Jaleswar Horror: ଜଳେଶ୍ୱରରେ ନାବାଳିକା ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ!
ଦୁର୍ଗାପୂଜାର ଉତ୍ସବ ଭିତରେ ଜଳେଶ୍ୱରରେ ଚାଞ୍ଚଲ୍ୟ! ୫ ଦିନ ଧରି ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗକୁ ନେଇ ତୀବ୍ର ଉତ୍ତେଜନା।

ଦୁର୍ଗାପୂଜାର ଉତ୍ସବମୁଖର ପରିବେଶ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଜଣେ ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ, ଏହି ଘଟଣାରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ପରିପ୍ରେକ୍ଷୀରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ନାମ୍ପ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ବାଲେଶ୍ୱର ଏସ୍ପି ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ବିଦ୍ୟାଳୟରେ ଆୟୋଜିତ ‘ସୁରଭି’ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ନାବାଳିକା ଜଣକ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାମ୍ପ ଫାଣ୍ଡିରେ ନିଖୋଜ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ମାମଲା ରୁଜୁ କରିବାରେ ବିଳମ୍ବ ହୋଇଥିବା ନେଇ ପରିବାର ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ପାଞ୍ଚ ଦିନ ପରେ ଜଳେଶ୍ୱର ଥାନା ଅନ୍ତର୍ଗତ ବର୍ତ୍ତନା ଢେରାପଦା ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହର ବେକରେ ନାଲି କପଡ଼ା ବନ୍ଧା ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ମିଳିଥିବା ଓଢ଼ଣୀ, ଜୋତା ଓ ପୋଷାକ ଆଧାରରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ସୂଚନା ମିଳିଛି। ନାବାଳିକାଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରୁ ମୃତଦେହ ମିଳିଥିଲା।
ଏହି ଘଟଣାରେ କାଁହୁ ନାମକ ଜଣେ ଯୁବକଙ୍କୁ ପୁଲିସ ପଚରାଉଚରା ପାଇଁ ଡାକିଥିଲା। ପ୍ରଥମେ ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ଅଟକ ରଖି ଜେରା କରାଯାଇଥିବା ସୂଚନା ମିଳିଛି। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ମୃତଦେହ ଉଦ୍ଧାର ହୋଇଥିବା କୁହାଯାଉଛି। ତେବେ ନାବାଳିକାଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ଦୁଷ୍କର୍ମ ଅଭିଯୋଗର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତିନି ଜଣ ମହିଳା ଡିଏସ୍ପି, ଜଣେ ଡିଏସ୍ପି ଏବଂ ଜଳେଶ୍ୱର ଏସ୍ଡିପିଓଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
ଅନ୍ୟପଟେ, ପୁଲିସର କାର୍ଯ୍ୟପ୍ରଣାଳୀକୁ ବିରୋଧ କରି ଉତ୍ତ୍ୟକ୍ତ ଗ୍ରାମବାସୀ ଜଳେଶ୍ୱର-ବାଲିଆପାଳ ରାସ୍ତାର ପଶ୍ଚିମବାଡ଼ଠାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହାସହ ନାବାଳିକାଙ୍କ ଜଣେ ସାଙ୍ଗଙ୍କ ଘରେ ଭଙ୍ଗାରୁଜା ହୋଇଥିବା ମଧ୍ୟ ସୂଚନା ମିଳିଛି।
ନାବାଳିକାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ନିଖୋଜ ଅଭିଯୋଗ ପରେ ପୁଲିସ କେଉଁ ପଦକ୍ଷେପ ନେଇଥିଲା, ମାମଲା ରୁଜୁ କରିବାରେ ବିଳମ୍ବ ହୋଇଥିଲା କି ନାହିଁ ଏବଂ ତଦନ୍ତରେ କୌଣସି ଅବହେଳା ହୋଇଛି କି ନାହିଁ, ସେସବୁ ଦିଗ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଫାଣ୍ଡି ଅଧିକାରୀଙ୍କ ବଦଳି ସହ ତଦନ୍ତ କେଉଁ ଦିଗକୁ ଗତି କରୁଛି ଏବଂ ପୀଡ଼ିତାଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଏଭଳି ସ୍ଥିତିରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଫାଣ୍ଡି ଅଧିକାରୀଙ୍କ ବଦଳିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ନାବାଳିକାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ଘଟଣାରେ କାହାର ସମ୍ପୃକ୍ତି ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
