Child Missing:ଘର ଦାଣ୍ଡରୁ ୨ ବର୍ଷର ଶିଶୁକୁ ଝାମ୍ପିନେଲା ବନ୍ୟଜନ୍ତୁ
ଘର ଦାଣ୍ଡରେ ଶୌଚ କରୁଥିବା ବେଳେ ହଠାତ୍ ଗାଏବ ହୋଇଗଲା ଦୁଇ ବର୍ଷର କୁନି ଝିଅ। ପରିବାରର ଅଭିଯୋଗ, ଶିଶୁକୁ ଝାମ୍ପି ନେଇଛି ଏକ ବନ୍ୟଜନ୍ତୁ। ଘଟଣା ପରେ ଜଙ୍ଗଲରେ ଆରମ୍ଭ ହୋଇଛି ତନାଘନା।
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳରେ ଅଭାବନୀୟ ଘଟଣା। ଘର ଦାଣ୍ଡରୁ ଦୁଇ ବର୍ଷର ଶିଶୁକନ୍ୟାକୁ କୌଣସି ବନ୍ୟଜନ୍ତୁ ଝାମ୍ପି ନେଇଥିବା ଅଭିଯୋଗ। ଘଟଣାକୁ ନେଇ ଚଢ଼ିଆପରା ଗ୍ରାମରେ ଆତଙ୍କ ଖେଳିଯାଇଛି। ସୂଚନା ଅନୁସାରେ, ରାଇଘର ବନାଞ୍ଚଳ ଅନ୍ତର୍ଗତ ନାକଟି ସିମୋଡା ପଞ୍ଚାୟତର ଚଢ଼ିଆପରା ଗ୍ରାମର ବିଷ୍ଣୁ ଗଣ୍ଡଙ୍କ ଦୁଇ ବର୍ଷର ଝିଅ ଘର ଦାଣ୍ଡରେ ଶୌଚ କରୁଥିଲା। ଏହି ସମୟରେ ହଠାତ୍ ଏକ ବନ୍ୟଜନ୍ତୁ ଶିଶୁଟିକୁ ଝାମ୍ପି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଶିଶୁର ମା' ସୁମିତ୍ରାଙ୍କ କହିବା ଅନୁଯାୟୀ, ତାଙ୍କ ଶ୍ୱଶୁର ଅର୍ଥାତ୍ ଶିଶୁର ଜେଜେବାପା ଏହି ଘଟଣାକୁ ନିଜ ଆଖିରେ ଦେଖିଛନ୍ତି।ଖବର ପାଇବା ପରେ ରାଇଘର ବନ ବିଭାଗର ୧୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ରାଇଘର ବନାଞ୍ଚଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଖୋଜାଖୋଜି ପ୍ରକ୍ରିୟାର ତଦାରଖ କରୁଛନ୍ତି। ବନ ବିଭାଗର କର୍ମଚାରୀଙ୍କ ସହ କିଛି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ଶିଶୁଟିକୁ ଖୋଜୁଛନ୍ତି।ଅନ୍ୟପଟେ ଶିଶୁକୁ ଝାମ୍ପି ନେଇଥିବା ଜନ୍ତୁଟି କଲରାପତରିଆ ବାଘ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏଯାଏଁ ଜନ୍ତୁଟିର ପ୍ରଜାତି ସ୍ପଷ୍ଟ ହୋଇନାହିଁ। ଜଙ୍ଗଲରେ ଖୋଜାଖୋଜି ସମୟରେ ମିଳୁଥିବା ସୁରାକ୍ ଓ ପ୍ରମାଣ ଆଧାରରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ। ଏବେ ସମସ୍ତଙ୍କ ନଜର ନିଖୋଜ ଶିଶୁର ସନ୍ଧାନ ଉପରେ ରହିଛି।
