UAE Honors : ସାହସକୁ ସଲାମ! ଫ୍ଲାଏଦୁବାଇ କ୍ୟାପଟେନ ସ୍ମିତ ଓ କ୍ରିଉମେମ୍ୱରଙ୍କୁ UAEର ସମ୍ମାନ
ଫ୍ଲାଏଦୁବାଇ କ୍ରିଉଙ୍କୁ UAEର ସର୍ବୋଚ୍ଚ ସମ୍ମାନ ମଧ୍ୟରୁ ଏକ ‘ଅର୍ଡର ଅଫ୍ ଜାୟେଦ୍ II’ର ପ୍ରଥମ ଶ୍ରେଣୀ ସମ୍ମାନ। ଯାତ୍ରୀଙ୍କ ଜୀବନ ବଞ୍ଚାଇବା ଓ ବିମାନକୁ ସମ୍ଭାବ୍ୟ ବିପଦରୁ ରକ୍ଷା କରିବାରେ ସାହସ, ଧୈର୍ଯ୍ୟ ଓ ବିଚକ୍ଷଣତା ଦେଖାଇଥିବା କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସମେତ କ୍ରିଉ ସଦସ୍ୟଙ୍କୁ ଶେଖ ହମଦାନ ସମ୍ମାନିତ କରିଛନ୍ତି।

ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ବିମାନକୁ ଏକ ସମ୍ଭାବ୍ୟ ବିପଦରୁ ରକ୍ଷା କରିବାରେ ସାହସ, ଧୈର୍ଯ୍ୟ ଓ ବିଚକ୍ଷଣତା ପ୍ରଦର୍ଶନ କରିଥିବା ଫ୍ଲାଏଦୁବାଇ (flydubai)ର କ୍ରୁ ସଦସ୍ୟମାନଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ (UAE) ପକ୍ଷରୁ ସମ୍ମାନିତ କରାଯାଇଛି। ଏହି କ୍ରୁ ସଦସ୍ୟମାନଙ୍କ ମଧ୍ୟରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛର ମଧ୍ୟ ଅଛନ୍ତି। ସେମାନଙ୍କୁ ‘ଅର୍ଡର ଅଫ୍ ଜାୟେଦ୍ II’ର ପ୍ରଥମ ଶ୍ରେଣୀ ସମ୍ମାନ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଟ୍ FZ1073ରେ ଘଟିଥିବା ଗୁରୁତର ଘଟଣା ସମୟରେ କ୍ରୁ ସଦସ୍ୟମାନେ ଦେଖାଇଥିବା ଦାୟିତ୍ୱବୋଧ ଓ ପେସାଦାର ଦକ୍ଷତାର ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି।
ରାଷ୍ଟ୍ରପତିଙ୍କ ପ୍ରଶଂସା, କ୍ରିଉ ସଦସ୍ୟଙ୍କୁ ସମ୍ମାନ
UAEର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍, ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ରାଶିଦ୍ ଅଲ୍ ମକତୁମ୍ଙ୍କ ଉପସ୍ଥିତିରେ ବିମାନର କ୍ରୁ ସଦସ୍ୟମାନଙ୍କୁ ଭେଟିଥିଲେ। ଏହି ଅବସରରେ ଉଭୟ ନେତା ଯାତ୍ରୀମାନଙ୍କ ଜୀବନ ରକ୍ଷା କରିବା ଏବଂ ବିମାନକୁ ସୁରକ୍ଷିତ ରଖିବାରେ କ୍ରୁ ସଦସ୍ୟମାନେ ଦେଖାଇଥିବା ସାହସ ଓ ବୃତ୍ତିଗତ ଦକ୍ଷତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ ଲୋକଙ୍କ ଜୀବନ ଓ ସୁରକ୍ଷା ସୁନିଶ୍ଚିତ କରିବା UAEର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ। କ୍ରୁ ସଦସ୍ୟମାନଙ୍କ ସେବା, ସମର୍ପଣ ଓ ପ୍ରତିବଦ୍ଧତାକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରୁଛି।
ଶେଖ ହମଦାନଙ୍କ ହାତରେ ପ୍ରଦାନ କରାଗଲା ସମ୍ମାନ
UAEର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଶେଖ ହମଦାନ ବିନ୍ ମହମ୍ମଦ ବିନ୍ ରଶିଦ୍ ଅଲ୍ ମକତୁମ୍ କ୍ରୁ ସଦସ୍ୟମାନଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସେ ସେମାନଙ୍କର ବିବେକବୁଦ୍ଧି, ସାହସ ଓ ଦାୟିତ୍ୱବୋଧର ପ୍ରଶଂସା କରିଥିଲେ।ଏହି ସମାରୋହରେ ରାଷ୍ଟ୍ରପତି କାର୍ଯ୍ୟାଳୟର ବିକାଶ ଓ ସହିଦ ବୀରଙ୍କ ବ୍ୟାପାର ବିଭାଗର ଉପାଧ୍ୟକ୍ଷ ଶେଖ ଥେୟାବ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ଏବଂ ଦୁବାଇ ବିମାନବନ୍ଦର, ଏମିରେଟ୍ସ ଏୟାରଲାଇନ୍ସ ଓ ଗ୍ରୁପ୍ର ଅଧ୍ୟକ୍ଷ ଶେଖ ଅହମଦ ବିନ୍ ସଇଦ୍ ଅଲ୍ ମକତୁମ୍ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
କ’ଣ ଥିଲା ଫ୍ଲାଇଟ୍ FZ1073ରେ ଘଟିଥିବା ଘଟଣା?
ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇର ବିମାନ FZ1073ରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କୁ ତାଙ୍କ ସହ-ପାଇଲଟ୍ ଆକ୍ରମଣ କରିଥିଲେ। ଏହି ସମୟରେ ବିମାନର ଅନ୍ୟ କ୍ରୁ ସଦସ୍ୟ, ବିମାନରେ ଉପସ୍ଥିତ ଅନ୍ୟ ଜଣେ ପାଇଲଟ୍ ଏବଂ ଯାତ୍ରୀମାନେ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ।ଏହାପରେ ପାଇଲଟ୍ମାନେ ବିମାନର ନିୟନ୍ତ୍ରଣ ପୁନର୍ବାର ହାସଲ କରିଥିଲେ ଏବଂ ବିମାନଟିକୁ ସାଉଦି ଆରବର ତାବୁକ୍ ସହର ଆଡ଼କୁ ମୋଡ଼ି ନେଇଥିଲେ। ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ପରବର୍ତ୍ତୀ ସମୟରେ UAEର ତଦନ୍ତରୁ ଜଣାପଡ଼ିଥିଲା ଯେ, ସହ-ପାଇଲଟ୍ ବିମାନର ନିୟନ୍ତ୍ରଣ ନିଜ ହାତକୁ ନେବା ସହ ତେଲ୍ ଆଭିଭ୍ ବିମାନବନ୍ଦରରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲେ।
