PM Awas:ଭଙ୍ଗା ଘରେ ଚମ୍ପାବତୀ, କେବେ ମିଳିବ ଆବାସ?
ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡ଼ିଛି ପରିବାରର ଆର୍ଥିକ ସ୍ଥିତି। ରହିବାକୁ ନାହିଁ ଖଣ୍ଡିଏ ସୁରକ୍ଷିତ ଘର। ଭଙ୍ଗା ଛାତରୁ ଖସୁଛି କଂକ୍ରିଟ। ଏଭଳି ବିପଦସଙ୍କୁଳ ଘରେ ଦିନ କାଟୁଛନ୍ତି ବିଧବା ଚମ୍ପାବତୀ ବେହେରା। ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଦାବି କରି ଆଗେଇଆସିଛନ୍ତି ଗ୍ରାମବାସୀ।
ବୌଦ୍ଧ: ମୁଣ୍ଡ ଗୁଞ୍ଜିବାକୁ ନାହିଁ ସୁରକ୍ଷିତ ଘର ଖଣ୍ଡିଏ। ଭଙ୍ଗା ଦଦରା ଘରେ ଭୟ ଓ ଆଶଙ୍କା ମଧ୍ୟରେ ବିତୁଛି ଜୀବନ। କେତେବେଳେ ଯେ ଘରର ଛାତ ଭୁଶୁଡ଼ି ପଡ଼ିବ, ସେହି ଚିନ୍ତାରେ ଦିନ କାଟୁଛନ୍ତି ଜଣେ ଅସହାୟ ବିଧବା ମହିଳା। ଏଭଳି ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମର ଚମ୍ପାବତୀ ବେହେରା। ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗିଯାଇଛି ପରିବାରର ଆର୍ଥିକ ମେରୁଦଣ୍ଡ। ଅଭାବ ଅନଟନ ମଧ୍ୟରେ ଘରର ମରାମତି କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରିନାହିଁ। ଫଳରେ ଦିନକୁ ଦିନ ଘରଟିର ଅବସ୍ଥା ଅଧିକ ଶୋଚନୀୟ ହୋଇପଡ଼ିଛି। ଘରର କାନ୍ଥ ଓ ଛାତ ନଷ୍ଟ ହୋଇଯାଇଥିବାବେଳେ ଛାତରୁ ଖସୁଛି କଂକ୍ରିଟ। ବର୍ଷା ହେଉ କି ପବନ, ସବୁବେଳେ ଭୟ ମଧ୍ୟରେ ରହୁଛନ୍ତି ଚମ୍ପାବତୀ। ଯେକୌଣସି ସମୟରେ ଘରଟି ଭୁଶୁଡ଼ି ପଡ଼ିବା ସହ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଛି। ତଥାପି ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେହି ବିପଦସଙ୍କୁଳ ଘରେ ରହିବାକୁ ବାଧ୍ୟ ହେଉଛନ୍ତି ସେ। ଚମ୍ପାବତୀଙ୍କ ଏଭଳି ଦୁରବସ୍ଥା ଦେଖି ସ୍ଥାନୀୟ ଗ୍ରାମବାସୀ ଚିନ୍ତା ପ୍ରକଟ କରିବା ସହ ତାଙ୍କୁ ସରକାରୀ ଆବାସ ଯୋଜନାରେ ଏକ ପକ୍କା ଘର ଯୋଗାଇଦେବାକୁ ଦାବି କରିଛନ୍ତି। ଜଣେ ବିଧବା ଓ ଅସହାୟ ମହିଳାଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।କୌଣସି ଅଘଟଣ ଘଟି ଜୀବନହାନି ହେବା ପୂର୍ବରୁ ହରଭଙ୍ଗା ବ୍ଲକ ପ୍ରଶାସନ ଚମ୍ପାବତୀଙ୍କ ଘରର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଯୋଗ୍ୟତା ଅନୁଯାୟୀ ତାଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି। ଏବେ ସମସ୍ତଙ୍କ ନଜର ବ୍ଲକ ପ୍ରଶାସନର ପଦକ୍ଷେପ ଉପରେ। ଚମ୍ପାବତୀଙ୍କ ଦୁଃଖ କେବେ ଶୁଣିବ ପ୍ରଶାସନ? କେବେ ମିଳିବ ତାଙ୍କୁ ସୁରକ୍ଷିତ ଘର ଖଣ୍ଡିଏ? ତାହାକୁ ଅପେକ୍ଷା କରିଛନ୍ତି ସୁରୁଣ୍ଡି ଗ୍ରାମବାସୀ।
