ଯୁବକକୁ ଲୁହା ରଡରେ ନିର୍ମମ ଭାବେ ପିଟି ପିଟି ହତ୍ୟା
ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଜଣେ ଯୁବକକୁ ଲୁହା ରଡରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ଜଣେ ଯୁବକକୁ ଲୁହା ରଡରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖଣ୍ଡଗିରି ଥାନାଠାରୁ ମାତ୍ର ୩ ଶହ ମିଟର ଦୂରରେ ଜଣେ ଯୁବକଙ୍କୁ ହତ୍ୟା । ମୃତକ ହେଲେ ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର କୃଷ୍ଣ ପାଢ଼ୀ । ଏମବିଏ ପାଠ ସାରିବା ପରେ ନିଜ ବାପା ଓ ଭଉଣୀଙ୍କ ସହ ଭୁବନେଶ୍ୱରରେ ରହୁଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପରିବାର ସହ ଶୋଇଥିବା ବେଳେ ଦୁଇଜଣ ମୁଖାପିନ୍ଧା ଦୁର୍ବୁର୍ତ୍ତ ଘରେ ପଶି ଲୁହା ରଡ଼ରେ ଆକ୍ରମଣ କରିଥିଲେ। ଆକ୍ରମଣରେ କୃଷ୍ଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଛି। ଖବର ପାଇ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଓ ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ବାଡ କ୍ରାଇମ ସ୍ପଟରେ ପହଞ୍ଚି ଚଳାଇଛି ଖୋଳତାଡ଼ । ତେବେ ଏହି ହତ୍ୟାକାଣ୍ଡର ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ ନା ଅନ୍ୟ କୌଣସି କାରଣରୁ ଏହି ହତ୍ୟା ଘଟିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି।
