Woman ShotDead By Son-In-Law:ମହିଳାଙ୍କୁ ଗୁଳି କରି ହତ୍ୟା- ସ୍କାନରରେ ସାନ ଜ୍ୱାଇଁ!
ଜ୍ୱାଇଁ ମୁକେଶ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା। ଆଉ ଝିଅକୁ ମାରିଦେବାକୁ ଧମକ ଦେଉଥିଲା। ସେଥିଲାଗି ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ, ଉର୍ମିଳାଙ୍କୁ ମାରିବା ପଛରେ ସାନ ଜ୍ୱାଇଁ ମୁକେଶର ହିଁ ହାତ ଅଛି।

କାମରୁ ଫେରୁଥିଲା ବେଳେ ମହିଳାଙ୍କୁ ଗୁଳି କରି ହତ୍ୟା। ପାଟନା ଏୟାରପୋର୍ଟ ଥାନା ଏରିଆରେ ଗୁରୁବାର ସଂଧ୍ୟାରେ ଏହି ଗୁଳିକାଣ୍ଡ ଘଟିଥିଲା। ବଡ଼ କଥା ହେଲା, ଏ ହତ୍ୟାକାଣ୍ଡ ପଛରେ ସାନ ଜ୍ୱାଇଁର ହାତ ଥିବା ସନ୍ଦେହ କରିଛନ୍ତି ପରିବାରବର୍ଗ। ମୃତକ ହେଲେ ଉର୍ମିଳା ଦେବୀ। ସେ ଏକ ଘରୋଇ ନର୍ସିଂହୋମରେ ସଫେଇ କାମ କରୁଥିଲେ। ସଂଧ୍ୟାରେ କାମ ସାରି ଘରକୁ ଫେରୁଥିବା ବେଳେ ନେହେରୁ ରୋଡ ପାଖରେ ଦୁର୍ବୃତ୍ତ ତାଙ୍କୁ ଘେରି ଗୁଳି କରିଥିଲେ। ଗୁଳି ମୁଣ୍ଡରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା। ଗୁଳି କରିବା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି। ୫୫ ବର୍ଷୀୟା ଉର୍ମିଳା ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ସ୍ୱାମୀ ଅଜୟ ସିଂ ମାନସିକ ରୋଗୀ। ତାଙ୍କର ୪ ଝିଅ। ସମସ୍ତେ ବିବାହିତ। ତଦନ୍ତରୁ ସାମ୍ନାକୁ ଆସିଛି ଯେ, ସବା ସାନ ଝିଅର ସ୍ୱାମୀ ଝିଅକୁ ମାଡପିଟ କରିବାରୁ ସେ ଶ୍ୱଶୁର ଘର ଛାଡ଼ି ଆସି ବାପ ଘରେ ରହୁଥିଲେ। ଜ୍ୱାଇଁ ମୁକେଶ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା। ଆଉ ଝିଅକୁ ମାରିଦେବାକୁ ଧମକ ଦେଉଥିଲା। ସେଥିଲାଗି ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ, ଉର୍ମିଳାଙ୍କୁ ମାରିବା ପଛରେ ସାନ ଜ୍ୱାଇଁ ମୁକେଶର ହିଁ ହାତ ଅଛି। ମୁକେଶ ପାଖରେ ଅବୈଧ ହତିଆର ଥିବା ସେମାନେ ଦେଖିଛନ୍ତି। ଆଉ ମୁକେଶ ଜଣେ ଅପରାଧି ପ୍ରବୃତ୍ତିର ବୋଲି ଆରୋପ ଲଦିଛନ୍ତି। ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରି ପୁଲିସ ସମସ୍ତ ଦିଗକୁ ଛାନଭିନ କରୁଛି।
