SunaBesha Darshan: କାର୍ତ୍ତିକ ପୂର୍ଣ୍ଣିମାରେ ଉତ୍ସବମୁଖର ଶ୍ରୀକ୍ଷେତ୍ର- ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ସମୁଦ୍ରରେ ବୋଇତ ଭସାଇଲେ ଶ୍ରଦ୍ଧାଳୁ।ପଞ୍ଚୁକର ଶେଷ ଦିନରେ ମହାପ୍ରଭୁଙ୍କ ରାଜାଧିରାଜ ବା ସୁନାବେଶ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼।
ପୁରୀ: ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିନ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଧ୍ୟାତ୍ମିକ ଭାବନାରେ ଭରିଉଠିଛି ଶ୍ରୀକ୍ଷେତ୍ର ପୁରୀ। ପରମ୍ପରା, ଆସ୍ଥା ଓ ଓଡ଼ିଆ ଜାତିର ଗୌରବମୟ ଐତିହ୍ୟକୁ ନେଇ ଶ୍ରଦ୍ଧାଳୁମାନେ ମହାଆଡ଼ମ୍ବରରେ ପାଳନ କରିଛନ୍ତି ଏହି ପବିତ୍ର ତିଥି। ଭୋରରୁ ପୁରୀ ସମୁଦ୍ର କୂଳରେ ଲାଗିଥିଲା ଭକ୍ତଙ୍କ ଭିଡ଼। ଶ୍ରଦ୍ଧାଳୁମାନେ ସମୁଦ୍ରରେ ପବିତ୍ର ବୁଡ଼ ପକାଇବା ପରେ ପୂଜାର୍ଚ୍ଚନା କରି ବୋଇତ ବନ୍ଦାଣ ପରମ୍ପରା ପାଳନ କରିଥିଲେ। କଦଳୀ ପଟୁଆରେ ନିର୍ମିତ ସୁନ୍ଦର ଡଙ୍ଗାରେ ପାନ, ଗୁଆ, ଦୀପ ଓ ଫୁଲ ରଖି ସମୁଦ୍ର ଜଳରେ ଭସାଇଥିଲେ ଶ୍ରଦ୍ଧାଳୁ। ଏହାଦ୍ୱାରା ପ୍ରାଚୀନ ଓଡ଼ିଆ ସାମୁଦ୍ରିକ ବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥିଲେ ସମସ୍ତେ। ଲୋକକଥା ଅନୁଯାୟୀ, ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ବାଣିଜ୍ୟ ପାଇଁ ସାତ ସମୁଦ୍ର ପାରି ହୋଇ ବିଦେଶ ଯାତ୍ରା କରୁଥିଲେ। ସେମାନଙ୍କ ସୁରକ୍ଷିତ ଯାତ୍ରା ଓ ସମୃଦ୍ଧି କାମନା କରି ମହିଳାମାନେ ବୋଇତ ବନ୍ଦାଣ କରୁଥିଲେ। ଆଜି ମଧ୍ୟ ସେହି ଗୌରବମୟ ପରମ୍ପରାକୁ ଓଡ଼ିଆ ଜାତି ଶ୍ରଦ୍ଧାର ସହ ପାଳନ କରୁଛି।
ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମା ତଥା ପଞ୍ଚୁକର ଶେଷ ଦିନରେ ଶ୍ରୀମନ୍ଦିରରେ ଦୁର୍ଲଭ ରାଜାଧିରାଜ ବା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ପରେ ଶ୍ରୀଜିଉମାନେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ହରିଡ଼ା ମାଳି, ବାହାଡ଼ା ମାଳି, ଶ୍ରୀପୟର, ଶ୍ରୀଭୁଜ, କିରିଟ, କୁଣ୍ଡଳ, ଘାଗଡ଼ା ମାଳି ଓ ବାଘନଖ ମାଳି ଭଳି ଅଳଙ୍କାରରେ ସଜ୍ଜିତ ମହାପ୍ରଭୁଙ୍କ ମନୋରମ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି। ରାଜରାଜେଶ୍ୱର ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପାପକ୍ଷୟ ସହ ଐଶ୍ୱର୍ଯ୍ୟ ପ୍ରାପ୍ତି ହୁଏ ବୋଲି ଭକ୍ତଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଭକ୍ତି, ପରମ୍ପରା ଓ ଐତିହ୍ୟର ମହାମିଳନରେ ମୁଖରିତ ହୋଇଛି ଶ୍ରୀକ୍ଷେତ୍ର।
