Money Dispute Killing : ଧାର ଟଙ୍କା ମାଗିବା ହେଲା କାଳ
ଲକ୍ଷେ ଟଙ୍କାର ଧାର ନେଲା ଜୀବନ! ବିଲକୁ ଯାଇ ଆଉ ଫେରିଲେନି ବିଜୟ, ନାଳରୁ ମିଳିଲା ଗଳାକଟା ମୃତଦେହ।
ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ। ଟଙ୍କା ନେଣଦେଣକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ। ମୃତକ ହେଉଛନ୍ତି ଭାଟସାହି ଗ୍ରାମର ବିଜୟ ବେହେରା। ଟାଉନ ଥାନା ଅଧୀନ ଭାଟସାହି ଗ୍ରାମ ନିକଟ ଏକ ନାଳରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ବିଜୟ ନିଜ ଗ୍ରାମର ଝରିଆ ବେହେରା ଓ ତାଙ୍କ ପୁଅ କୁନାଙ୍କୁ ଏକ ଲକ୍ଷ ଟଙ୍କା ଧାର ଦେଇଥିଲେ। ହେଲେ ବାରମ୍ବାର ଟଙ୍କା ଫେରସ୍ତ ମାଗିବା ସତ୍ତ୍ୱେ କୁନା ଟଙ୍କା ଫେରାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପ୍ରାୟ ଦୁଇ ମାସ ତଳେ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଘଟଣା ଥାନାରେ ମଧ୍ୟ ପହଞ୍ଚିଥିଲା। ଏହାପରେ ବିଜୟଙ୍କୁ ମାରିଦେବେ ବୋଲି ସେମାନେ ବିଭିନ୍ନ ଲୋକଙ୍କ ଆଗରେ କହୁଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।ଆଜି ସକାଳେ ବିଜୟ ବିଲକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ଗ୍ରାମ ନିକଟ ଏକ ନାଳରେ ମୃତଦେହ ପଡ଼ିଥିବା ଦେଖିଥିଲେ।ଖବର ପାଇ ନୟାଗଡ଼ ଏସଡିପିଓ ଓ ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ଅଭିଯୋଗ ଆଧାରରେ ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି। ଅନ୍ୟପଟେ ହତ୍ୟାକାରୀଙ୍କୁ ଫାଶୀ ଦେଇ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ମୃତକଙ୍କ ପରିବାର ଦାବି କରିଛନ୍ତି।
