ମହିଳା ଭୋଟବ୍ୟାଙ୍କର ଅସଲ ଲଢ଼େଇ- ସୁଜାତା ବନାମ ପ୍ରଭାତୀ!
ମହିଳା ସଶକ୍ତିକରଣର କଥା କହି ଏହି ଆଇଏଏସ ଦମ୍ପତ୍ତି ନବୀନଙ୍କ ଲାଗି ବଡ଼ ଭୋଟ ବ୍ୟାଙ୍କ ତିଆରି କରିଦେଲେ। ପୁରା ବ୍ୟବସ୍ଥାଗତ ଭାବେ ବିଜେଡିକୁ ମହିଳାଙ୍କ ନିରନ୍ତର ସମର୍ଥନ, ସରକାରୀ ସୁବିଧା ନେଇ ସଶକ୍ତିକରଣର ଢାଞ୍ଚାକୁ ପୁରା ପଲିଟିକାଲ ପାଟର୍ଣ୍ଣରେ ପକାଯାଇଥିଲା। ଅସଲ ସଶକ୍ତିକରଣ କାହାକୁ କୁହାଯାଏ, ଶାସନ ଡୋରି ଧରିଥିବା ପ୍ରଭାତୀ ପରିଡ଼ାଙ୍କୁ ତାକୁ ପ୍ରଭାବୀ ଢଙ୍ଗରେ ଦେଖାଇବାକୁ ପଡ଼ିବ।

ଯାହା ପାଖରେ ଅଧିକା ମହିଳା ଭୋଟ୍। ସିଏ ଜିତିବା ଥୟ। କାରଣ ନିର୍ବାଚନରେ ଜିତିବାର ବଡ଼ ଆଧାର ସାଜିଆସିଛି ମହିଳା ଭୋଟ ବ୍ୟାଙ୍କ। ଦିନ ଥିଲା, ନବୀନ ହାତ ହଲେଇଦେଲେ ଭୋଟ ଅଜାଡି ହୋଇପଡୁଥିଲା। ୨୪ ବର୍ଷ ଧରି ନବୀନଙ୍କ କ୍ରେଜ୍ ଆଗରେ ଆଉ ସବୁ ମଳିନ ପଡ଼ିଯାଉଥିଲା। ହେଲେ ୨୪ ନିର୍ବାଚନରେ ନବୀନଙ୍କୁ ଲାଗିଥିଲା ବଡ଼ ଝଟକା। ଏଥର ଜିତିଥିଲେ ଦେଶର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହେବାର ବିରଳ ରେକର୍ଡ ରଚିଥାଆନ୍ତେ ନବୀନ। ହେଲେ ସେ କଥା ହୋଇପାରିଲାନି। କଥା ପଡିଛି। ବିଜେଡିର ମହିଳା ଭୋଟ ବ୍ୟାଙ୍କକୁ ବା ଦୁର୍ଗକୁ କିଏ ତିଆରି କରିଥିଲା। ବିଶେଷ ଅବଦାନ କାହାର ଥିଲା। ବିଜେଡିର ନେତା ସିନା ଜଣେ। ହେଲେ ପରାମର୍ଶଦାତା ଓ ମାର୍ଗଦର୍ଶକ ଭୂମିକାରେ ଅନେକଙ୍କୁ ଇତିହାସ ମନେ ରଖିଛି। ପ୍ୟାରୀମୋହନ ମହାପାତ୍ର, କଳ୍ପତରୁ ଦାସଙ୍କଠୁ ନେଇ ଭିକେ ପାଣ୍ଡିଆନଙ୍କ ଯାଏ। କ୍ଷମତା ହଡ଼ପ ଚକ୍ରାନ୍ତର ଆରୋପ ଲଦି ପ୍ୟାରୀଙ୍କୁ ବିଶ୍ୱାସଘାତକର ଟ୍ୟାଗଲାଇନ ଲଗାଇଦେଇଥିଲେ ନବୀନ। ଘଙ୍ଗାପାଟଣା ଜମି ଦୁର୍ନୀତିରେ କଳ୍ପତରୁଙ୍କୁ କରଛଡ଼ା ଦେଇଥିଲେ। ହେଲେ ଯାବତୀୟ ଅଭିଯୋଗ, କ୍ଷମତା ହାଇଜାକର ଅପବାଦ ସତ୍ତ୍ୱେ ପାଣ୍ଡିଆନଙ୍କୁ ଛାଡ଼ିନଥିଲେ କି ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଆଉ ଆଜି ତାଙ୍କ ପତ୍ନୀ ସୁଜାତାଙ୍କୁ ଦଳକୁ ସ୍ୱାଗତ କଲେ ନବୀନ। ସୁଜାତା ମିଶନଶକ୍ତିର ସଚିବ ଥିଲେ। ୭୦ଲକ୍ଷ ମହିଳାଙ୍କୁ ସରକାରଙ୍କ ସହ ଯୋଡ଼ିଥିଲେ। ଆଉ ଏ ମହିଳାଙ୍କୁ ବିଜେଡି ସହ ଯୋଡ଼ିଥିଲେ ଭିକେ ପାଣ୍ଡିଆନ୍। ଦଳ ଓ ସରକାରରେ ମହିଳା ସଶକ୍ତିକରଣର କଥା କହି ଏହି ଆଇଏଏସ ଦମ୍ପତ୍ତି ନବୀନଙ୍କ ଲାଗି ବଡ଼ ଭୋଟ ବ୍ୟାଙ୍କ ତିଆରି କରିଦେଲେ। ପୁରା ବ୍ୟବସ୍ଥାଗତ ଭାବେ ବିଜେଡିକୁ ମହିଳାଙ୍କ ନିରନ୍ତର ସମର୍ଥନ, ସରକାରୀ ସୁବିଧା ନେଇ ସଶକ୍ତିକରଣର ଢାଞ୍ଚାକୁ ପୁରା ପଲିଟିକାଲ ପାଟର୍ଣ୍ଣରେ ପକାଯାଇଥିଲା। ଆଉ ଏବେ ସୁଜାତାଙ୍କୁ ଦଳରେ ମିଶାଇ ମିଶନ ମୋଡରେ ପୁଣି ମହିଳା ଭୋଟବ୍ୟାଙ୍କକୁ ଦଳ ପ୍ରତି ଆସ୍ଥାଭାଜନ ହେବାର ମୁଖ୍ୟ ଆଧାର ଭାବେ ଛିଡ଼ା କରିବାକୁ ଯୋଜନା କରିଛନ୍ତି ନବୀନ।

ରୋଚକ କଥା ହେଲା। ମିଶନ ଶକ୍ତି ଏବେ ହୋଇଯାଇଛି ସୁଭଦ୍ରା ଶକ୍ତି। ସୁଭଦ୍ରା ଭଳି ବଡ଼ ସ୍କିମକୁ ଲିଡ୍ କରୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ପ୍ରଭାତି କମ୍ ଖେଳୁଆଡ଼ ନୁହଁନ୍ତି। ସୁଜାତାଙ୍କ ଆଇଏଏସ ବ୍ରେନ୍ ଥିଲେ ପ୍ରଭାତୀଙ୍କ ଗ୍ରାଉଣ୍ଡ ଓ୍ୱାର୍କ ବେଶ୍ ସୁଦୃଢ଼। କାରଣ ବିଜେଡି ସରକାର ଅମଳରେ ପାଣ୍ଡିଆନ ଦମ୍ପତ୍ତି ମିଶନଶକ୍ତିକୁ ଧରି ବିଜେଡିକୁ ଜିତାଇବାର ଯେଉଁ ଟ୍ରାକ୍ ତିଆରି କରୁଥିଲେ। ସେଥିରୁ ପଲିଟିକାଲ ଫାଏଦା କିଭଳି ନିଆଯାଇପାରିବନି, ତାକୁ ଆଗ ଧାଡ଼ିରେ ରହି ଆନ୍ଦୋଳନର ମୁଖ୍ୟ ପୁରୋଧା ସାଜିଥିଲେ ସେତେବେଳର ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା। ସଶକ୍ତିକରଣ ନାଁରେ କେମିତି ଗାଁ ଗାଁରେ ମହିଳାଙ୍କୁ ରାଜନୀତିରେ ବାଣ୍ଟିଦିଆଗଲାଣି କହି ରାସ୍ତାକୁ ଓହ୍ଲାଇ ଗର୍ଜୁଥିଲେ ପ୍ରଭାତୀ। ଆଉ ପ୍ରଥମ ଥର ନିମାପଡ଼ା ଆସନରୁ ବିଧାୟିକା ଭାବେ ଜିତି ଯେଉଁ ମହିଳାଙ୍କ ପ୍ରକୃତ ଅଧିକାର ଓ ସଶକ୍ତିକରଣର କଥା କହି ଲଢ଼ି ଆସୁଥିଲେ। ସେହି ଗୁରୁତ୍ୱପୂର୍ଣ୍ଣ ବିଭାଗ ମହିଳା ଓ ଶିଶୁବିକାଶ, ମିଶନଶକ୍ତି ବିଭାଗ ତାଙ୍କୁ ହିଁ ଧରାଇଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପିର ପାର୍ଟି ମାନିଫେଷ୍ଟୋରେ ସୁଭଦ୍ରା ସ୍କିମ ସବୁଠୁ ଆଦୃତ ହୋଇଥିଲା ମହିଳା ଭୋଟରଙ୍କ ଭିତରେ। ଲକ୍ଷପତି ଦିଦି, ସୁଭଦ୍ରା ଶକ୍ତି ଆଦି ନାଁରେ ଏସଏଚଜି ଗ୍ରୁପକୁ ସଶକ୍ତିକରଣର ନେତୃତ୍ୱ ନେଉଛନ୍ତି ପ୍ରଭାତୀ। ରୋଚକ କଥା ହେଉଛି। ମହିଳା ଭୋଟବ୍ୟାଙ୍କର ଅସଲ ଲଢ଼େଇ ଏବେ ଦେଖିବାକୁ ମିଳିବ। କାହାର କେତେ ଶକ୍ତି ଏବେ ପରୀକ୍ଷାର ଅସଲ ଖେଳ ହେବ। କାରଣ ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନୀପତି ବି ଫାୟାରବ୍ରାଣ୍ଡ ନେତ୍ରୀ। କ୍ରମାଗତ ମହିଳା ସୁରକ୍ଷା, ମହିଳା ସଶକ୍ତିକରଣକୁ ନେଇ ରାଜଧାନୀରେ ନିଜର ଶକ୍ତି ପ୍ରଦର୍ଶନ କରିଆସୁଛନ୍ତି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ଏହି ଏସିଡ ଟେଷ୍ଟରେ ମହିଳା ଭୋଟବ୍ୟାଙ୍କ କାହାର କେତେ ସୁଦୃଢ଼। ତାକୁ ପରଖାଯିବ। ବିଜେଡିରୁ ସୁଜାତା ମଙ୍ଗ ଧରିଲେ କଂଗ୍ରେସରୁ ମିନାକ୍ଷୀ। ଆଉ ବିରୋଧୀଙ୍କୁ କେମିତି ମୁକାବିଲା କରି ଅସଲ ସଶକ୍ତିକରଣ କାହାକୁ କୁହାଯାଏ, ଶାସନ ଡୋରି ଧରିଥିବା ପ୍ରଭାତୀ ପରିଡ଼ାଙ୍କୁ ତାକୁ ପ୍ରଭାବୀ ଢଙ୍ଗରେ ଦେଖାଇବାକୁ ପଡ଼ିବ।
