Birupaksha Murder Case Shocking Update :ବିରୂପାକ୍ଷ ମର୍ଡରରେ ବଡ଼ ଖୁଲାସା
୮ ଦିନ ପରେ ଗିରଫ ହେଲା ବିରୂପାକ୍ଷ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ! ଜଙ୍ଗଲରୁ ଧରାପଡ଼ିଲେ ପ୍ରଧାନଶିକ୍ଷକ ସ୍ୱାଧୀନ ପ୍ରଧାନ।

ବହୁଚର୍ଚ୍ଚିତ ଯୁବ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ବୌଦ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା। ହତ୍ୟାକାଣ୍ଡର ୮ ଦିନ ପରେ ଗିରଫ ହୋଇଛି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ। ଗିରଫ ଅଭିଯୁକ୍ତ ହେଉଛନ୍ତି ଛତନିଆକଟା ସ୍କୁଲର ପ୍ରଧାନଶିକ୍ଷକ ସ୍ୱାଧୀନ ପ୍ରଧାନ। ଘଟଣା ଦିନଠାରୁ ସେ ଫେରାର ଥିଲେ। ବୌଦ୍ଧ ସଦର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି କୁଳଦୀପ ମୀନା ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ, ମୃତ ବିରୂପାକ୍ଷ ଅଗ୍ରୱାଲଙ୍କ ସହ ସ୍ୱାଧୀନ ପ୍ରଧାନଙ୍କର ବ୍ୟବସାୟିକ ସମ୍ପର୍କ ଥିଲା। ଅର୍ଥ ନେଣଦେଣକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ସୂଚନା ଅନୁସାରେ, ହତ୍ୟାକାଣ୍ଡ ପରେ ସ୍ୱାଧୀନ ପ୍ରଧାନ ବଘିଆପଡ଼ା ଜଙ୍ଗଲରେ ୭ ଦିନ ୭ ରାତି ଲୁଚି ରହିଥିଲେ। ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଏହି ମାମଲାରେ ପୂର୍ବରୁ ତିନି ଜଣ ଅଭିଯୁକ୍ତ ହତ୍ୟାକାରୀଙ୍କ ସହ ସେମାନଙ୍କୁ ସହଯୋଗ କରିଥିବା ଅଭିଯୋଗରେ ହାବିଲଦାର ଦିଗନ୍ତ ପ୍ରଧାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିସାରିଛି ପୋଲିସ।ଅନ୍ୟପକ୍ଷରେ, ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ଗିରଫ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ହତ୍ୟାକାଣ୍ଡ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଓ ଅନ୍ୟାନ୍ୟ ତଥ୍ୟ ଉପରୁ ପରଦା ହଟାଇବା ପାଇଁ ପୋଲିସର ତଦନ୍ତ ଜାରି ରହିଛି।
