Soumya Death Mystery: ACF ସୌମ୍ୟ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ
୫ ବର୍ଷ ପରେ ଖୋଲିବ କି ସୌମ୍ୟ ରଞ୍ଜନ ମୃତ୍ୟୁ ରହସ୍ୟ? ଜାମିନ ଖାରଜ ପରେ କୋର୍ଟରେ ଆତ୍ମସମର୍ପଣ କଲେ ବିଦ୍ୟାଭାରତୀ!

ବିଦ୍ୟାଭାରତୀ ପଣ୍ଡା ଆଜି ପାରଳାଖେମୁଣ୍ଡିର SDJM କୋର୍ଟ ରେ ଆତ୍ମସର୍ମପଣ କରିଥିଲେ | ଏହି ମାମଲା ୨୦୨୧ ସହକାରୀ ବନ ସଂରକ୍ଷକ (ACF) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ସହ ଜଡ଼ିତ | ଗତ ଶନିବାର ବା ୩୧ ଅକ୍ଟୋବରରେ ଓଡିଶା ହାଇକୋର୍ଟ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ସରେଣ୍ଡର କରିଥିଲେ |
କ’ଣ ରହିଛି ପୂରା ଘଟଣା?
ଏହି ଘଟଣା ୨୦୨୧ ଜୁଲାଇ ୧୨ ତାରିଖ ରାତିର | ସୌମ୍ୟ ରଞ୍ଜନ ମହାପାତ୍ର ପାରଳାଖେମୁଣ୍ଡିସ୍ଥିତ ନିଜ ସରକାରୀ ବାସଭବନରେ ଗୁରୁତର ଭାବେ ପୋଡ଼ି ଯାଇଥିଲେ | ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା |
ମାମଲାର ଅନ୍ୟ ଅଭିଯୁକ୍ତମାନେ
ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ବାପା, ତାଙ୍କ ପତ୍ନୀ ବିଦ୍ୟାଭାରତୀ ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ | ସେମାନେ ହେଲେ ତତ୍କାଳୀନ ପାରଳାଖେମୁଣ୍ଡି DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ | DFO ସଂଗ୍ରାମ କେଶରୀ ବେହେରା ୨୦୨୧ ଜୁଲାଇ ୨୭ ତାରିଖରେ SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ ଏବଂ ପରେ ତାଙ୍କୁ ଜେଲ୍ ପଠାଯାଇଥିଲା | ସେହିପରି, ଅଭିଯୋଗ ଆଧାରରେ ମନ୍ମଥ କୁମ୍ଭଙ୍କୁ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଗିରଫ କରାଯାଇଥିଲା |
ହାଇକୋର୍ଟ ଖାରଜ କଲେ ଆଗୁଆ ଜାମିନ ଆବେଦନ
ବିଦ୍ୟାଭାରତୀ ଆଗୁଆ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଗତ ଶନିବାର ଦିନ ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହା ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ସ୍ୱତନ୍ତ୍ର ଅନୁମତି ଆବେଦନ (SLP) ଖାରଜ କରିଥିଲେ। ଏଥିସହ ହାଇକୋର୍ଟ ତାଙ୍କର ଅନ୍ୟ ଦୁଇଟି ଆବେଦନକୁ ମଧ୍ୟ ଖାରଜ କରିଥିଲେ | ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ବିଦ୍ୟାଭାରତୀ କୋର୍ଟରେ ଆତ୍ମସମର୍ପଣ କରିଥିଲେ | ସୌମ୍ୟ ରଞ୍ଜନଙ୍କ ମୃତ୍ୟୁର ପାଞ୍ଚ ବର୍ଷରୁ ଅଧିକ ସମୟ ପରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି |
