ATTACK ON TEHSILDAR'S FAMILY:ତହସିଲଦାରଙ୍କ ପରିବାରକୁ ବନ୍ଧୁକ ମୁନରେ ଆକ୍ରମଣ
ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ଜଙ୍ଗଲ ରାସ୍ତାରେ ଗଛ ପକାଇ ଗାଡ଼ି ଅଟକାଇଲେ ଦୁର୍ବୃତ୍ତ । ଗାଡ଼ି କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ମାଡ଼ ମାରିଲେ । ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ି ନେଇ ଖସିଗଲେ ଡ୍ରାଇଭର । ଟିଟିଲାଗଡ଼ ଥାନାରେ ଏନେଇ ଅଭିଯୋଗ ହୋଇଛି ।
ଟିଟିଲାଗଡ଼:ଜଙ୍ଗଲ ରାସ୍ତାରେ ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ଗାଡ଼ି ଅଟକାଇ କାଚ ଭାଙ୍ଗିବା ସହ ଡ୍ରାଇଭରଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ତହସିଲଦାରଙ୍କ ପରିବାର । ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ଥାନା ଅନ୍ତର୍ଗତ ବର୍ଣ୍ଣି ଜଙ୍ଗଲ ନିକଟରେ । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲଦାର ଦୀପ୍ତିରେଖାଙ୍କ ପରିବାର ଲୋକେ ଗତକାଲି ରାତିରେ ଏକ ଚାରିଚକିଆ ଗାଡ଼ିରେ କୌଣସି କାମରେ ବରଗଡ଼ ଯାଇଥିଲେ । କାମ ସାରି ନିଜ ଗାଁ ସିନ୍ଧେକେଲାକୁ ଫେରୁଥିବା ସମୟରେ ବର୍ଣ୍ଣି ଜଙ୍ଗଲ ସ୍ଥିତ ବର୍ଣ୍ଣି ବୁଢ଼ା ମନ୍ଦିର ନିକଟରେ କିଛି ଦୁର୍ବୃତ୍ତ ରାସ୍ତା ଉପରେ ଗଛ ପକାଇ ଗାଡ଼ିକୁ ଅଟକାଇଥିଲେ । ଗାଡ଼ି ଅଟକିବା ପରେ ଦୁର୍ବୃତ୍ତମାନେ କାଚ ଭାଙ୍ଗି ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ତେବେ ଡ୍ରାଇଭର ଜଣକ ସାହସ ଓ ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ି ଷ୍ଟାର୍ଟ କରି ସେଠାରୁ ଖସିଯିବାରେ ସଫଳ ହୋଇଥିଲେ ।ପରେ ଗାଡ଼ି ଟିଟିଲାଗଡ଼ରେ ପହଞ୍ଚିବା ପରେ ଦୀପ୍ତିରେଖାଙ୍କ ବାପା ସରଜୁ ବାଗ ଥାନାରେ ଅଭିଯୋଗ କରିଥିଲେ । ଆକ୍ରମଣରେ ଡ୍ରାଇଭର ଆହତ ହୋଇଥିବା ବେଳେ ତହସିଲଦାରଙ୍କ ବାପା ଓ ମାଆ ସୁରକ୍ଷିତ ଅଛନ୍ତି । ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନଜର ।
