Balasore Crime:ଘରେ ପଶି ଖଣ୍ଡାରେ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ଆକ୍ରମଣ ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ବାଲେଶ୍ୱର ପାତ୍ରପଡ଼ାରେ ଘଟିଥିବା ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନିକଟରୁ ଦୁଇଟି ଖଣ୍ଡା ଜବତ ହୋଇଛି।
ବାଲେଶ୍ୱର: ବାଲେଶ୍ୱରରେ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ ଏବଂ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳରେ ଘଟିଥିବା ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଖଣ୍ଡା ମଧ୍ୟ ଜବତ କରିଛି ପୋଲିସ। ସୂଚନା ଅନୁଯାୟୀ, ଗତ ନଭେମ୍ବର ୮ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ମିନତୀ ମାଝୀଙ୍କ ଘରେ ଜୋରଜବରଦସ୍ତ ପଶିଥିଲେ। ଏହାପରେ ମିନତୀଙ୍କ ପୁଅ ଉମେଶ ମାଝୀ ଓ ବୋହୂ କବିତା ବେହେରାଙ୍କୁ ଆକ୍ରମଣ କରିଥିଲେ। ହଠାତ୍ ହୋଇଥିବା ଏହି ଆକ୍ରମଣରେ ଉଭୟ ଆହତ ହୋଇଥିଲେ। ଏପରିକି ଅଭିଯୁକ୍ତମାନେ କବିତାଙ୍କୁ ସର୍ବସମ୍ମୁଖରେ ଟଣାଓଟରା କରିବା ସହ ବିବସ୍ତ୍ର କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଥିଲା। ଆହତ ଉମେଶ ଓ କବିତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ମୁରଲୀ ଦଳେଇ, ଯୋଗେନ୍ଦ୍ର ମାଝୀ, ଦେବେନ୍ଦ୍ର ମାଝୀ, ପ୍ରସନ୍ନଜିତ ବେହେରା ଏବଂ କାର୍ତ୍ତିକ କୁମାର ଦାସଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଦୁଇଟି ଖଣ୍ଡା ଜବତ ହୋଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
