେଶ୍ୱର ବା ସୁନାବେଶ। ହବିଷ୍ୟାଳିଙ୍କ ବ୍ରତ ହେବ ଉଦଯାପିତ।

ପୁରୀ: ଶେଷ ହେବାକୁ ଯାଉଛି ଧର୍ମ ଓ ପୁଣ୍ୟର ମାସ କାର୍ତ୍ତିକ। ଏକମାସ ଧରି ନିଷ୍ଠାର ସହ ହବିଷ୍ୟ ବ୍ରତ ପାଳନ କରୁଥିବା ହବିଷ୍ୟାଳି ମା’ମାନଙ୍କ ବ୍ରତ ଆସନ୍ତାକାଲି ଉଦଯାପିତ ହେବ। ଏହି ଅବସରରେ ଆଜି ପଞ୍ଚୁକର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଲକ୍ଷ୍ମୀନୃସିଂହ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଚଳିତବର୍ଷ ପଞ୍ଚୁକ ପାଞ୍ଚଦିନ ପରିବର୍ତ୍ତେ ଚାରିଦିନ ପାଳନ କରାଯାଉଛି। ଏହା ସତ୍ତ୍ୱେ ଶ୍ରୀମନ୍ଦିରରେ ଭକ୍ତଙ୍କ ସମେତ ହବିଷ୍ୟାଳି ବ୍ରତଧାରୀଙ୍କ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଭାବେ ଜାରି ରହିଛି। ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଓ ଚକ୍ର ଧାରଣ କରୁଥିବା ବେଳେ ରୌପ୍ୟର ଶଙ୍ଖ ଧାରଣ କରିଥାନ୍ତି। ସେହିପରି ପ୍ରଭୁ ବଳଭଦ୍ର ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର ଏବଂ ହଳମୂଷଳ ଧାରଣ କରିଥାନ୍ତି। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଶୋଭା ପାଉଥିବା ଚୂଳରେ ସୁବର୍ଣ୍ଣର କିଆ ଆଡ଼ବାଗିଆ ଭାବେ ଲଗାଯାଇଥାଏ। ଏହି ବିଶେଷ ଆଭୂଷଣ ପାଇଁ ଏହି ବେଶକୁ ଆଡ଼କିଆ ବେଶ ମଧ୍ୟ କୁହାଯାଏ।
ଅନ୍ୟପକ୍ଷରେ ଆସନ୍ତାକାଲି ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହେବ। ଏହା ସହିତ ହବିଷ୍ୟାଳି ବ୍ରତଧାରୀମାନେ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇ କାର୍ତ୍ତିକ ବ୍ରତର ସମାପନ କରିବେ। ଏଥିସହ ଶେଷ ହେବ ମାସବ୍ୟାପୀ ଧାର୍ମିକ ଆଚାର ଓ ନିଷ୍ଠାର ପବିତ୍ର କାର୍ତ୍ତିକ ମାସ।
