MLA Orientation: ଗଠନମୂଳକ ବିତର୍କ ଗଣତନ୍ତ୍ରକୁ ସୁଦୃଢ଼ କରେ – ଉପରାଷ୍ଟ୍ରପତି
ଭୁବନେଶ୍ୱରରେ ସପ୍ତଦଶ ଓଡ଼ିଶା ବିଧାନସଭାର ବିଧାୟକଙ୍କ ପାଇଁ ଦିଗ୍ଦର୍ଶନ କାର୍ଯ୍ୟକ୍ରମ। ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଦେଲେ ସଂସଦୀୟ ପ୍ରକ୍ରିୟା ଓ AI ଉପରେ ଗୁରୁତ୍ୱ।

ଭୁବନେଶ୍ୱର: ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ଓ ସଂସଦୀୟ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ଏକ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ସି. ପି. ରାଧାକ୍ରିଷ୍ଣନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକମାନଙ୍କୁ ବିଧାନସଭାର କାର୍ଯ୍ୟଧାରା, ନିୟମାବଳୀ ଓ ବିଧାନ ପ୍ରକ୍ରିୟା ସମ୍ପର୍କରେ ମାର୍ଗଦର୍ଶନ କରିଛନ୍ତି। ଉପରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଶାର ପ୍ରଗତି ହିଁ ଦେଶର ପ୍ରଗତି। ସୁସ୍ଥ ଓ ଗଠନମୂଳକ ବିତର୍କ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଥାଏ। ପ୍ରତ୍ୟେକ ବିଧାୟକଙ୍କ ବିଧାନସଭାର ନିୟମ ଓ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟ ଜ୍ଞାନ ରହିବା ଆବଶ୍ୟକ। ଡିଜିଟାଲ ଯୁଗରେ ବିଧାୟକମାନେ ନୂତନ ଜ୍ଞାନକୌଶଳ ସହିତ କୃତ୍ରିମ ବୁଦ୍ଧିମତ୍ତା (AI) ସମ୍ପର୍କରେ ମଧ୍ୟ ଜ୍ଞାନ ଆହରଣ କରିବା ଉଚିତ। ବିଧାନସଭାରେ ଡିଜିଟାଲ ହାଉସ୍ର ଶୁଭାରମ୍ଭକୁ ସେ ସ୍ୱାଗତ କରିଥିଲେ। ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଉପରାଷ୍ଟ୍ରପତିଙ୍କୁ ଓଡ଼ିଶାକୁ ସ୍ୱାଗତ କରି କହିଥିଲେ ଯେ, ଜ୍ଞାନ, ଅନୁଶାସନ ଓ ସମ୍ବେଦନଶୀଳତା ଜନପ୍ରତିନିଧିଙ୍କୁ ସାର୍ଥକ ଜନସେବା ପାଇଁ ସକ୍ଷମ କରିଥାଏ।

ପ୍ରଶ୍ନକାଳ, ବିଧେୟକ ଉପରେ ଆଲୋଚନା, ସରକାରୀ ନୀତିର ସମୀକ୍ଷା ଓ ସଂସଦୀୟ ସମିତିର ସୁପାରିସ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶା ବିଧାନସଭା କେବଳ ଆଇନ ପ୍ରଣୟନର ଅନୁଷ୍ଠାନ ନୁହେଁ, ଏହା ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତୀକ। ତେଣୁ ଦଳମତ ନିର୍ବିଶେଷରେ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି କାମ କରିବା ଆବଶ୍ୟକ। ଆଗାମୀ ଶୀତକାଳୀନ ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଥିଲେ ଯେ, ନିର୍ବାଚିତ ଜନପ୍ରତିନିଧିଙ୍କୁ ସଂସଦୀୟ ନିୟମ, ବିଧାନ ପ୍ରକ୍ରିୟା ଓ ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ଅଧିକ ଦକ୍ଷ ଓ ସଚେତନ କରିବା ହେଉଛି ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ସମସ୍ତ ବିଧାୟକ ଉପସ୍ଥିତ ଥିଲେ।
