School Turns Into Crime Scene : ପାଠପଢ଼ା ଚାଲିଥିଲା, ହଠାତ୍ ଆରି ଧରି ପଶିଲେ ଯୁବକ
ଆନ୍ଧ୍ରପ୍ରଦେଶରେ ଦଶମ ଶ୍ରେଣୀ କକ୍ଷରେ ପଶି ଦୁଇ ଛାତ୍ରୀଙ୍କୁ ଆକ୍ରମଣ କଲେ ୨୧ ବର୍ଷୀୟ ଯୁବକ। ଜଣେ ଛାତ୍ରୀ ଗୁରୁତର, ଅଭିଯୁକ୍ତ ଗିରଫ।

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ରାପ୍ତାଡୁ ମଣ୍ଡଳରେ ଆଜି ସକାଳେ ଏକ ସରକାରୀ ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ ୨୧ ବର୍ଷୀୟ ଜଣେ ଯୁବକ କାଠ କଟା ଆରି ଧରି ଦଶମ ଶ୍ରେଣୀ କକ୍ଷରେ ପ୍ରବେଶ କରିଥିଲେ | ସେ ଦୁଇଜଣ ଛାତ୍ରୀଙ୍କ ଉପରେ ଘାତକ ଆକ୍ରମଣ କରିଥିଲେ | ଏଥିରେ ଉଭୟ ଛାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି | ପ୍ରାଥମିକ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ରାପ୍ତାଡୁ ଗ୍ରାମର ଜିଲ୍ଲା ପରିଷଦ ହାଇସ୍କୁଲରେ ଏହି ଘଟଣା ଘଟିଥିଲା | ଜଣେ ଶିକ୍ଷକ ଉପସ୍ଥିତ ଥିବା ସମୟରେ ଶ୍ରେଣୀଗୃହ ଭିତରେ ଏହି ଆକ୍ରମଣ ହୋଇଥିଲା |
ଏୟାର ଆମ୍ବୁଲାନ୍ସ ଯୋଗେ ବେଙ୍ଗାଲୁରୁ ନିଆଯିବ ଛାତ୍ରୀ
ଉଭୟ ଛାତ୍ରୀଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ସିଧାସଳଖ ଅନନ୍ତପୁର ସରକାରୀ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣେ ଛାତ୍ରୀଙ୍କର ଗୁରୁତର ଅସ୍ତ୍ରୋପଚାର ଚାଲିଥିବା ବେଳେ, ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ବେଙ୍ଗାଲୁରୁର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ।
ଅଭିଯୁକ୍ତକୁ ପୋଲିସ ଗିରଫ କଲା
ପୋଲିସକୁ ପ୍ରାରମ୍ଭିକ ସୂଚନା ଅନୁସାରେ ,ଅଭିଯୁକ୍ତଙ୍କ ନାମ ହେମନ୍ତ ଓରଫ ଡୁମ୍ମୁ | ପରେ ଧର୍ମାବରମ ରେଲୱେ ଷ୍ଟେସନ ଗିରଫ କରାଯାଇଥିଲା | କୁହାଯାଉଛି ,ଶ୍ରୀ ସତ୍ୟ ସାଇ ଜିଲ୍ଲାର ଧର୍ମାବରମ ମଣ୍ଡଳରେ ନାଗାଲୁର ବାସିନ୍ଦା ଥିଲେ ଓ ସେ ଝିଅର ଦୂର ସମ୍ପର୍କୀୟ ଥିବାର ସୂଚନା ମିଳିଛି | ଏହି ଆକ୍ରମଣରେ ଛାତ୍ରଛାତ୍ରୀ ଓ ସ୍କୁଲ ଷ୍ଟାଫ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା | ପୋଲିସ ଘଟଣାର ସମସ୍ତ ଦିଗ ଏବଂ ଆକ୍ରମଣ ପଛର ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି | ଏହା ସହ ଆକ୍ରମଣର ଉଦ୍ଦେଶ୍ୟ କ’ଣ ଥିଲା, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି |
ମୁଖ୍ୟମନ୍ତ୍ରୀ ନାଇଡୁ କ’ଣ କହିଲେ?
ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ରାପ୍ତାଡୁ ଜିଲ୍ଲା ପରିଷଦ ହାଇସ୍କୁଲର ଦଶମ ଶ୍ରେଣୀ କକ୍ଷ ଭିତରେ ଜଣେ ଛାତ୍ରୀଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣ ମୋତେ ଗଭୀର ଭାବେ ମର୍ମାହତ ଓ କ୍ରୋଧିତ କରିଛି। ଯେଉଁମାନେ ସ୍କୁଲ ଭିତରେ ଆମ ଝିଅମାନଙ୍କୁ ଟାର୍ଗେଟ୍ କରୁଛନ୍ତି, ସେମାନଙ୍କ ପାଇଁ ଆମ ସମାଜରେ କୌଣସି ସ୍ଥାନ ନାହିଁ।” ସେ ଆହୁରି କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ ଛାତ୍ରୀଙ୍କ ସୁସ୍ଥ ହେବା ପ୍ରକ୍ରିୟା ଉପରେ ନଜର ରଖିଛି | ତାଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଚିକିତ୍ସା ଯୋଗାଇଦେବାକୁ ମେଡିକାଲ ଟିମ୍କୁ ନିର୍ଦ୍ଦେଶ ଦେଇଛି | ଏହି ଘଟଣା ପାଇଁ ଦାୟୀ ଅପରାଧୀକୁ ଖୋଜି ବାହାର କରିବା ସହ ଯଥାଶୀଘ୍ର ତାକୁ କଠୋର ଆଇନଗତ ଦଣ୍ଡ ଦେବାକୁ ମୁଁ ପୋଲିସକୁ ନିର୍ଦ୍ଦେଶ ଦେଇଛି।”
