Kali Puja Preparations: ଭଦ୍ରକରେ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି, ୯ରୁ ଉର୍ଦ୍ଧ୍ୱ ମଣ୍ଡପରେ ବିରାଜିବେ ମା’ ଶ୍ୟାମାକାଳୀ
ଭଦ୍ରକରେ ଐତିହାସିକ କାଳୀପୂଜା ପାଇଁ ବ୍ୟାପକ ପ୍ରସ୍ତୁତି। ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ମହାଯଜ୍ଞର ରୌପ୍ୟ ଜୟନ୍ତୀ ଓ ୯ରୁ ଊର୍ଦ୍ଧ୍ୱ ପୂଜାମଣ୍ଡପରେ ହେବ ଆକର୍ଷଣୀୟ ଆୟୋଜନ।
ଭଦ୍ରକ: ଆସୁଛି ମା’ ମହାମାୟୀ ମହାକାଳୀଙ୍କ ପୂଜା। ଐତିହାସିକ କାଳୀପୂଜା ପାଇଁ ଏବେଠାରୁ ଉତ୍ସବମୁଖର ହୋଇଉଠିଛି ଭଦ୍ରକ ସହର। ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଠାରୁ ଆରମ୍ଭ କରି ସହରର ବିଭିନ୍ନ ପୂଜାମଣ୍ଡପ ପର୍ଯ୍ୟନ୍ତ ସବୁଠି ଚାଲିଛି ପ୍ରସ୍ତୁତି। ଚଳିତ ବର୍ଷ ମା’ ଭଦ୍ରକାଳୀଙ୍କ ପୀଠରେ ସପ୍ତଦିବସ ବ୍ୟାପୀ ସପ୍ତମାତୃକା ବେଶ ସହ ବିଶ୍ୱଶାନ୍ତି ମହାଯଜ୍ଞର ରୌପ୍ୟ ଜୟନ୍ତୀ ପାଳନ କରାଯିବ। ଏଥିପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ ହୋଇଛି। ମା’ ଭଦ୍ରକାଳୀଙ୍କ ପୀଠରେ ପରମ୍ପରା ଓ ବୈଦିକ ରୀତିନୀତି ଅନୁଯାୟୀ ସାତ ଦିନ ଧରି ମା’ଙ୍କୁ ସାତଟି ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯିବ। ଏଥିରେ ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ୱତୀ ଓ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’।
ଏହାସହ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ, ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳସ ଶୋଭାଯାତ୍ରା ଓ ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଭଦ୍ରକ ସହରର ୯ରୁ ଊର୍ଦ୍ଧ୍ୱ ପୂଜାମଣ୍ଡପରେ ମା’ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ବିଶେଷକରି ଚରମ୍ପାରେ ଟ୍ରାଫିକ କାଳୀ, ପିଡବ୍ଲ୍ୟୁଆଇ କାଳୀ, ପଥରକାଳୀ ଓ ରେଳ କର୍ମଚାରୀଙ୍କ ପକ୍ଷରୁ ଆୟୋଜିତ କାଳୀପୂଜାର ସ୍ୱତନ୍ତ୍ର ପରିଚୟ ରହିଛି। ଚରମ୍ପାର ରେଳ କର୍ମଚାରୀଙ୍କ କାଳୀପୂଜା ଶତାଧିକ ବର୍ଷର ପରମ୍ପରା ବହନ କରୁଛି। ଏଥିସହ ରାଜଘାଟ, ସ୍କୁଲରୋଡ୍, ଏରେଇ ଓ ବିଷାଣିଖରିଦା ଆଦି ଅଞ୍ଚଳରେ ମଧ୍ୟ ପୂଜା ପାଇଁ ସ୍ୱତନ୍ତ୍ର ଆୟୋଜନ ହେଉଛି। ପୂଜାମଣ୍ଡପଗୁଡ଼ିକରେ ଆକର୍ଷଣୀୟ ତୋରଣ, ଆଲୋକସଜ୍ଜା, ପାର୍ଶ୍ୱମୂର୍ତ୍ତି ସାଙ୍ଗକୁ ମୀନାବଜାର ଓ ଯାତ୍ରା ପାଇଁ ବ୍ୟବସ୍ଥା କରାଯାଉଛି। ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପୂଜା କମିଟି ମଧ୍ୟରେ ଆୟୋଜନକୁ ନେଇ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ପୂଜା କମିଟିଗୁଡ଼ିକୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ସହ ବିଧାୟକଙ୍କ ପାଣ୍ଠିରୁ ପୁରସ୍କାର ରାଶି ପ୍ରଦାନ ନେଇ ମଧ୍ୟ ଘୋଷଣା ହୋଇଛି। ଏଥିସହ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଭର୍ଚୁଆଲ ମାଧ୍ୟମରେ ମା’ଙ୍କ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। ଐତିହ୍ୟ, ପରମ୍ପରା ଓ ଭକ୍ତିର ଏହି ମହାପର୍ବକୁ ମହାଆଡ଼ମ୍ବରରେ ପାଳନ କରିବାକୁ ଭଦ୍ରକବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।
