Cyclone Akvan Odisha Update :ଅକ୍ୱାନ ଦୁର୍ବଳ, ହେଲେ ବର୍ଷାରୁ ମିଳିନି ନିସ୍ତାର
ବାତ୍ୟାର ଭୟ ଟଳିଛି, ହେଲେ ବର୍ଷାର ବିପଦ ଏବେ ବି ରହିଛି। କେଉଁଠି ରାସ୍ତାରେ ପାଣି ତ ଆଉ କେଉଁଠି ଆଶ୍ରୟସ୍ଥଳୀରେ ସୁରକ୍ଷିତ ଲୋକେ। ବଡ଼ କ୍ଷୟକ୍ଷତିରୁ ବର୍ତ୍ତିଛି ରାଜ୍ୟ।

ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅକ୍ୱାନ’ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହୋଇଛି। ନଭେମ୍ବର ୨୦ ତାରିଖ ସକାଳେ ଗୋପାଳପୁର ନିକଟରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଅତିକ୍ରମ କରିଥିଲା ବାତ୍ୟା। ସକାଳ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିଥିବା ବେଳେ ଝଟକା ପବନର ବେଗ ୯୦ କିଲୋମିଟର ଛୁଇଁଥିଲା। ସକାଳ ୧୧ଟା ୨୦ ସୁଦ୍ଧା ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ଆଇଏମଡି ସୂଚନା ଦେଇଛି। ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଆସନ୍ତା ୬ ଘଣ୍ଟାରେ ଅବପାତ ଏବଂ ପରବର୍ତ୍ତୀ ୬ ଘଣ୍ଟାରେ ସୁସ୍ପଷ୍ଟ ଲଘୁଚାପରେ ପରିଣତ ହେବାର ଆକଳନ କରାଯାଇଛି।
ବାତ୍ୟା ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର, ହିଞ୍ଜିଳିରେ ୨୦୭, ଚିକିଟିରେ ୧୯୯, ଗୋପାଳପୁରରେ ୧୯୦ ଓ ଛତ୍ରପୁରରେ ୧୩୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଉତ୍ତର ଉପକୂଳର ଚାନ୍ଦବାଲିରେ ୧୧୯ ଓ ତିହିଡ଼ିରେ ୧୦୦ ମିଲିମିଟର ବର୍ଷା ହୋଇଛି।
କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକରେ ବାତ୍ୟା ମୁକାବିଲା ପାଇଁ ପ୍ରାୟ ୧୨ଟି ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇଥିଲା। ଏଠାରେ ୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବିଡିଓ କୈଳାସ ଚନ୍ଦ୍ର ମହାଳିକଙ୍କ ସୂଚନା ଅନୁସାରେ ପ୍ରଶାସନର ସମସ୍ତ ବିଭାଗ ସମନ୍ୱୟ ରଖି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଅନ୍ୟପଟେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗରରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। କଟକରେ ବର୍ଷା ଯୋଗୁଁ ବାଲିଯାତ୍ରା ପଡ଼ିଆର ସ୍ଥିତି ବେହାଲ ହୋଇଥିବା ବେଳେ ଷ୍ଟଲ୍ ଓ ଦୋଳି ନିର୍ମାଣ କାର୍ଯ୍ୟ ଅଟକି ରହିଛି। ବ୍ରହ୍ମପୁର ସହରର ଗଜପତି ନଗର, ଫାଷ୍ଟ ଗେଟ୍, ଅଶୋକ ନଗର ଓ ଲୁଚାପଡ଼ା ଅଞ୍ଚଳରେ ବର୍ଷାଜଳ ଜମି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ପାଣି ନିଷ୍କାସନ ପାଇଁ ମହାନଗର ନିଗମ ଓ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି।
ଏପଟେ ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଚିଲିକା ଉପକୂଳ ଅଞ୍ଚଳ ଓ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମତ୍ସ୍ୟଜୀବୀଙ୍କ ସହ ମଧ୍ୟ ସୁରକ୍ଷା ଓ ବାତ୍ୟା ସମୟର ସମସ୍ୟା ନେଇ ଆଲୋଚନା କରିଛନ୍ତି।
ତେବେ ବଡ଼ ଆଶ୍ୱସ୍ତିର କଥା ହେଉଛି, ଏଯାଏଁ ରାଜ୍ୟରେ କୌଣସି ବଡ଼ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବାତ୍ୟା ପୂର୍ବରୁ ପ୍ରାୟ ୩.୭ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୪୨୩ଟି ଉଦ୍ଧାରକାରୀ ଟିମ୍ ମୁତୟନ ହୋଇଥିଲେ।
ବାତ୍ୟା ଦୁର୍ବଳ ହୋଇଥିଲେ ମଧ୍ୟ ବର୍ଷାଜନିତ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଆଗାମୀ ୨୪ ଘଣ୍ଟା ଉପରେ ରହିବ ପାଣିପାଗ ବିଭାଗର ନଜର।
