Jayapatna-Chhath-Puja:ଶେଷ ହେଲା ଚାରିଦିନିଆ ଛଟ୍ ପର୍ବ
ଚାରିଦିନ ଧରି ଚାଲିଥିବା ସୂର୍ଯ୍ୟ ଉପାସନାର ମହାପର୍ବ ଛଟ୍ ପୂଜାରେ ଭକ୍ତିମୟ ହୋଇଉଠିଛି କଳାହାଣ୍ଡିର ଜୟପାଟଣା। ସନ୍ଧ୍ୟାରେ ଅସ୍ତଗାମୀ ଓ ଭୋରରେ ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବ୍ରତ ଉଦ୍ଯାପନ କରିଛନ୍ତି ଶ୍ରଦ୍ଧାଳୁ।
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକରେ ଭକ୍ତି ଓ ନିଷ୍ଠାର ସହ ଉଦ୍ଯାପିତ ହୋଇଛି ଚାରିଦିନିଆ ପବିତ୍ର ଛଟ୍ ପୂଜା। ସୂର୍ଯ୍ୟଦେବଙ୍କ ଆରାଧନା ଓ ଛଟ୍ ମଇୟାଙ୍କ ଉପାସନାକୁ ନେଇ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ। ବ୍ରତଧାରୀଙ୍କ ନିଷ୍ଠା, ପରିବାରର ମଙ୍ଗଳ କାମନା ଏବଂ ସୂର୍ଯ୍ୟ ଉପାସନାର ପରମ୍ପରା ଏହି ପର୍ବର ମୁଖ୍ୟ ଆକର୍ଷଣ ପାଲଟିଥିଲା।ପୂଜାର ଶେଷ ପର୍ଯ୍ୟାୟରେ ଗତକାଲି ସନ୍ଧ୍ୟାରେ ବ୍ରତଧାରୀମାନେ ଜଳାଶୟ ନିକଟରେ ଏକତ୍ରିତ ହୋଇ ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରିଥିଲେ। ଏହାପରେ ଆଜି ଭୋର ସମୟରୁ ପୁଣି ଜଳାଶୟ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଉଦୟମାନ ସୂର୍ଯ୍ୟଙ୍କ ଦର୍ଶନ ସହ ଜଳରେ ଠିଆ ହୋଇ ବ୍ରତଧାରୀମାନେ ସୂର୍ଯ୍ୟଦେବଙ୍କୁ ଅନ୍ତିମ ଅର୍ଘ୍ୟ ଅର୍ପଣ କରିଥିଲେ। ଏଥିସହ ଚାରିଦିନ ଧରି ଚାଲିଥିବା ଉପବାସ ଓ ପୂଜାବିଧିର ସମାପନ ହୋଇଥିଲା।ଧାର୍ମିକ ବିଶ୍ୱାସ ଅନୁଯାୟୀ, ଛଟ୍ ମଇୟା ହେଉଛନ୍ତି ସୂର୍ଯ୍ୟଦେବଙ୍କ ଭଉଣୀ। ତେଣୁ ଏହି ପୂଜାରେ ସୂର୍ଯ୍ୟଦେବଙ୍କ ସହ ଛଟ୍ ମଇୟାଙ୍କୁ ମଧ୍ୟ ଅର୍ଘ୍ୟ ଅର୍ପଣ କରାଯାଏ। ପରିବାରର ସୁଖ, ଶାନ୍ତି, ସମୃଦ୍ଧି, ସନ୍ତାନଙ୍କ ମଙ୍ଗଳ ଓ ସୁସ୍ଥ ଜୀବନ କାମନା କରି ଶ୍ରଦ୍ଧାଳୁମାନେ ଏହି ବ୍ରତ ପାଳନ କରିଥାନ୍ତି। ପାରମ୍ପରିକ ରୀତିନୀତି ଓ ଗଭୀର ଆସ୍ଥା ସହ ପାଳିତ ଏହି ପର୍ବ ଜୟପାଟଣା ଅଞ୍ଚଳରେ ଧାର୍ମିକ ଏକତା ଓ ଭାଇଚାରାର ବାର୍ତ୍ତା ଦେଇଛି। ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ପରେ ଶ୍ରଦ୍ଧାଳୁମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇ ଛଟ୍ ପୂଜାର ବ୍ରତ ସମାପନ କରିଛନ୍ତି।
