TRADITIONAL SHOLA BOATS:କମୁଛି ଶୋଲ ଡଙ୍ଗାର ଚାହିଦା
ଆଧୁନିକତାର ଚାକଚକ୍ୟ ଭିତରେ ଧୀରେ ଧୀରେ ହଜିବାକୁ ବସିଲାଣି ପାରମ୍ପରିକ ଶୋଲ ଡଙ୍ଗାର ଚାହିଦା । ଦିନେ ଯେଉଁ ହାତ ତିଆରି ଡଙ୍ଗାର ଥିଲା ବେଶ୍ ଆଦର, ଆଜି ତାହାର ଚାହିଦା କମିବାରେ ଲାଗିଛି । ପିଢ଼ି ପରେ ପିଢ଼ି ଏହି କୌଳିକ ବୃତ୍ତିକୁ ଆପଣାଇଥିବା କାରିଗରଙ୍କ ଜୀବିକା ଏବେ ସଙ୍କଟରେ ।

ପରମ୍ପରା ସହ ଜଡ଼ିତ ରହିଛି ଶୋଲ ଡଙ୍ଗା । ଓଡ଼ିଆ ସଂସ୍କୃତି, ପର୍ବପର୍ବାଣୀ ଓ ବିଶେଷ କରି କାର୍ତ୍ତିକ ମାସର ବୋଇତ ବନ୍ଦାଣ ପରମ୍ପରାରେ ଶୋଲ ଡଙ୍ଗାର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଦିନ ଥିଲା, ଏହି ଡଙ୍ଗା ତିଆରି କରିବା ପାଇଁ କାରିଗରଙ୍କ ପାଖରେ ଲାଗୁଥିଲା ଗ୍ରାହକଙ୍କ ଭିଡ଼ । ହେଲେ ଏବେ ସମୟ ବଦଳିବା ସହ ବଦଳିଛି ଲୋକଙ୍କ ପସନ୍ଦ । ଆଧୁନିକ ଡଙ୍ଗା ଓ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ବଜାରକୁ ଆସିବା ପରେ ଧୀରେ ଧୀରେ କମିବାରେ ଲାଗିଛି ଶୋଲ ଡଙ୍ଗାର ଚାହିଦା ।ସାଧାରଣତଃ ମାଳି ପରିବାରର ଲୋକମାନେ ପିଢ଼ି ପରେ ପିଢ଼ି ଏହି କାମକୁ ନିଜର କୌଳିକ ବୃତ୍ତି ଭାବେ ଆପଣାଇ ଆସିଛନ୍ତି । ନିଜ ହାତର କଳାକୌଶଳ ଓ ଅଭିଜ୍ଞତାକୁ ଆଧାର କରି ସେମାନେ ଶୋଲରେ ସୁନ୍ଦର ସୁନ୍ଦର ଡଙ୍ଗା ତିଆରି କରନ୍ତି । ଏହି କାମ କେବଳ ଏକ ବ୍ୟବସାୟ ନୁହେଁ, ବରଂ ସେମାନଙ୍କ ପରିବାରର ପୁରୁଣା ପରମ୍ପରା ଓ ପରିଚୟ ।କିନ୍ତୁ ବଜାରରେ ବିଭିନ୍ନ ପ୍ରକାରର ନୂଆ ଡଙ୍ଗା ଉପଲବ୍ଧ ହେବା ଏବଂ ଲୋକଙ୍କ ଆଗ୍ରହ କମିବା ଯୋଗୁଁ ଏହି କାରିଗରମାନେ ଆଗଭଳି ବ୍ୟବସାୟ କରିପାରୁନାହାନ୍ତି । ପରିଶ୍ରମ ଅନୁସାରେ ମିଳୁନି ଉଚିତ୍ ମୂଲ୍ୟ । ଫଳରେ ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିବା ସହ ପରିବାର ଚଳାଇବା ଏବେ ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ଏହି ପୁରୁଣା କଳାକୁ ସୁରକ୍ଷା ଦେବା ସହ କାରିଗରଙ୍କୁ ପ୍ରୋତ୍ସାହନ ମିଳିଲେ ହିଁ ବଞ୍ଚି ରହିପାରିବ ଶୋଲ ଡଙ୍ଗାର ପରମ୍ପରା ।
