Women Attacked:ମହିଳାଙ୍କୁ କାଠ ଫାଳିଆରେ ଆକ୍ରମଣ
କଟକ ଜିଲ୍ଲା ମାହାଙ୍ଗାରେ କାଠ ଫାଳିଆରେ ସଂଘବଦ୍ଧ ଆକ୍ରମଣରେ ଦୁଇ ମହିଳା ଗୁରୁତର ହୋଇଛନ୍ତି। ଆହତ ଶାଶୂ-ବୋହୂଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ।
ମାହାଙ୍ଗା:କାଠ ଫାଳିଆରେ ସଂଘବଦ୍ଧ ଆକ୍ରମଣ। ରକ୍ତାକ୍ତ ହେଲେ ଶାଶୂ ଓ ବୋହୂ। ଏଭଳି ଏକ ହିଂସାକାଣ୍ଡ ଘଟିଛି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଅଧୀନ ଓଳକଣା ଗ୍ରାମରେ। ଏହି ଆକ୍ରମଣରେ ବୃଦ୍ଧା ଶୈଳ ସେଠୀ ଓ ତାଙ୍କ ପୁତ୍ରବଧୂ ମାମିନା ସେଠୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, କୌଣସି କାରଣକୁ ନେଇ ଉଭୟ ମହିଳାଙ୍କ ଉପରେ କାଠ ଫାଳିଆରେ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ଘଟଣା ସମ୍ପର୍କରେ ଖବର ପାଇ ଭଦ୍ରେଶ୍ୱର ଥାନା ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲା। ଏହି ଘଟଣାରେ କଳ୍ପତରୁ ନାମକ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ରମେଶ, ମାଳତୀ ଓ ତାଙ୍କ ବୋହୂଙ୍କୁ ଖୋଜାଖୋଜି ଜାରି ରହିଛି। ତେବେ ଆକ୍ରମଣର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଏଭଳି ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

