ଚରିତ୍ର ସନ୍ଦେହରେ ଚଳନ୍ତା କାରରେ ମର୍ଡର!
ଲୁହା ରଡରେ ହିଁ ହସିନଙ୍କୁ ଆକ୍ରମଣ କରିଥିଲା ସଲମାନ। ଏହା ପରେ ଗଳା ଚିପି ମାରିଦେଲା। ଅନେକ ସମୟ ଧରି ସେ କାରରେ ପତ୍ନୀର ଶବ ସହ ତିନି ପିଲାଙ୍କୁ ଧରି ଘୁରିବୁଲିଲା। ହତ୍ୟା ବେଳେ ପିଲାମାନେ କାର୍ ଭିତରେ ହିଁ ଥିଲେ। ଯେଉଁମାନେ ପୁରା ଘଟଣାକ୍ରମର ସାକ୍ଷୀ ଥିଲେ।

ଚଳନ୍ତା କାରରେ ପତ୍ନୀଙ୍କୁ ହତ୍ୟା। ଆଉ ପିଲାଙ୍କ ସହ ଶବକୁ ଧରି ଘୁରିବୁଲିଲା। ପରେ ଥାନାରେ କଲା ସରେଣ୍ଡର। ମହାରାଷ୍ଟ୍ରର ସମୃଦ୍ଧି ମହାମାର୍ଗରେ ପତ୍ନୀର ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ ନୃଶଂସ ହତ୍ୟା କରିଛି ସ୍ୱାମୀ। ତିନୋଟି ଛୋଟ ପିଲାଙ୍କ ଆଗରେ ହିଁ ସେମାନଙ୍କ ମାଆକୁ ହତ୍ୟା କଲା ଅଭିଯୁକ୍ତର ନାଁ ୩୫ ବର୍ଷୀୟ ସଲମାନ ଖାନ। ପତ୍ନୀ ହସିନ ବାନୋଙ୍କ ଚରିତ୍ରକୁ ନେଇ ସନ୍ଦେହ ଥିଲା। ଆଉ କାର ଭିତରେ ବଚସାରୁ ବିବାଦ ବଢ଼ିଥିଲା। ଲୁହା ରଡରେ ହିଁ ହସିନଙ୍କୁ ଆକ୍ରମଣ କରିଥିଲା ସଲମାନ। ଏହା ପରେ ଗଳା ଚିପି ମାରିଦେଲା। ଅନେକ ସମୟ ଧରି ସେ କାରରେ ପତ୍ନୀର ଶବ ସହ ତିନି ପିଲାଙ୍କୁ ଧରି ଘୁରିବୁଲିଲା। ପରେ ଥାନାରେ ଯାଇ ଆତ୍ମସମର୍ପଣ କଲା। ପୁଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ଲାଗି ପଠାଇଛି। ସଲମାନକୁ ଗିରଫ କରିଛି। ପୁଲିସ ଅନୁସାରେ, ୩ଟି ପିଲାଙ୍କ ବୟସ ୩ ବର୍ଷରୁ ୮ ବର୍ଷ ଭିତରେ। ହତ୍ୟା ବେଳେ ପିଲାମାନେ କାର୍ ଭିତରେ ହିଁ ଥିଲେ। ଯେଉଁମାନେ ପୁରା ଘଟଣାକ୍ରମର ସାକ୍ଷୀ ଥିଲେ। ଦିଲ୍ଲୀରେ ବି ଅନୁରୂପ ଘଟଣା ଘଟିଛି। ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳ ମନୀଷ ଭାଟି ନିଜ ପତ୍ନୀ ପ୍ରିୟଙ୍କାଙ୍କ ଜନ୍ମଦିନରେ ଗୁଳି କରି ହତ୍ୟା କରିଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। କଲ୍ୟାଣପୁରୀ ଏରିଆରେ ପତି-ପତ୍ନୀ ଭିତରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଆଉ ମଝିରାସ୍ତାରେ ହିଁ ପତ୍ନୀକୁ ଗୁଳି କରିଦେଲା କନଷ୍ଟେବଳ। ସ୍ଥାନୀୟ ଲୋକେ ପ୍ରିୟଙ୍କାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ କନେଷ୍ଟବଳ ଫେରାର୍ ହୋଇଯାଇଥିଲା। ଶେଷରେ ଦିନକ ପରେ ସର୍ଭିସ ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଦେଇଥିଲେ କନଷ୍ଟେବଳ ଜଣକ। ମନୀଷଙ୍କ ଶବ ମୟୂରବିହାରସ୍ଥିତ କ୍ରାଉନ ପ୍ଲାଜା ହୋଟେଲ ପାଖ ପାର୍କରେ ମିଳିଥିଲା। ତେବେ ଏ ହତ୍ୟାକାଣ୍ଡ ପଛରେ ପ୍ରକୃତକାରଣକୁ ଏବେ ବି ଖୋଜୁଛି ପୁଲିସ। ପରକୀୟାପ୍ରୀତି ନା ଆଉ କିଛି। କାରଣ ମନୀଷ ପାଖରୁ କୌଣସି ସୁଇସାଇଡ ନୋଟ୍ ଜବତ ହୋଇନି। ମନୀଷ ୨୦୨୨ରେ ଦିଲ୍ଲୀ ପୁଲିସରେ ଭର୍ତ୍ତି ହୋଇଥିଲା। ସେହି ବର୍ଷ ହିଁ ପ୍ରିୟଙ୍କାକୁ ବିବାହ କରିଥିଲେ। ପ୍ରିୟଙ୍କା ପ୍ରାଇଭେଟ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ। ହେଲେ ବିବାହ ପରଠୁ ଦୁହିଁଙ୍କ ଭିତରେ ପ୍ରାୟ ଝଗଡ଼ା ହେଉଥିଲା। ୯ ମାସ ଧରି ମାଆ ଘରେ ରହୁଥିଲେ ପ୍ରିୟଙ୍କା। ଗଲା ବର୍ଷ ମନୀଷ ଓ ପ୍ରିୟଙ୍କା ଭିତରେ ଆପୋଷ ବୁଝାମଣା ହୋଇଥିଲା। ଏହା ପରେ ମନୀଷ ସହ ରହିବାକୁ ପ୍ରିୟଙ୍କା ଆସିଥିଲେ। ପୁଲିସରୁ ବର୍ତ୍ତିବାକୁ ମନୀଷ ନିଜର ଓ ପତ୍ନୀଙ୍କ ମୋବାଇଲ ଗାଏବ କରିଦେଇଛନ୍ତି। ପୁଲିସ ରହସ୍ୟ ଖୋଜିବାକୁ ତନାଘନା କରୁଛି।
