schools closed: ବାତ୍ୟା ଆଶଙ୍କା: ରାୟଗଡ଼ା ଜିଲ୍ଲାର ସମସ୍ତ ସ୍କୁଲ ୨ ଦିନ ବନ୍ଦ
ବାତ୍ୟା ‘ମୁରାସୁ’ ଆଶଙ୍କା, ରାୟଗଡ଼ା ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ନଭେମ୍ବର ୩ ଓ ୪ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ଶିକ୍ଷକଙ୍କ ପାଇଁ ମଧ୍ୟ ଜାରି ହେଲା ଜରୁରୀ ନିର୍ଦ୍ଦେଶ।

ରାୟଗଡ଼ା: ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ। ଜନସାଧାରଣଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ନଭେମ୍ବର ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ। ଏଥିରେ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ସମେତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅନ୍ତର୍ଭୁକ୍ତ ରହିଛି। ବାତ୍ୟା ସମୟରେ ଆବଶ୍ୟକ ପଡ଼ିଲେ ବିଦ୍ୟାଳୟଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ। ଏଥିପାଇଁ ସମସ୍ତ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ନିଜ ନିଜ ସ୍କୁଲର ଶ୍ରେଣୀଗୃହ ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ନିର୍ଦ୍ଧାରିତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବେ। ଫଳରେ ଜରୁରୀ ସମୟରେ ବିଦ୍ୟାଳୟ ଖୋଲି ଆଶ୍ରୟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ସହଜ ହେବ। ସ୍କୁଲ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସଜାଗ ରହିବେ। ସେମାନଙ୍କ ମୋବାଇଲ ଫୋନ୍ ଚାଲୁ ରଖିବା ସହ ଜରୁରୀ ଫୋନ୍ କଲ୍ ଗ୍ରହଣ କରିବା ଏବଂ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଦାୟିତ୍ୱ ପାଳନ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶର କଡ଼ାକଡ଼ି ପାଳନ ପାଇଁ ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାଜନିତ ବିପଦକୁ ଏଡ଼ାଇବା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ।
