XiJinping Visit: BRICS ସମ୍ମିଳନୀ ପାଇଁ ଭାରତ ଆସିବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ
BRICS ସମ୍ମିଳନୀ ପାଇଁ ସେପ୍ଟେମ୍ବର ୧୨-୧୩ରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ। ୭ ବର୍ଷ ପରେ ତାଙ୍କ ଭାରତ ଗସ୍ତକୁ ନେଇ ଭାରତ-ଚୀନ୍ ସମ୍ପର୍କ ଉପରେ ନୂଆ ଆଶା ସୃଷ୍ଟି ହୋଇଛି।

ନୂଆଦିଲ୍ଲୀ: BRICS ସମ୍ମିଳନୀ ପାଇଁ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ। ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ। ଚୀନ୍ ପକ୍ଷରୁ ତାଙ୍କ ଭାରତ ଗସ୍ତ ନିଶ୍ଚିତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜିନପିଙ୍ଗ ଭାରତ ଆସୁଛନ୍ତି। ଦୀର୍ଘ ୭ ବର୍ଷ ପରେ ଚୀନ୍ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଏହି ଗସ୍ତକୁ ଭାରତ-ଚୀନ୍ କୂଟନୈତିକ ସମ୍ପର୍କ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। BRICS ସମ୍ମିଳନୀ ଅବସରରେ ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି। ଭାରତ-ଚୀନ୍ ସମ୍ପର୍କରେ ଥିବା ବିଭିନ୍ନ ମତଭେଦ, ସୀମା ପ୍ରସଙ୍ଗ, ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ଭଳି ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ। ଏଥର BRICS ଶିଖର ସମ୍ମିଳନୀରେ ଗ୍ଲୋବାଲ୍ ଗଭର୍ଣ୍ଣାନ୍ସ, ବହୁପକ୍ଷୀୟ ସହଯୋଗ, ଖାଦ୍ୟ ଓ ଶକ୍ତି ସୁରକ୍ଷା, ବାଣିଜ୍ୟ, ନିବେଶ ଓ ପ୍ରଯୁକ୍ତି ସହଯୋଗ ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଜିନପିଙ୍ଗଙ୍କ ଏହି ଗସ୍ତ ଏକପଟେ BRICS ସମ୍ମିଳନୀକୁ ଗୁରୁତ୍ୱ ଦେଉଥିବା ବେଳେ ଅନ୍ୟପଟେ ଭାରତ-ଚୀନ୍ ସମ୍ପର୍କରେ ନୂଆ ଅଧ୍ୟାୟର ସମ୍ଭାବନା ନେଇ ଚର୍ଚ୍ଚା ବଢ଼ାଇଛି।
