Vigilance Arrest:୧୨ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ତହସିଲଦାର
ଜମିର କିସମ ବଦଳାଇବାକୁ ହୋଇଥିଲା ଆବେଦନ। ହେଲେ ସରକାରୀ ନିୟମ ବଦଳରେ ଲାଞ୍ଚ ମାଗିବା ମହଙ୍ଗା ପଡିଲା OAS ଅଧିକାରୀଙ୍କୁ । ୧୨ ହଜାର ଟଙ୍କା କାରବାରରେ ତହସିଲଦାରଙ୍କ ସହ ତାଙ୍କ ଡ୍ରାଇଭର ମଧ୍ୟ ଗିରଫ।

କଳାହାଣ୍ଡି:ଜମିର କିସମ ବଦଳାଇବା ପାଇଁ ଲାଞ୍ଚ ମାଗିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତହସିଲଦାର। ୧୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଏବଂ ତାଙ୍କ ଡ୍ରାଇଭର ପଙ୍କଜ ସିପକାଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଜୟପୁରଠାରେ ଭିଜିଲାନ୍ସ ଏସପି ଏନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ତହସିଲଦାର ଚନ୍ଦନ କୁମାର ନାୟକ ୨୦୨୦ ବ୍ୟାଚ୍ର OAS ଅଧିକାରୀ। ଜଣେ ଆବେଦନକାରୀଙ୍କ କୃଷି ଜମିକୁ ଘରବାରି ଜମିରେ ପରିବର୍ତ୍ତନ କରିବା ସହ ଆବଶ୍ୟକୀୟ ରେକର୍ଡ ଅଫ୍ ରାଇଟ୍ସ (ROR) ପ୍ରଦାନ କରିବା ପାଇଁ ସେ ୧୨ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମ ଅନୁଯାୟୀ, ଅଭିଯୋଗକାରୀ ଗତ ୨୨ ଅକ୍ଟୋବର ୨୦୨୬ରେ ଅନଲାଇନ୍ ମାଧ୍ୟମରେ ଜମିର କିସମ ପରିବର୍ତ୍ତନ ପାଇଁ ଗୋଲାମୁଣ୍ଡା ତହସିଲଦାରଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ (RI) ଜମିର ତଦନ୍ତ କରି ରିପୋର୍ଟ ସହ ଚିତ୍ର ମାନଚିତ୍ର ଗତ ୨ ନଭେମ୍ବର ୨୦୨୬ରେ ତହସିଲଦାରଙ୍କ ନିକଟରେ ଦାଖଲ କରିଥିଲେ। ଏହି ଘଟଣାରେ ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏହି ଲାଞ୍ଚ କାରବାରରେ ଅନ୍ୟ କାହାରି ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ କରାଯାଉଛି।

