Water Reservoir: ଖୋଲିଲା ଗଞ୍ଜାମର ଦୁଇ ଜଳଭଣ୍ଡାରର ଗେଟ୍
ଗଞ୍ଜାମ ଜିଲ୍ଲାର ଦୁଇ ପ୍ରମୁଖ ଜଳଭଣ୍ଡାରରୁ ଆରମ୍ଭ ହୋଇଛି ଜଳ ନିଷ୍କାସନ। ଜଳସ୍ତର ନିୟନ୍ତ୍ରଣ ଓ ବନ୍ଧର ସୁରକ୍ଷା ପାଇଁ SOP ଅନୁଯାୟୀ ଖୋଲାଯାଇଛି ଗେଟ୍।ସାଇରନ୍ ବାଜିବା ପରେ ଖୋଲିଲା ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାରର ଜଳ ନିଷ୍କାସନ ଗେଟ୍ | ତଳମୁଣ୍ଡର ସ୍ଥିତି ଉପରେ ରହିଛି ପ୍ରଶାସନର ନଜର।
ଗଞ୍ଜାମ:ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ ଏବଂ ବନ୍ଧର ସୁରକ୍ଷା ଦୃଷ୍ଟିରୁ ନିର୍ଦ୍ଧାରିତ ମାନକ ପରିଚାଳନା ପଦ୍ଧତି (SOP) ଅନୁଯାୟୀ ଉଭୟ ଜଳଭଣ୍ଡାରର ଗୋଟିଏ ଲେଖାଏଁ ନିଷ୍କାସନ ଗେଟ୍ ଖୋଲାଯାଇଛି। ରବିବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ସାଇରନ୍ ବଜାଯିବା ପରେ ଘୋଡ଼ାହାଡ଼ ଜଳଭଣ୍ଡାରର ଗୋଟିଏ ଗେଟ୍କୁ ୦.୫୦ ମିଟର ଖୋଲାଯାଇଥିଲା। ଏହାଦ୍ୱାରା ପ୍ରତି ସେକେଣ୍ଡରେ ୩୪.୭୭ ଘନମିଟର ଜଳ ନିଷ୍କାସିତ ହେଉଛି। ଗେଟ୍ ଖୋଲିବା ସମୟରେ ଜଳପତ୍ତନ ୧୧୬.୮୬ ମିଟର ରହିଥିବାବେଳେ ଜୀବନ୍ତ ଜଳଧାରଣ କ୍ଷମତା ୨,୭୭୩.୯୬ ହେକ୍ଟର ମିଟର ରହିଥିଲା। ଯାହା ମୋଟ ଜୀବନ୍ତ ଜଳଧାରଣ କ୍ଷମତାର ୯୦.୮୮ ପ୍ରତିଶତ। ସେହିପରି ନଭେମ୍ବର ୧୬ ତାରିଖ ରାତି ପ୍ରାୟ ୧୨ଟା ୦୫ ମିନିଟ୍ରେ ସାଇରନ୍ ବଜାଇ ବାଘଲଟି ଜଳଭଣ୍ଡାରର ଗୋଟିଏ ଗେଟ୍କୁ ୦.୬୦ ମିଟର ଖୋଲାଯାଇଛି। ଏଠାରୁ ପ୍ରତି ସେକେଣ୍ଡରେ ୩୦.୭୨ ଘନମିଟର ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳପତ୍ତନ ୧୦୨.୮୮ ମିଟର ଥିବାବେଳେ ବ୍ୟବହାରଯୋଗ୍ୟ ଜଳ ମହଜୁଦ ୨,୯୦୬.୨୦ ହେକ୍ଟର ମିଟର ରହିଛି। ଯାହା ମୋଟ ଜଳଧାରଣ କ୍ଷମତାର ୭୪.୬୯ ପ୍ରତିଶତ।ଉଭୟ ଜଳଭଣ୍ଡାରର ଜଳସ୍ତର, ଜଳ ପ୍ରବେଶ ଓ ନିଷ୍କାସନ ପରିମାଣ ସହ ତଳମୁଣ୍ଡର ଜଳପ୍ରବାହ ସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି।
