CM Review On Cyclone:ଗଭୀର ଅବପାତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତକୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଏହାର ପ୍ରଭାବ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତକୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଏହାର ପ୍ରଭାବ ନେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଉପସ୍ଥିତ ଥିଲେ । ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଅବପାତର ସ୍ଥିତି, ସମ୍ଭାବ୍ୟ ବର୍ଷା ଏବଂ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜିରୋ କାଜୁଆଲ୍ଟି " ହେଉଛି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କ ଏକମାତ୍ର ଲକ୍ଷ୍ୟ । ତେଣୁ ସମସ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ରିଲିଫ୍ ବ୍ୟବସ୍ଥା କରିବାକୁ କୁହାଯାଇଛି। ବାତ୍ୟାର ସମ୍ଭାବନା ନଥିଲେ ମଧ୍ୟ ସମସ୍ତ ପ୍ରକାର ସତର୍କତା ସହ ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ଭାରି ବର୍ଷା ଆଶଙ୍କା ରହିଛି। "ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ" ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଏବଂ ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ବହିବାର ଆଶଙ୍କା ରହିଛି। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ "୩୩ଟି ଓଡ୍ରାଫ୍ ଟିମ୍" ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଓ ବଲାଙ୍ଗିରରେ ଗୋଟିଏ ଟିମ୍ ମୁତୟନ ହୋଇଛି । ଗଞ୍ଜାମ ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍ର ୯ଟି ଟିମ୍କୁ ରିଜର୍ଭ ରଖାଯାଇଛି। ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖାଯାଇଥିବା ବେଳେ ଉଦ୍ଧାରକାରୀ ନୌକା, ଲାଇଫ୍ ଜାକେଟ୍ ଓ ପାୱାର ବୋଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ସମସ୍ତ ବନ୍ଦରରେ "ସ୍ଥାନୀୟ ସତର୍କ ସଙ୍କେତ-୩" ଉତ୍ତୋଳନ କରାଯାଇଛି । ମତ୍ସ୍ୟଜୀବୀଙ୍କ ସମୁଦ୍ର ପ୍ରବେଶ ଉପରେ ନିଷେଧ ଜାରି ରହିଛି । ଏହାର ଶତପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ସମସ୍ତ ଜିଲ୍ଲା ଓ ବ୍ଲକ୍ ଆପାତକାଳୀନ କାର୍ଯ୍ୟ କେନ୍ଦ୍ରକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି । ସମ୍ବେଦନଶୀଳ ବସତି ଚିହ୍ନଟ, ଆଶ୍ରୟସ୍ଥଳ ପ୍ରସ୍ତୁତି, ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ପରିଷ୍କାରତା ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି। ଜଳସମ୍ପଦ ବିଭାଗ ନଦୀ ଓ ଜଳାଶୟର ଜଳସ୍ତର ଉପରେ ନଜର ରଖିବା ସହ ସମ୍ବେଦନଶୀଳ ବନ୍ଧଗୁଡ଼ିକର ନିରୀକ୍ଷଣ କରୁଛି । ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା, ନିମ୍ନାଞ୍ଚଳ ଅଣ୍ଡରପାସ୍ରେ ଡି-ୱାଟରିଂ ପମ୍ପ ଓ ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ୍ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି। ସୂଚନା ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି । ଆଜି ସକାଳ ୫ଟା ୩୦ ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୧୫୦ କିଲୋମିଟର ଦକ୍ଷିଣରେ ରହିଥିଲା । ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ ତାରିଖ ପରେ ପାଗରେ ସୁଧାର ଆସିବା ଆଶା କରାଯାଉଛି । ଏହି ସମୟରେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ସତର୍କ ରହିବାକୁ ସରକାର ପକ୍ଷରୁ କୁହାଯାଇଛି ।
