Wood Shortage: କେନ୍ଦୁଝରରେ ଶବଦାହ କାଠର କଳାବଜାରି!
କେନ୍ଦୁଝରରେ ଶବଦାହ କାଠର ଅଭାବ। ସରକାରୀ ଦର କ୍ୱିଣ୍ଟାଲ ପିଛା ୪୬୦ ଟଙ୍କା ଥିବାବେଳେ ଖୋଲା ବଜାରରେ ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି ଅଭିଯୋଗ। ଓଡ଼ିଶା ବନ ଉନ୍ନୟନ ନିଗମକୁ ନେଇ ଉଠିଲା ପ୍ରଶ୍ନ।
କେନ୍ଦୁଝର: ମୃତ୍ୟୁ ପରେ ଶେଷକୃତ୍ୟ ପାଇଁ ମଧ୍ୟ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ। କେନ୍ଦୁଝରରେ ଶବଦାହ କାଠ ଯୋଗାଣକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ଅବ୍ୟବସ୍ଥା। ସରକାରୀ ଡିପୋରେ କାଠ ମିଳୁନଥିବା ବେଳେ ଖୋଲା ବଜାରରେ ପର୍ଯ୍ୟାପ୍ତ କାଠ ମିଳୁଛି। ତାହା ପୁଣି ସରକାରୀ ଦରଠାରୁ ଦୁଇରୁ ତିନି ଗୁଣା ଅଧିକ ମୂଲ୍ୟରେ। ଏହାକୁ ନେଇ ଓଡ଼ିଶା ବନ ଉନ୍ନୟନ ନିଗମର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ଶବଦାହ କାଠ ଯୋଗାଣ ଦାୟିତ୍ୱ ଓଡ଼ିଶା ବନ ଉନ୍ନୟନ ନିଗମର ରହିଛି। ହେଲେ କେନ୍ଦୁଝର ସହରର ପୁରୁଣାବଜାର, କାଳୀପଡ଼ିଆ ଓ କଲେଜ ରୋଡ୍ସ୍ଥିତ ସରକାରୀ ଡିପୋରେ କାଠ ଅଭାବ ଦେଖାଦେଇଛି। ନରଣପୁରସ୍ଥିତ ନିଗମର ଗୋଦାମରୁ କାଠ ଯୋଗାଣ ହେଉଥିଲେ ମଧ୍ୟ ଆବଶ୍ୟକ ସମୟରେ ଲୋକଙ୍କୁ କାଠ ମିଳୁନାହିଁ। ସରକାରୀ ଦରରେ କ୍ୱିଣ୍ଟାଲ ପିଛା କାଠର ମୂଲ୍ୟ ୪୬୦ ଟଙ୍କା ଥିବାବେଳେ ଖୋଲା ବଜାରରେ ଏହା ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି ହେଉଛି। ଏପରିକି ସରକାରୀ ଡିପୋରେ କାଠ ମିଳିଲେ ମଧ୍ୟ ଗୋଟିଏ ଶବଦାହ ପାଇଁ ମାତ୍ର ୩ କ୍ୱିଣ୍ଟାଲ କାଠ ଦିଆଯାଉଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ବିଭାଗୀୟ ଅନିୟମିତତାକୁ ନେଇ ମଧ୍ୟ ଅଭିଯୋଗ ଉଠିଛି। ତେବେ ନିଗମର ଜିଲ୍ଲା ପରିଚାଳକଙ୍କ କହିବା ଅନୁଯାୟୀ, ବର୍ଷାଋତୁରେ କାଠ ସଂଗ୍ରହ କମିଯାଉଥିବାରୁ ଯୋଗାଣରେ ସମସ୍ୟା ହେଉଛି। ରାଜସ୍ୱ ଆଦାୟ ପାଇଁ ଲାଇସେନ୍ସପ୍ରାପ୍ତ ଘରୋଇ ସଂସ୍ଥାକୁ ମଧ୍ୟ କାଠ ଯୋଗାଣ କରାଯାଉଛି। ତେବେ ଶବଦାହ ଭଳି ଜରୁରୀ କାର୍ଯ୍ୟରେ କାଠ ଅଭାବ ଓ ଅଧିକ ଦରକୁ ନେଇ ଚିନ୍ତାରେ ଜିଲ୍ଲାବାସୀ। କଳାବଜାରି ଅଭିଯୋଗର ତଦନ୍ତ ସହ ସରକାରୀ ଡିପୋରେ ନିୟମିତ କାଠ ଯୋଗାଣ ପାଇଁ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଏବେ ବଡ଼ ପ୍ରଶ୍ନ।
