prisoners recaptured:୧୭ ଜଣ ଫେରାର କଏଦୀ ପୁଣି ଜେଲ୍ରେ
ଜେଲରୁ ଜଣେ କଏଦୀଙ୍କ ଦେହ ଖରାପ ନାଟକରୁ ଆରମ୍ଭ ଯୋଜନାବଦ୍ଧ ପଳାୟନ ଏବଂ ୩୬ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ଅଭିଯାନ ପରେ ଶେଷରେ ଧରାପଡ଼ିଲେ ୧୭ ଜଣ ଫେରାର କଏଦୀ | ତାମିଲନାଡୁର ଥେନି ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଦେଶର ଜେଲ୍ ସୁରକ୍ଷା ବ୍ୟବସ୍ଥା ଓ କଏଦୀଙ୍କ ଅତ୍ୟଧିକ ଭିଡ଼କୁ ନେଇ ପ୍ରଶ୍ନ ଉଠାଇଛି।
ତାମିଲନାଡୁ:ଭାରତୀୟ ଜେଲ୍ରୁ ଫେରାର ୧୭ ଜଣ କଏଦୀଙ୍କୁ ଦୀର୍ଘ ୩୬ ଘଣ୍ଟାର ଖୋଜାଖୋଜି ଅଭିଯାନ ପରେ ପୋଲିସ ସମସ୍ତଙ୍କୁ ପୁଣି ଗିରଫ କରିଛି। ସୋମବାର ଦିନ ସାଥି କଏଦୀର ଦେହଖରାପ ନାଟକ କରି ଜେଲ ଅଧିକାରୀଙ୍କୁ ଚକମା ଦେଇ ଫେରାର ହେଇଯାଇଥିଲେ ୧୭ ଜଣ କଏଦୀ | ସୂଚନା ଅନୁଯାୟୀ, ଥେନିର ଥେକ୍କାମ୍ପାଟିସ୍ଥିତ କାରାଗାରରେ ୨୦୦ ଜଣ କଏଦୀଙ୍କ ରହିବା କ୍ଷମତା ଥିବାବେଳେ ୩୩୪ ଜଣ ରହୁଥିଲେ। ଫେରାର ହୋଇଥିବା ସମସ୍ତେ ବିଚାରାଧୀନ କଏଦୀ ଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଗୋଟିଏ କୋଠରୀରେ ରହୁଥିଲେ। ସୋମବାର ରାତି ପ୍ରାୟ ୧୦ଟା ୩୦ରେ ଜଣେ କଏଦୀ ହଠାତ୍ ବାତ ମାରିବା ଭଳି ଅଭିନୟ କରିଥିଲେ। ତାଙ୍କୁ ସାହାଯ୍ୟ କରିବାକୁ ଅନ୍ୟ କଏଦୀମାନେ ଚିତ୍କାର କରିବାରୁ ଜଣେ ଜେଲ୍ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଏହାର ସୁଯୋଗ ନେଇ କଏଦୀମାନେ ତାଙ୍କୁ କାବୁ କରିନେଇଥିଲେ। ପରେ କୋଠରୀରୁ ବାହାରି ଆଉ ଦୁଇ ଜଣ ଜେଲ୍ ରକ୍ଷୀଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କଠାରୁ ଚାବି ଛଡ଼ାଇ ନେଇ ମୁଖ୍ୟ ଫାଟକ ଖୋଲି ୧୭ ଜଣ ଫେରାର ହୋଇଯାଇଥିଲେ। ଅନ୍ୟ ଜଣେ କଏଦୀ ପରେ ଜେଲ୍କୁ ଫେରି ଆସିଥିଲେ। ଏହି ଆକ୍ରମଣରେ କିଛି ଜେଲ୍ କର୍ମଚାରୀ ଆହତ ହୋଇଥିଲେ। ଘଟଣା ପରେ ପୋଲିସ ରାଜ୍ୟବ୍ୟାପୀ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ଡ୍ରୋନ୍ ନିରୀକ୍ଷଣ, ସିସିଟିଭି ଫୁଟେଜ୍ ଓ ଆଧୁନିକ ପ୍ରଯୁକ୍ତିର ସହାୟତାରେ ଫେରାର କଏଦୀଙ୍କୁ ଠାବ କରାଯାଇଥିଲା। ନିକଟସ୍ଥ ଏକ ବସ୍ଷ୍ଟାଣ୍ଡରୁ ୪ ଜଣ ଓ ଅଟୋରିକ୍ସାରେ ଯାଉଥିବା ଜଣଙ୍କୁ ଧରାଯାଇଥିଲା। ଜଙ୍ଗଲରେ ଡ୍ରୋନ୍ ସହାୟତାରେ ଆଉ ୮ ଜଣ ଧରାପଡ଼ିଥିଲେ। ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଠାବ କରାଯାଇଥିବାବେଳେ ଶେଷ ଦୁଇ ଜଣ ବୁଧବାର ଆତ୍ମସମର୍ପଣ କରିଥିଲେ। ସମସ୍ତ ୧୭ ଜଣଙ୍କୁ ପୁଣି ଗିରଫ କରାଯାଇ କଡ଼ା ସୁରକ୍ଷା ଥିବା ଜେଲ୍କୁ ପଠାଯାଇଛି। ଏହି ଘଟଣାରେ ଜେଲ୍ କର୍ମଚାରୀଙ୍କ ଅବହେଳା କୁ ମଧ୍ୟ କଡା ସମାଲୋଚନା କରାଯାଉଛି। ଘଟଣା ସମୟରେ ମାତ୍ର ୪ ଜଣ ସୁରକ୍ଷାକର୍ମୀ ଡ୍ୟୁଟିରେ ଥିଲେ। ନିୟମ ଅନୁସାରେ ଜଣେ ସୁରକ୍ଷାକର୍ମୀଙ୍କ ପିଛା ୬ ଜଣ କଏଦୀ ରହିବା କଥା। ଏହି ଅନୁପାତ ପାଳନ ହୋଇଥିଲେ ୨୦୦ କଏଦୀଙ୍କ ପାଇଁ ୩୪ ଜଣ ସୁରକ୍ଷାକର୍ମୀ ଆବଶ୍ୟକ ଥିଲେ। ଘଟଣାରେ ଅବହେଳା ଅଭିଯୋଗରେ ୯ ଜଣ ଜେଲ୍ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ତାମିଲନାଡୁ କାରାଗାର ବିଭାଗର ଡିଜି ସନ୍ଦୀପ ରାଠୋର ଏହାକୁ ମାନବୀୟ ତ୍ରୁଟି ବୋଲି କହିଥିଲେ। ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ କଏଦୀମାନେ କିପରି ଫେରାର ହେଲେ, ତାହା ନେଇ ତଦନ୍ତ ଚାଲିଛି। ଏପରିକି ଜେଲ୍ ଅଧିକାରୀ ଓ କଏଦୀଙ୍କ ମଧ୍ୟରେ କୌଣସି ସଲାସୁତୁରା ଥିଲା କି ନାହିଁ, ପୋଲିସ ତାହା ମଧ୍ୟ ଯାଞ୍ଚ କରୁଛି। ରାଠୋରଙ୍କୁ ଜେଲ୍ ବିଭାଗ ମୁଖ୍ୟ ପଦରୁ ହଟାଇ ଅନ୍ୟ ବିଭାଗକୁ ବଦଳି କରାଯାଇଛି। ଏହି ଘଟଣା ପୁଣି ଥରେ ଭାରତୀୟ ଜେଲ୍ଗୁଡ଼ିକରେ କଏଦୀଙ୍କ ଅତ୍ୟଧିକ ଭିଡ଼ ସମସ୍ୟାକୁ ସାମ୍ନାକୁ ଆଣିଛି। ୨୦୨୩ର ଜେଲ୍ ପରିସଂଖ୍ୟାନ ଅନୁସାରେ, ଦେଶର ଜେଲ୍ଗୁଡ଼ିକରେ କ୍ଷମତାଠାରୁ ୧୨୦.୧ ପ୍ରତିଶତ ଅଧିକ କଏଦୀ ରହୁଥିଲେ। ଏଥିସହ ମୋଟ କଏଦୀଙ୍କ ମଧ୍ୟରୁ ୭୩ ପ୍ରତିଶତରୁ ଅଧିକ ବିଚାରାଧୀନ ଥିଲେ। ଅର୍ଥାତ୍, ଅନେକ ଲୋକଙ୍କ ମାମଲାର ବିଚାର ଶେଷ ନହୋଇଥିବା ସତ୍ତ୍ୱେ ସେମାନେ ଜେଲ୍ରେ ରହୁଛନ୍ତି।
