Guwahati Hotel Horror : ଗୌହାଟୀ ହୋଟେଲ୍ରେ ରକ୍ତର ହୋଲି
ଗୌହାଟିର ବୋରା ସର୍ଭିସ୍ ଅଞ୍ଚଳରେ ଗୁଳିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ମହିଳାଙ୍କ ସମେତ ଅନେକ ଅନ୍ୟ ଲୋକ ଆହତ ହୋଇଥିବା ଖବର ମିଳିଛି।

ଆସାମର ଗୌହାଟୀସ୍ଥିତ ଉଲୁବାରୀର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ଏକ ହୋଟେଲ୍ରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ଗୋଟିଏ ପରିବାରର ଚାରିଜଣଙ୍କ ସମେତ ମୋଟ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି। ଗୁଳିକାଣ୍ଡରେ ଅନ୍ୟ ଜଣେ ଆହତ ହୋଇଥିବାବେଳେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କୁ ଗିରଫ କରିବା ସହ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି।
ହୋଟେଲ୍ ଭିତରେ ଫୁଟିଲା ଗୁଳି
ପୁଲିସ କମିଶନର ଡକ୍ଟର ପାର୍ଥ ସାରଥୀ ମହନ୍ତଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ସମୟରେ ଗୌହାଟୀର ବୋରା ସର୍ଭିସ୍ ଅଞ୍ଚଳରେ ଥିବା ହୋଟେଲ୍ ବିଲାସ୍ ଇନ୍ରେ ଏହି ଗୁଳିକାଣ୍ଡ ଘଟିଥିଲା। ଗୁଳିମାଡ଼ରେ ମୋଟ ଛଅଜଣ ଆହତ ହୋଇଥିବାବେଳେ ପାଞ୍ଚଜଣଙ୍କ ଜୀବନ ଯାଇଛି। ଜଣେ ଆହତ ବ୍ୟକ୍ତି ଏବେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (FSL)ର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପୁଲିସ ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି।
ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ
ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ପାଞ୍ଚଜଣ ହେଲେ ହେଲେନ ଭରାଲି, ଭୂଦେବ ଭରାଲି, ଦେବଶ୍ରୀ ଭରାଲି, ରିନୀକା ଭରାଲି ଏବଂ ନାରାୟଣ ଦାସ।ସୂଚନା ଅନୁଯାୟୀ, ହେଲେନ ଭରାଲି ଓ ଭୂଦେବ ଭରାଲି ଭାଇଭଉଣୀ ଥିଲେ। ଦେବଶ୍ରୀ ଭରାଲି ଭୂଦେବଙ୍କ ପୁଅ ଏବଂ ରିନୀକା ଭରାଲି ତାଙ୍କ ବୋହୂ ଥିଲେ। ଏହିପରି ଗୁଳିକାଣ୍ଡରେ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଅନ୍ୟ ମୃତକ ନାରାୟଣ ଦାସ ସେହି ପରିବାର ସହ କାମ କରୁଥିଲେ। ପୁଲିସ କମିଶନରଙ୍କ ସୂଚନା ଅନୁସାରେ, ମୃତକ ଏବଂ ଆହତ ବ୍ୟକ୍ତି ଗୋଟିଏ ଗାଁର ବାସିନ୍ଦା ଥିଲେ।
ଏକ ଘଣ୍ଟା ମଧ୍ୟରେ ଗିରଫ ହେଲେ ଅଭିଯୁକ୍ତ
ପୁଲିସ କମିଶନର କହିଛନ୍ତି ଯେ, ଗୁଳିକାଣ୍ଡ ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କୁ ମାତ୍ର ଏକ ଘଣ୍ଟା ମଧ୍ୟରେ ଗିରଫ କରିଥିଲା।ସେ କହିଛନ୍ତି, “ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଗୁଳିକାଣ୍ଡରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି। ଘଟଣାର ଏକ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଏହି ଅପରାଧରେ ବ୍ୟବହୃତ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି।”ପୁଲିସ କମିଶନର ଆହୁରି କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଛି। ଘଟଣାର ପ୍ରକୃତ କାରଣ ଏବଂ ସମ୍ପୂର୍ଣ୍ଣ ଘଟଣାକ୍ରମ ଜାଣିବା ପାଇଁ ବୈଜ୍ଞାନିକ ପଦ୍ଧତିରେ ବିସ୍ତୃତ ତଦନ୍ତ କରାଯାଉଛି। ତଦନ୍ତ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଆଗକୁ ଅଧିକ ତଥ୍ୟ ମିଳିଲେ ସେଗୁଡ଼ିକୁ ସାର୍ବଜନୀନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ଏକ .୩୨ ବୋର୍ ପିସ୍ତଲ ଜବତ କରାଯାଇଛି |
ହୋଟେଲ୍ ଲିଜ୍କୁ ନେଇ ବିବାଦ
ପୁଲିସର ପ୍ରାଥମିକ ତଦନ୍ତରୁ ହୋଟେଲ୍ର ଲିଜ୍କୁ ନେଇ ସମ୍ପତ୍ତି ବିବାଦ ଥିବା ଜଣାପଡ଼ିଛି। ହୋଟେଲ୍ ମାଲିକ ପକ୍ଷ ଓ ଏହାକୁ ଲିଜ୍ରେ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବିବାଦ ରହିଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଘନକାନ୍ତ ଗୋଗୋଇ ହୋଟେଲ୍ଟିକୁ ଲିଜ୍ରେ ନେଇଥିଲେ। ଲିଜ୍କୁ ନେଇ ରହିଥିବା ବିବାଦ ହିଁ ଗୁଳିକାଣ୍ଡର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଗୌରବ ଗୋଗୋଇଙ୍କ ଶୋକ ପ୍ରକାଶ
ଏହି ଦୁଃଖଦ ଘଟଣାକୁ ନେଇ କଂଗ୍ରେସ ନେତା ଗୌରବ ଗୋଗୋଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହି ଘଟଣା ଗୌହାଟୀର ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଏହି ଘଟଣାର ଦାୟିତ୍ୱ ନେବାକୁ ଆହ୍ୱାନ କରିବା ସହ ରାଜ୍ୟରେ ବଢ଼ୁଥିବା ଅପରାଧ ରୋକିବା ଦିଗରେ ଅଧିକ ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ଠୋସ୍ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ତଦନ୍ତ ଜାରି
ବର୍ତ୍ତମାନ ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ସହ ଗୁଳିକାଣ୍ଡର ପରିସ୍ଥିତି ଏବଂ ହୋଟେଲ୍ର ଲିଜ୍କୁ ନେଇ ରହିଥିବା ବିବାଦର ଖୋଳତାଡ଼ ଚାଲିଛି। ତଦନ୍ତ ପରେ ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
