Florida Jet Crash : ଆକାଶରୁ ଖସିଲା ମୃତ୍ୟୁ! ଜଳିଗଲା ପ୍ରାଇଭେଟ୍ ଜେଟ୍,୯ମୃତ
ମଝି ଆକାଶରେ ହଠାତ୍ କ’ଣ ଘଟିଲା? ଆଖି ପିଛୁଳାକେ ତଳକୁ ଖସି ଜଳିଗଲା ପ୍ରାଇଭେଟ୍ ଜେଟ୍! ୯ ଜଣଙ୍କ ମୃତ୍ୟୁ ପୂର୍ବରୁ ପାଇଲଟ୍ ଦେଇଥିଲେ ଛାତିଥରା ଶେଷ ଚେତାବନୀ !

ଆମେରିକାର ଫ୍ଲୋରିଡାରୁ ଏକ ଅତ୍ୟନ୍ତ ଦୁଃଖଦ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି | ଏହି ଦୁର୍ଘଟଣା ଗତକାଲି ଏକ ପ୍ରାଇଭେଟ ଜେଟ ହୋଇଥିଲା, ଯେଉଁଥିରେ ଯାତ୍ରା କରୁଥିବା ୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା | ଦୁର୍ଘଟଣାରେ ପାମ୍ ବିଚ୍ କଣ୍ଟ୍ରିର ଗ୍ରୀନ୍ଏକର୍ସ ଅଞ୍ଚଳରେ ଘଟିଥିଲା | ବିମାନଟି ହଠାତ୍ ଆକାଶରୁ ଦ୍ରୁତ ଗତିରେ ତଳକୁ ଖସି ଆସି ଭୂମିରେ ପିଟି ହେବା ମାତ୍ରେ ଭୟଙ୍କର ନିଆଁରେ ଜଳିବାକୁ ଲାଗିଲା |
ଦୁର୍ଘଟଣାଟି କିପରି ଘଟିଲା?
ପ୍ରାଥମିକ ସୂଚନା ଅନୁଯାୟୀ, ଲିଅରଜେଟ୍ ୬୦ ବିମାନଟି ଟେକ୍ସାସ୍ର ଅଷ୍ଟିନ୍ ବିମାନବନ୍ଦରରୁ ବାହାମାସ୍ ଅଭିମୁଖେ ଉଡ଼ାଣ ଭରିଥିଲା।ଫ୍ଲାଇଟ୍ ଟ୍ରାକିଂ ଡାଟା ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ହୋଇଥିବା କଥାବାର୍ତ୍ତା ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ ବିମାନରେ ଭୟଙ୍କର ଟର୍ବୁଲେନ୍ସ (ବାୟୁ ଅସ୍ଥିରତା) ଏବଂ ବରଫ ଜମିବା ସମସ୍ୟା ଦେଖାଦେଇଥିଲା। ଟର୍ବୁଲେନ୍ସ ଯୋଗୁଁ ବିମାନଟି ପ୍ରାୟ ୭୦୦ ଫୁଟ୍ ଉପରକୁ ଓ ତଳକୁ ଦୋହଲୁଥିବା ପାଇଲଟ୍ ସୂଚନା ଦେଇଥିଲେ। ଏହାପରେ ବିମାନକୁ ଆଉ ୨,୦୦୦ ଫୁଟ୍ ଉପରକୁ ନେବା ପାଇଁ ସେ ଅନୁମତି ମାଗିଥିଲେ। କିନ୍ତୁ କିଛି ସମୟ ପରେ ବିମାନଟି ହଠାତ୍ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲା | ପାଇଲଟ୍ ‘ମେଡେ, ମେଡେ’ କହି ଜରୁରୀକାଳୀନ ସହାୟତା ମାଗିଥିଲେ। କଥାବାର୍ତ୍ତା ସମୟରେ ବିମାନଟି ପ୍ରତି ମିନିଟ୍ରେ ୧୦ ହଜାର ଫୁଟ୍ ବେଗରେ ତଳକୁ ଖସୁଥିବା ସେ ଜଣାଇଥିଲେ | ପାଇଲଟ୍ଙ୍କ ଶେଷ କଥାବାର୍ତ୍ତାରେ ବିମାନଟି ଭୂମିରେ ପିଟି ହେବାକୁ ଯାଉଥିବା କହିଥିଲେ। ଏହାର କିଛି ସମୟ ପରେ ହିଁ ବିମାନଟି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

କେତେ ଲୋକଙ୍କ ମୃତ୍ୟୁ ହୋଇଛି ?
ବିମାନ ଦୁର୍ଘଟଣାରେ ଥିବା ୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି | ମାଟିରେ ଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁର ତତ୍କାଳୀନ ରିପୋର୍ଟ ମିଳିନାହିଁ । ମୃତକମାନଙ୍କର ପୂର୍ଣ୍ଣ ପରିଚୟ ଓ କିଏ ଯାତ୍ରୀ, କିଏ କ୍ରୁ ସଦସ୍ୟ, ତାହା ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ ପାଇନଥିଲା |
୬୦୦ ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଲା, ଦୁଇଟି ଆଶ୍ରୟସ୍ଥଳରେ ବ୍ୟବସ୍ଥା
ବିମାନ ଦୁର୍ଘଟଣାର ପ୍ରଭାବ କେବଳ ଆକାଶରେ ଥିବା ଯାତ୍ରୀଙ୍କ ମଧ୍ୟରେ ସୀମିତ ରହିନଥିଲା। ତଳେ ଥିବା ଜନବସତି ଅଞ୍ଚଳର ଲୋକମାନେ ମଧ୍ୟ ଏହାର ପ୍ରଭାବରେ ପଡ଼ିଥିଲେ । ଘଟଣାସ୍ଥଳ ପାଖରେ ଥିବା ଏକ ମୋବାଇଲ ହୋମ ପାର୍କ ରେ ଅତ୍ୟଧିକ ଲୋକ ରହୁଥିଲେ | ପାମ ବ୍ଲିଚ ଦେଶର କମିଶନର ଜୋୟେଲ ଫ୍ଲୋରେସଙ୍କ ସୂଚନା ଅନୁଯାୟୀ, ପ୍ରାୟ ୬୦୦ ଲୋକଙ୍କ ରହିବା ଓ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିଥିଲା | ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦୁଇଟି ଆଶ୍ରୟସ୍ଥଳକୁ ପଠାଯାଇଥିଲା | ରେଡ୍ କ୍ରସ୍ ମଧ୍ୟ ସହାୟତା ପାଇଁ ପ୍ରସ୍ତୁତ ରହିଥିଲା | ଅନ୍ୟପକ୍ଷରେ ମିଲିଟାରୀ ଟ୍ରେଲ ରାସ୍ତାର ଉଭୟ ଦିଗକୁ ବନ୍ଦ କରାଯାଇଥିଲା | ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଲୋକଙ୍କୁ ସେହି ଅଞ୍ଚଳକୁ ନଯିବା ପାଇଁ ପରାମର୍ଶ ଦିଆଯାଇଥିଲା |
ବିମାନ ନିର୍ମାତା କମ୍ପାନୀର ପ୍ରତିକ୍ରିୟା
ଏହି Learjet 60 ବିମାନଟି କାନାଡାର ବିମାନ ନିର୍ମାତା କମ୍ପାନୀ Bombardier ଦ୍ୱାରା ନିର୍ମିତ | ଦୁର୍ଘଟଣା ପରେ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣେଇବା ସହ ତଦନ୍ତକାରୀ ସଂସ୍ଥାକୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇଦେବାକୁ କମ୍ପାନୀ ପ୍ରସ୍ତୁତ ଥିବା କହିଛି | ତେବେ କମ୍ପାନୀର ବିମାନ ନିର୍ମାଣରେ କୌଣସି ତ୍ରୁଟି ଥିଲା ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ।
ଫ୍ଲୋରିଡା ଗଭର୍ଣ୍ଣର କ'ଣ କହିଲେ?
ଫ୍ଲୋରିଡାର ଗଭର୍ଣ୍ଣର ରନ ଡେସାନଟିସ ,ଏହି ଦୁର୍ଘଟଣାକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି କହିଛନ୍ତି | ସେ ଘଟଣାସ୍ଥଳ ନିକଟରେ ସାମ୍ବାଦିକଙ୍କୁ କହିଥିଲେ ଯେ ବିମାନଟି ଆକାଶରୁ ଏକ ମିସାଇଲ୍ ଭଳି ତଳକୁ ଆସୁଥିବା ପରି ଦେଖାଯାଉଥିଲା ଏବଂ ମାଟିରେ ପଡ଼ିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା | ଆମେରିକାର ପରିବହନ ସଚିବ ସିନ୍ ଡଫି ମଧ୍ୟ ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦ ବୋଲି କହି ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇଥିଲେ |
