ବୃହତ୍ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ
ବୃହତ୍ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ। ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ । ଚାଷୀଙ୍କ ଜମିକୁ ପର୍ଯ୍ୟାପ୍ତ ଜଳ ଯୋଗାଇବା ଲକ୍ଷ୍ୟରେ ନିର୍ମିତ ବୃହତ୍ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି। #Boudh
ବୌଦ୍ଧ: ଚାଷୀଙ୍କ ଜମିକୁ ପର୍ଯ୍ୟାପ୍ତ ଜଳ ଯୋଗାଇବା ଲକ୍ଷ୍ୟରେ ନିର୍ମିତ ବୃହତ୍ ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ ସମସ୍ୟାର କାରଣ ପାଲଟିଥିବା ଅଭିଯୋଗ ହୋଇଛି। ହରଭଙ୍ଗା ବ୍ଲକ୍ କୁସଙ୍ଗ ପଞ୍ଚାୟତ ଅନ୍ତର୍ଗତ ତିରଡ଼ଠାରେ ଥିବା ଏହି ପ୍ରକଳ୍ପରୁ ଭଗାମୁଣ୍ଡା ଗ୍ରାମର ସମସ୍ତ ଚାଷୀଙ୍କୁ ସମାନ ଭାବେ ଜଳ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ। ଚାଷୀଙ୍କ ଅଭିଯୋଗ ଅନୁସାରେ, ଭଗାମୁଣ୍ଡା ଗ୍ରାମର କିଛି ଚାଷୀଙ୍କ ଜମିକୁ ପ୍ରକଳ୍ପର ପାଣି ପହଞ୍ଚୁଥିବା ବେଳେ ଅନ୍ୟ କିଛି ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଫଳରେ ଆବଶ୍ୟକ ସମୟରେ ଜଳ ନପାଇ ଅନେକ ଧାନ ବିଲ ଶୁଖିଲା ପଡ଼ିଥିବା ଚାଷୀମାନେ କହିଛନ୍ତି।
ବର୍ତ୍ତମାନ ଧାନ ଫସଲ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଧାନ ଗର୍ଭଧାରଣ କରି ଶିଷ ବାହାରିବା ସମୟରେ ଜମିରେ ଆବଶ୍ୟକ ପରିମାଣର ପାଣି ନଥିଲେ ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପ୍ରକଳ୍ପର ପାଣି ଉପରେ ନିର୍ଭର କରୁଥିବା ଚାଷୀମାନେ ନିଜ ଫସଲକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ବର୍ଷା ଉପରେ ନିର୍ଭର କରିବା ସମ୍ଭବ ନଥିବାରୁ ତୁରନ୍ତ ଜଳସେଚନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଦାବି ହୋଇଛି। ପ୍ରକଳ୍ପରୁ ଏପର୍ଯ୍ୟନ୍ତ ଯେଉଁ ଚାଷୀମାନଙ୍କ ଜମିକୁ ପାଣି ପହଞ୍ଚିନାହିଁ, ସେମାନଙ୍କ ଜମିକୁ ତୁରନ୍ତ ଜଳ ଯୋଗାଇବାକୁ ଭଗାମୁଣ୍ଡା ଓ କୁସଙ୍ଗ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି। ଏଥିସହ ପ୍ରକଳ୍ପର ପାଣି ବଣ୍ଟନ ବ୍ୟବସ୍ଥା କିଭଳି କାମ କରୁଛି, କେଉଁ ଅଞ୍ଚଳକୁ କେତେ ପାଣି ଯାଉଛି ଏବଂ କେଉଁ ଚାଷୀମାନେ ବଞ୍ଚିତ ହେଉଛନ୍ତି—ତାହାର ଯାଞ୍ଚ କରିବାକୁ ମଧ୍ୟ ଦାବି ହୋଇଛି। ପ୍ରକଳ୍ପର ମୂଳ ଲକ୍ଷ୍ୟ ଉଚ୍ଚଭୂମି ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇବା। ଏଭଳି ପ୍ରକଳ୍ପ ମାଧ୍ୟମରେ ଚାଷଜମିକୁ ଜଳ ଯୋଗାଣ ବଢ଼ାଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି।
ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ କୁସଙ୍ଗ ପଞ୍ଚାୟତ ସମେତ ହରଭଙ୍ଗା ଅଞ୍ଚଳର ବିଭିନ୍ନ ଗ୍ରାମର ଚାଷୀମାନେ ଏକଜୁଟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ। ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ମଧ୍ୟ ଚାଷୀମାନେ ଚେତାବନୀ ଦେଇଛନ୍ତି। ତେଣୁ ଘଟଣାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଜଳସେଚନ ପ୍ରକଳ୍ପର ଜଳ ବଣ୍ଟନ ବ୍ୟବସ୍ଥାର ତଦନ୍ତ କରିବା ସହ ପାଣିରୁ ବଞ୍ଚିତ ଚାଷୀଙ୍କ ଜମିକୁ ତୁରନ୍ତ ଜଳ ପହଞ୍ଚାଇବାକୁ ଦାବି ଜୋର ଧରିଛି। ପ୍ରକଳ୍ପ ଥିଲେ ବି ଜମିରେ ପାଣି ନାହିଁ—ଏହି ଅଭିଯୋଗର ସମାଧାନ କେବେ ହେବ, ଏବେ ତାହାକୁ ଅପେକ୍ଷା କରିଛନ୍ତି ଚାଷୀ।
