Basudevpur KaliPuja:ବାସୁଦେବପୁରରେ ଐତିହାସିକ କାଳୀପୂଜାର ମହାଆଡ଼ମ୍ବର
୧୯୪୪ରୁ ଆରମ୍ଭ ହୋଇଥିବା ବାସୁଦେବପୁରର ଐତିହାସିକ କାଳୀପୂଜା ୧୫ ଦିନ ଧରି ଚାଲିଛି। ଆଲୋକସଜ୍ଜା, ମେଳା ଓ ଯାତ୍ରା ଦେଖିବାକୁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।
ଭଦ୍ରକ: କାଳୀପୂଜାକୁ ନେଇ ଭଦ୍ରକ ଜିଲ୍ଲାର ରହିଛି ସ୍ୱତନ୍ତ୍ର ପରିଚୟ। ଜିଲ୍ଲାରେ ଭଦ୍ରକ ସହର କାଳୀପୂଜା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଐତିହାସିକ ପରମ୍ପରା ଓ ଦୀର୍ଘ ୧୫ ଦିନିଆ ଉତ୍ସବ ପାଇଁ ବାସୁଦେବପୁର କାଳୀପୂଜାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ଏହି ମହୋତ୍ସବ ଦେଖିବାକୁ କେବଳ ବାସୁଦେବପୁର ନୁହେଁ, ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ୧୯୪୪ ମସିହାରୁ ଆରମ୍ଭ ହୋଇଥିବା ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସର୍ବପୁରାତନ କାଳୀପୂଜା କମିଟି ବାସୁଦେବପୁର ମୁଖ୍ୟ ବଜାରରେ ପ୍ରଥମେ ପୂଜା ଆରମ୍ଭ କରିଥିଲା। ସମୟକ୍ରମେ ଏହି ପୂଜାର ଆକର୍ଷଣ ବଢ଼ିବା ସହ ଆଉ ତିନୋଟି ପୂଜା କମିଟି ଗଠିତ ହୋଇଛି। ସମସ୍ତ କମିଟି ପକ୍ଷରୁ ମା'ଙ୍କ ପୂଜାର୍ଚ୍ଚନା ଧୁମଧାମରେ ଅନୁଷ୍ଠିତ ହେଉଛି। ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସି ଉଠୁଛି ବାସୁଦେବପୁର ସହର। ଆକର୍ଷଣୀୟ ତୋରଣ ଓ ସୁନ୍ଦର ସାଜସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରୁଛି। ମେଳାରେ ଝୁଲଣର ମଜା ନେଉଛନ୍ତି ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ। ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ପସରା ଜମିଥିବା ବେଳେ ଘରକରଣା ସାମଗ୍ରୀ, କାଠ ଓ ପଥରରେ ନିର୍ମିତ ସାମଗ୍ରୀ କିଣିବାକୁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। କେବଳ ମେଳା ଓ ଆଲୋକସଜ୍ଜା ନୁହେଁ, ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଏହି ପୂଜାର ଅନ୍ୟତମ ଆକର୍ଷଣ। ବିଭିନ୍ନ ପୂଜା କମିଟି ପକ୍ଷରୁ ଯାତ୍ରା ପରିବେଷଣ ସହ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହାର ମଜା ନେବାକୁ ପ୍ରତିଦିନ ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ଜମୁଛି। ଭକ୍ତି, ପରମ୍ପରା, ମେଳା ଓ ମନୋରଞ୍ଜନର ଏହି ଅପୂର୍ବ ସମନ୍ୱୟ ବାସୁଦେବପୁର କାଳୀପୂଜାକୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ।
