Summon To Honey Singh:ୟୋ ୟୋ ହନି ସିଂହଙ୍କୁ ମହାରାଷ୍ଟ୍ର ସାଇବର ସେଲ୍ର ସମନ
ସେଲିବ୍ରିଟିମାନେ କେବେ ବିବାଦ ଘେରରେ ନଥିବେ ଏମିତି ପ୍ରାୟ ହୋଇନଥାଏ | ତେବେ ପୁଣିଥରେ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ନାମିଦାମୀ ରାପର ତଥା ଗାୟକ ୟୋ ୟୋ ହନି ସିଂହ। ଏକ ସଙ୍ଗୀତ କନସର୍ଟରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ମହାରାଷ୍ଟ୍ର ସାଇବର ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି। କିନ୍ତୁ ସବୁଥର ଭଳି ଏଥର ମଧ୍ୟ ସେ ହାଜର ନହୋଇ ସମୟ ଲୋଡ଼ିଥିବା ଜଣାପଡିଛି |
ମୁମ୍ବାଇ:ଲୋକପ୍ରିୟ ରାପର୍ ଏବଂ ଗାୟକ ହୃଦେଶ ସିଂହ, ଯାହାଙ୍କୁ ସମସ୍ତେ ୟୋ ୟୋ ହନି ସିଂହ ଭାବେ ଜାଣନ୍ତି, ସେ ପୁଣିଥରେ ଏକ ନୂତନ ଆଇନଗତ ଜଞ୍ଜାଳରେ ଛନ୍ଦି ହୋଇପଡ଼ିଛନ୍ତି। ଏକ ଲାଇଭ୍ କନ୍ସର୍ଟ କିମ୍ବା ମଞ୍ଚ ପରଫର୍ମାନ୍ସ ସମୟରେ ସେ ଦେଇଥିବା କିଛି ଆପତ୍ତିଜନକ ଏବଂ ବିବାଦୀୟ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ସାଇବର ବିଭାଗ ତରଫରୁ ତାଙ୍କୁ ସମନ ନୋଟିସ୍ ପାଠାଯାଇଥିଲା। ଗାୟକଙ୍କ ବିବାଦୀୟ ବୟାନ ପରେ ଜଣେ ଅଭିଯୋଗକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଇ ଲିଖିତ ଅଭିଯୋଗ କରିଥିଲେ | ଯାହାକୁ ଆଧାର କରି ତାଙ୍କୁ ପଚରାଉଚରା ନିମନ୍ତେ ଅଧିକାରୀଙ୍କ ସାମ୍ନାରେ ହାଜର ହେବା ପାଇଁ ମହାରାଷ୍ଟ୍ର ସାଇବର ପକ୍ଷରୁ ଅକ୍ଟୋବର ୫ ତାରିଖ ସୋମବାର ସକାଳ ୧୧:୦୦ ଟା ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ହନି ସିଂହ ନିର୍ଦ୍ଧାରିତ ଦିନରେ ଅଧିକାରୀଙ୍କ ସାମ୍ନାରେ ହାଜର ନହୋଇ ଆଇନଗତ ଭାବେ ଆଉ କିଛି ଅଧିକ ସମୟ ମାଗିଥିଲେ।
କହିବା ଯୋଗ୍ୟ ଯେ, ହନି ସିଂହଙ୍କ ନାଁରେ ବିବାଦ ଯୋଡ଼ି ହେବା ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ମଧ୍ୟ ତାଙ୍କର କିଛି ପୁରଣା ଗୀତ, ବୋଲ୍ଡ ଅନ୍ଦାଜ ଏବଂ ଷ୍ଟେଜ୍ ଶୋ’କୁ ନେଇ ଅଦାଲତ ଏବଂ ବିଭିନ୍ନ ସଂଗଠନର କ୍ଷୋଭର ସମ୍ମୁଖୀନ ହେବାକୁ ପଡ଼ିଛି। ଲମ୍ବା ସମୟପରେ ମନୋରଞ୍ଜନ ଦୁନିଆକୁ ଫେରିଥିବା ବେଳେ ବର୍ତ୍ତମାନର ଏହି ମହାରାଷ୍ଟ୍ର ସାଇବର ତଦନ୍ତ ତାଙ୍କ ପାଇଁ ଆଗକୁ ଆହୁରି ଅଡୁଆ ସୃଷ୍ଟି କରିପାରେ ବୋଲି ଆଶା କରାଯାଉଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ପୋଲିସ ଏହି ବିଷୟରେ ପରବର୍ତ୍ତୀ ଆଇନଗତ କେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବା ବାକି ରହିଲା |
