Laxmi Puja: ଢେଙ୍କାନାଳରେ ଜମୁଛି ମା’ ଲକ୍ଷ୍ମୀଙ୍କ ପୂଜା, ନଭେମ୍ବର ୪ରେ ମେଲାଣି
ଢେଙ୍କାନାଳରେ ଜମୁଛି ପ୍ରସିଦ୍ଧ ମା’ ଲକ୍ଷ୍ମୀଙ୍କ ଗଣପର୍ବ। ୪୧ଟି ପୂଜା ମଣ୍ଡପରେ ଚାଲିଛି ଆରାଧନା। ନଭେମ୍ବର ୪ରେ ହେବ ମା’ଙ୍କ ମେଲାଣି।
ଢେଙ୍କାନାଳ: କୁମାର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ପ୍ରସିଦ୍ଧ ଗଣପର୍ବ ମା’ ଲକ୍ଷ୍ମୀଙ୍କ ପୂଜା ଏବେ ଉତ୍ସବମୁଖର ପରିବେଶରେ ଜାରି ରହିଛି। ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କ ଆରାଧନାରେ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ଢେଙ୍କାନାଳ ସହର। ଚଳିତ ବର୍ଷ ସହରର ୪୧ଟି ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ଆସନ୍ତା ନଭେମ୍ବର ୪ ତାରିଖରେ ହେବ ମେଲାଣି ପର୍ବ। ପ୍ରତ୍ୟେକ ପୂଜା ମଣ୍ଡପରେ ବୈଦିକ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ପୂଜାପାଠ, ଯଜ୍ଞ, ମନ୍ତ୍ରପାଠ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହେଉଛି। ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକସଜ୍ଜା ଓ ଉନ୍ନତ କାରିଗରୀରେ ପ୍ରସ୍ତୁତ ମଣ୍ଡପଗୁଡ଼ିକ ଦର୍ଶକଙ୍କ ମନ ମୋହୁଛି। ସନ୍ଧ୍ୟା ହେଲେ ସହରରେ ଜମୁଛି ଲୋକଙ୍କ ଭିଡ଼। ଢେଙ୍କାନାଳ ସମେତ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଅନ୍ୟପଟେ ମହିଷାପାଟସ୍ଥିତ ପଡ଼ିଆରେ ଅକ୍ଟୋବର ୨୬ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜିତ ହେଉଛି। ବିଭିନ୍ନ ଅଞ୍ଚଳର ହସ୍ତଶିଳ୍ପ, ଘରୋଇ ସାମଗ୍ରୀ ଓ ବ୍ୟବସାୟିକ ଷ୍ଟଲ୍ ଲୋକଙ୍କୁ ଆକୃଷ୍ଟ କରୁଛି। ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ଓ ଜିଲ୍ଲା ପ୍ରଶାସନର ସମନ୍ୱୟରେ ପୂଜା ପରିଚାଳନା ହେଉଛି। ପୂଜା ଆରମ୍ଭରେ ପ୍ରତିକୂଳ ପାଗ ଯୋଗୁଁ ଉତ୍ସବ କିଛିଟା ପ୍ରଭାବିତ ହୋଇଥିଲେ ମଧ୍ୟ ପାଗ ସୁଧୁରିବା ପରେ ଦର୍ଶନାର୍ଥୀଙ୍କ ଉତ୍ସାହ ବଢ଼ିଛି। ଆଉ ଦିନ କେଇଟା ପରେ ମା’ ଲକ୍ଷ୍ମୀଙ୍କ ମେଲାଣିକୁ ନେଇ ଏବେଠାରୁ ପ୍ରସ୍ତୁତି ଜୋରଦାର ହୋଇଛି।
