Bike Taxi Ban:କର୍ଣ୍ଣାଟକରେ ବାଇକ ଟାକ୍ସିକୁ ସୁପ୍ରିମକୋର୍ଟଙ୍କ ଅନୁମତି- ଓଡ଼ିଶାରେ କଅଣ ହେବ?
କର୍ଣ୍ଣାଟକରେ ଜାରି ରହିବ ବାଇକ ଟାକ୍ସି ସେବା। ରାଜ୍ୟ ସରକାରଙ୍କ ଅପିଲକୁ ଖାରଜ କଲେ ସୁପ୍ରିମକୋର୍ଟ। ଏହି ରାୟ ପରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନୀକୁ ବଡ଼ ଆଶ୍ୱସ୍ତି ମିଳିଛି।ଓଡ଼ିଶାରେ ବି ଆପ୍ଭିତ୍ତିକ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ଏବେ ବଡ଼ ବିବାଦ ସୃଷ୍ଟି ହୋଇଛି। ଅନଧିକୃତ ବାଇକ୍ ଟ୍ୟାକ୍ସି ବୁକିଂକୁ ନିଜ ଆପ୍ରେ ବନ୍ଦ କରିବା ପାଇଁ ୧୫ ଦିନର ସମୟ ଦେଇଛି କ୍ରାଇମବ୍ରାଞ୍ଚ।

କର୍ଣ୍ଣାଟକରେ ଜାରି ରହିବ ବାଇକ ଟାକ୍ସି ସେବା। ରାଜ୍ୟ ସରକାରଙ୍କ ଅପିଲକୁ ଖାରଜ କଲେ ସୁପ୍ରିମକୋର୍ଟ। ଏହି ରାୟ ପରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନୀକୁ ବଡ଼ ଆଶ୍ୱସ୍ତି ମିଳିଛି। ଏବେ ସେମାନେ ସରକାରୀ ପରମିଟ୍ ଲାଗି ଆବେଦନ କରିପାରିବେ। ସୁପ୍ରିମକୋର୍ଟ କହିଲେ, ବାଇକ ଟାକ୍ସିକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ବଦଳରେ ଏହାକୁ ଠିକ୍ ଢଙ୍ଗରେ ରେଗୁଲେଟ୍ କରିବା ଉଚିତ ହେବ। ଜାନୁଆରୀ ୨୩ରେ ବାଇକ୍ ଟାକ୍ସିରେ ଲାଗିଥିବା ରୋକ୍ ହଟାଇ ମୋଟରସାଇକେଲକୁ ଟ୍ରାନ୍ସପୋର୍ଟ ବାହନ ଭାବେ ପଞ୍ଜୀକୃତ କରିବା ଓ ପରମିଟ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହାକୁ ରାଜ୍ୟ ସରକାର ଓ ଅଟୋ-ଟାକ୍ସି ସଂଘ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିଥିଲେ। କର୍ଣ୍ଣାଟକରେ ବାଇକ୍ ଟ୍ୟାକ୍ସି ଉପରେ ଲାଗିଥିବା ନିଷେଧକୁ ପୁଣି ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଏହାଦ୍ୱାରା କର୍ଣ୍ଣାଟକରେ ବାଇକ୍ ଟ୍ୟାକ୍ସି ସେବା ଚାଲୁ ରହିବା ପାଇଁ ରାସ୍ତା ସ୍ପଷ୍ଟ ହୋଇଛି। Ola, Uber, Rapido ଭଳି ଆପ୍ଭିତ୍ତିକ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ଚାଲିଥିବା ଆଇନଗତ ବିବାଦରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟଙ୍କ ଦୁଇଜଣିଆ ବେଞ୍ଚ—ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ଓ
ଜଷ୍ଟିସ୍ ଏନ୍. କୋଟିଶ୍ୱର ସିଂହ—କର୍ଣ୍ଣାଟକ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି, ବାଇକ୍ ଟ୍ୟାକ୍ସିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅପେକ୍ଷା ନିୟମ ଓ ସର୍ତ୍ତ ଲଗାଇ ନିୟନ୍ତ୍ରଣ କରିବା ଭଲ। ଶୁଣାଣି ସମୟରେ ବାଇକ୍ ଟ୍ୟାକ୍ସିର ସୁରକ୍ଷା, ସୁଲଭ ଭଡ଼ା ଓ ଯାତ୍ରୀଙ୍କ ସୁବିଧାକୁ ନେଇ କୋର୍ଟ ଗୁରୁତ୍ୱ ଦେଇଥିଲେ। ରାୟ ଘୋଷଣା ସମୟରେ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମା ମୌଖିକ ଭାବେ କହିଥିଲେ:
“Bike taxi is safer for young girls as it has GPS as well. It is better to regulate it than ban it.”
ଅର୍ଥାତ୍, ବାଇକ୍ ଟ୍ୟାକ୍ସିରେ GPS ଭଳି ବ୍ୟବସ୍ଥା ରହିଥିବାରୁ ଯୁବତୀମାନଙ୍କ ପାଇଁ ଏହା ସୁରକ୍ଷିତ ହୋଇପାରେ। ଏହାକୁ ବନ୍ଦ କରିବା ଅପେକ୍ଷା ନିୟମ ଅନୁସାରେ ଚଳାଇବା ଉଚିତ୍।ବିଚାରପତି ନିଜ କାର୍ଯ୍ୟାଳୟରେ କାମ କରୁଥିବା ଯୁବତୀମାନଙ୍କ ଯାତାୟାତ ସମ୍ପର୍କରେ ଏକ ଅନୁଭୂତି ମଧ୍ୟ କହିଥିଲେ। ସେ ପଚାରିଥିଲେ, ସେମାନେ କିପରି ଅଫିସକୁ ଆସନ୍ତି? ଉତ୍ତରରେ ସେମାନେ ବାଇକ୍ ଟ୍ୟାକ୍ସି ବ୍ୟବହାର କରୁଥିବା କହିଥିଲେ, କାରଣ ଅଟୋ ଭଡ଼ା ଅଧିକ ହୋଇଥାଏ। ବିଚାରପତିଙ୍କ ଅନୁସାରେ, ଅଟୋରିକ୍ସା ଭଡ଼ା ବାଇକ୍ ଟ୍ୟାକ୍ସି ଭଡ଼ାଠାରୁ ପ୍ରାୟ ୫ ଗୁଣ ଅଧିକ ହୋଇପାରେ ବୋଲି ସେହି ଯୁବତୀମାନେ କହିଥିଲେ। କର୍ଣ୍ଣାଟକ ହାଇକୋର୍ଟର ଜଣେ ସିଙ୍ଗଲ୍ ଜଜ୍ ଏପ୍ରିଲ ୨୦୨୫ରେ ରାୟ ଦେଇଥିଲେ ଯେ, ରାଜ୍ୟ ସରକାର ବାଇକ୍ ଟ୍ୟାକ୍ସି ପାଇଁ ଆବଶ୍ୟକ ଗାଇଡଲାଇନ୍ ଓ ନିୟମ ଜାରି ନକରିବା ପର୍ଯ୍ୟନ୍ତ Ola,Uber,Rapido ଭଳି ଆଗ୍ରିଗେଟର୍ମାନେ ବାଇକ୍ ଟ୍ୟାକ୍ସି ସେବା ଚଳାଇପାରିବେ ନାହିଁ।ଏହି ରାୟରେ ରାଜ୍ୟ ସରକାରଙ୍କୁ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାଇକୋର୍ଟ ନିର୍ଦ୍ଦେଶ ପରେ ଜୁନ୍ ୧୬ରେ କର୍ଣ୍ଣାଟକରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ ହୋଇଥିଲା। ଏହା ଫଳରେ Bengaluru ସମେତ ରାଜ୍ୟର ଅନେକ ସହରରେ
Ola,Uberଓ Rapidoମାଧ୍ୟମରେ ଚାଲୁଥିବା ବାଇକ୍ ଟ୍ୟାକ୍ସି ସେବା ପ୍ରଭାବିତ ହୋଇଥିଲା। ଜାନୁଆରୀ ୨୩, ୨୦୨୬ରେ କର୍ଣ୍ଣାଟକ ହାଇକୋର୍ଟର ଡିଭିଜନ ବେଞ୍ଚ୍ ନିଷେଧ ହଟାଇଲେ। ବାଇକ୍ ଟ୍ୟାକ୍ସି ଆଗ୍ରିଗେଟର୍, ମାଲିକ ଓ ସଂଘମାନେ ସିଙ୍ଗଲ୍ ଜଜ୍ଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ। ଜାନୁଆରୀ ୨୩, ୨୦୨୬ରେ ଏହି ଆବେଦନଗୁଡ଼ିକୁ ଗ୍ରହଣ କରି ବାଇକ୍ ଟ୍ୟାକ୍ସି ଉପରେ ଲାଗିଥିବା ନିଷେଧକୁ ହଟାଇଥିଲେ। ହାଇକୋର୍ଟ କହିଥିଲେ: ମୋଟରସାଇକେଲ୍କୁ Transport Vehicle ଭାବେ ପଞ୍ଜୀକରଣ କରିବା ପାଇଁ ଆବେଦନ କରାଯାଇପାରିବ
।ମୋଟରସାଇକେଲ୍କୁ Contract Carriage ଭାବେ ଚଳାଇବା ପାଇଁ ଅନୁମତି ମାଗିପାରିବେ। କେବଳ ମୋଟରସାଇକେଲ୍ ଦୁଇଚକିଆ ହୋଇଥିବା କାରଣରୁ ପରମିଟ୍ଦେ ବାକୁ ମନା କରାଯାଇପାରିବ ନାହିଁ। ରାଜ୍ୟ ସରକାର ଆଇନ ଅନୁଯାୟୀ ଆବଶ୍ୟକ ସର୍ତ୍ତ ଲଗାଇପାରିବେ। ଆଗ୍ରିଗେଟର୍ମାନେ ମଧ୍ୟ ନୂଆ ଆବେଦନ କରିପାରିବେ। ହାଇକୋର୍ଟଙ୍କ ରାୟ ପରେ କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ। ସରକାର ବାଇକ୍ ଟ୍ୟାକ୍ସି ସେବା ଉପରେ ନିଷେଧକୁ ପୁଣି ଲାଗୁ କରିବାକୁ ଚାହୁଁଥିଲେ। ରାଜ୍ୟ ସରକାରଙ୍କ ମୁଖ୍ୟ ଯୁକ୍ତିଗୁଡ଼ିକ ଥିଲା:ବାଇକ୍ ଟ୍ୟାକ୍ସିରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ନିୟମ ଓ ବ୍ୟବସ୍ଥା ନାହିଁ। ଯାତ୍ରୀଙ୍କ ପାଇଁ ଆବଶ୍ୟକ ବୀମା ସୁରକ୍ଷା ଓ ଦାୟିତ୍ୱ ସ୍ପଷ୍ଟ ହେବା ଆବଶ୍ୟକ। ମୋଟରସାଇକେଲ୍ ଓ ମୋଟର କ୍ୟାବ୍ ଆଇନରେ ଭିନ୍ନ ଭାବରେ ପରିଭାଷିତ ହୋଇଛି। ରାଜ୍ୟର ଆଗ୍ରିଗେଟର୍ ନିୟମରେ ବାଇକ୍ ଟ୍ୟାକ୍ସିକୁ ସ୍ପଷ୍ଟ ଭାବରେ ଅନ୍ତର୍ଭୁକ୍ତ କରାଯାଇନଥିବା ସରକାର କହିଥିଲେ।ବାଇକ୍ ଟ୍ୟାକ୍ସି ଯୋଗୁଁ ଟ୍ରାଫିକ୍ ଓ ପରିବହନ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିପାରେ ବୋଲି ସରକାର ଯୁକ୍ତି ରଖିଥିଲେ। ସରକାର ଏହା ମଧ୍ୟ କହିଥିଲେ ଯେ, ରାଜ୍ୟର ଅନ୍ୟ ଅଞ୍ଚଳରେ ବାଇକ୍ ଟ୍ୟାକ୍ସିକୁ ବିଚାର କରିପାରିବେ, କିନ୍ତୁ Bengaluruରେ ଏହାକୁ ଅନୁମତି ଦେବା ନେଇ ସରକାରଙ୍କ ଆପତ୍ତି ରହିଛି। Ola,Uber,Rapido ଓ ବାଇକ୍ ଟ୍ୟାକ୍ସି ସଂଘମାନେ ସୁପ୍ରିମକୋର୍ଟରେ ହାଇକୋର୍ଟର ରାୟକୁ ସମର୍ଥନ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା-ବାଇକ୍ ଟ୍ୟାକ୍ସି ଲକ୍ଷ ଲକ୍ଷ ଯାତ୍ରୀଙ୍କୁ
ସୁଲଭ ଯାତାୟାତ ସୁବିଧା ଦେଉଛି। ପ୍ରାୟ ୪.୫ ଲକ୍ଷ ଯାତ୍ରୀ କର୍ଣ୍ଣାଟକରେ ବାଇକ୍ ଟ୍ୟାକ୍ସି ସେବାରୁ ଲାଭ ପାଉଛନ୍ତି ବୋଲି ଆଗ୍ରିଗେଟର୍ମାନେ କୋର୍ଟରେ ଦାବି କରିଥିଲେ। Motor Vehicles Act ଅନୁଯାୟୀ ମୋଟରସାଇକେଲ୍କୁ TransportVehicle ଭାବେ ପଞ୍ଜୀକରଣ କରିବାର ଆଇନଗତ ସୁଯୋଗ ରହିଛି। ସରକାର ନିୟମ ଲଗାଇପାରିବେ, କିନ୍ତୁ ସମ୍ପୂର୍ଣ୍ଣ ନିଷେଧ କରିବା ଉଚିତ୍ ନୁହେଁ। ବାଇକ୍ ଟ୍ୟାକ୍ସି ହଜାର ହଜାର ଡ୍ରାଇଭରଙ୍କ ରୋଜଗାରର ମାଧ୍ୟମ।କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ମୋଟରସାଇକେଲ୍କୁ ଟ୍ୟାକ୍ସି ଭାବେ ବ୍ୟବହାର କରିବା ସମ୍ପର୍କରେ କେନ୍ଦ୍ରୀୟ ନୋଟିଫିକେସନ୍ ଥିବା କଥା ଉଲ୍ଲେଖ ହୋଇଥିଲା।କର୍ଣ୍ଣାଟକର ପାଞ୍ଚଟି ଅଟୋ ଓ ଟ୍ୟାକ୍ସି ଡ୍ରାଇଭର ସଂଘ ମଧ୍ୟ ହାଇକୋର୍ଟର ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା ଯେ, ବାଇକ୍ ଟ୍ୟାକ୍ସିକୁ ସମାନ ନିୟମ, ଦାୟିତ୍ୱ ଓ ସୁରକ୍ଷା ବ୍ୟବସ୍ଥା ବିନା ଅନୁମତି ଦିଆଗଲେ
ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିବ। ସେମାନେ ଯୁକ୍ତି ରଖିଥିଲେ ଯେ, ବାଇକ୍ ଟ୍ୟାକ୍ସି ଚାଳକଙ୍କୁ ମଧ୍ୟ ପରିବହନ ନିୟମ, ବୀମା, ସୁରକ୍ଷା ଓ ଅନ୍ୟ ଆବଶ୍ୟକ ନିୟମ ଅନୁସାରେ ଚଳାଇବା ଉଚିତ୍। କିନ୍ତୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଆବେଦନ ସହିତ ଏହି ସଂଘଗୁଡ଼ିକର ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।
ଓଡ଼ିଶାରେ ବି ଆପ୍ଭିତ୍ତିକ ବାଇକ୍ ଟ୍ୟାକ୍ସି ସେବାକୁ ନେଇ ଏବେ ବଡ଼ ବିବାଦ ସୃଷ୍ଟି ହୋଇଛି। ରାଜ୍ୟ କ୍ରାଇମବ୍ରାଞ୍ଚ Uber ଓ Rapidoକୁ ଘରୋଇ ନମ୍ବର ପ୍ଲେଟ୍ରେ ଚାଲୁଥିବା ବାଇକ୍କୁ ଯାତ୍ରୀ ପରିବହନରେ ବ୍ୟବହାର କରିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ୧୦ ନଭେମ୍ବର ୨୦୨୬ରେ ଜାରି ଚିଠି ଅନୁସାରେ, Uber ଓ Rapidoକୁ
ଏହି ଅନଧିକୃତ ବାଇକ୍ ଟ୍ୟାକ୍ସି ବୁକିଂକୁ ନିଜ ଆପ୍ରେ ବନ୍ଦ କରିବା ପାଇଁ ୧୫ ଦିନର ସମୟ ଦିଆଯାଇଛି। ଏହା ପରେ କମ୍ପାନୀଗୁଡ଼ିକୁ କ୍ରାଇମବ୍ରାଞ୍ଚ
ଓ State Transport Authority (STA)କୁ Compliance Report ଦେବାକୁ କୁହାଯାଇଛି। କଟକ, ଭୁବନେଶ୍ୱର-I ଓ ଭୁବନେଶ୍ୱର-II RTO ପକ୍ଷରୁ ଦାଖଲ କରାଯାଇଥିବା ବିଶେଷ Enforcement Report
ଆଧାରରେ କ୍ରାଇମବ୍ରାଞ୍ଚ ଏହି ପଦକ୍ଷେପ ନେଇଛି। RTO ରିପୋର୍ଟରେ ଅଭିଯୋଗ କରାଯାଇଥିଲା ଯେ, ଘରୋଇ ଭାବେ ପଞ୍ଜୀକୃତ ଦୁଇଚକିଆ ଯାନକୁ App-based platform ମାଧ୍ୟମରେ ଭଡ଼ାରେ ଯାତ୍ରୀ ପରିବହନ କରିବା ପାଇଁ ବ୍ୟବହାର କରାଯାଉଛି।କ୍ରାଇମବ୍ରାଞ୍ଚ ଅନୁସାରେ, ଏହା Motor Vehicles Act,1988 ଓ Odisha On-demand Transportation Technology Aggregators Guidelines,2023ର ନିୟମ ସହ ସମ୍ପୃକ୍ତ। ଘରୋଇ ଭାବେ ପଞ୍ଜୀକୃତ ବାଇକ୍କୁ ଯାତ୍ରୀଙ୍କଠାରୁ ଭଡ଼ା ନେଇ Commercial Passenger Transport ପାଇଁ
ବ୍ୟବହାର କରିବା ଉପରେ ନିର୍ଦ୍ଦେଶ ରହିଛି। କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ଯେ, ନିର୍ଦ୍ଦେଶଟି Private / Non-Transport two-wheelers ମାଧ୍ୟମରେ ଚାଲୁଥିବା ବାଇକ୍ ଟ୍ୟାକ୍ସି ଉପରେ ଲାଗୁ ହେବ। Uber ଓ Rapidoର Car ଓ
Auto booking ସେବା ଏହି ନିର୍ଦ୍ଦେଶ ଯୋଗୁଁ ବନ୍ଦ ହେବ ନାହିଁ। କ୍ରାଇମବ୍ରାଞ୍ଚ ଦୁଇ କମ୍ପାନୀ ଉବର ଓ ରାପିଡୋର Nodal Officerଙ୍କୁ ଚିଠି ଲେଖିଛି। ଓଡ଼ିଶାରେ Private / Non-Transport bike taxi bookingକୁ ବନ୍ଦ କରିବା।
Geo-fencing କିମ୍ବା ଅନ୍ୟ Technical System ମାଧ୍ୟମରେ ଅନଧିକୃତ bookingକୁ ରୋକିବା।୧୫ ଦିନ ମଧ୍ୟରେ ନିର୍ଦ୍ଦେଶ ପାଳନ କରିବା। କେବେ ସେବା ବନ୍ଦ କରାଗଲା ଏବଂ କେଉଁ Technical Measures ନିଆଗଲା, ସେ ସମ୍ପର୍କରେ
Compliance Report ଦେବା। ନିର୍ଦ୍ଦେଶ ପାଳନ ନକଲେ STA ଓ ଅନ୍ୟ ଅଧିକାରୀଙ୍କ ସହଯୋଗରେ ଆଇନଗତ ପଦକ୍ଷେପ ନିଆଯିବ। କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶ ପରେ ରାଜ୍ୟରେ ବାଇକ୍ ଟ୍ୟାକ୍ସି ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଦ୍ୱନ୍ଦ୍ୱ ମଧ୍ୟରେ Transport Commissioner ସ୍ପଷ୍ଟ କରିଥିଲେ ଯେ, ଓଡ଼ିଶାରେ ସମସ୍ତ Bike Taxi ସେବା ଉପରେ Blanket Ban
ଲାଗିନାହିଁ। ମୁଖ୍ୟ କଟକଣା ହେଉଛି Private White-Plate ବାଇକ୍କୁ Commercial Passenger Transportରେ ବ୍ୟବହାର କରିବା ଉପରେ। ଅର୍ଥାତ୍, ଆଇନଗତ ଭାବେ Transport Categoryରେ ପଞ୍ଜୀକୃତ ଓ ଆବଶ୍ୟକ ଅନୁମତି ଥିବା ଯାନ ଏବଂ Private Vehicle ମଧ୍ୟରେ ପାର୍ଥକ୍ୟ ରହିଛି।
ସେପଟେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଘରୋଇ ମୋଟରସାଇକେଲ୍ ଓ ସ୍କୁଟରକୁ ଆପ୍ଭିତ୍ତିକ BikeTaxi ସେବାରେ
ବ୍ୟବହାର କରିବାକୁ ରାଜ୍ୟଗୁଡ଼ିକ ଅନୁମତି ଦେବା ଉଚିତ୍ ବୋଲି ମତ ରଖିଥିଲେ। ତାଙ୍କ ମତରେ: Bike Taxi ମାଧ୍ୟମରେ ଲୋକଙ୍କୁ ସୁଲଭ ଯାତାୟାତ ସୁବିଧା ମିଳିପାରିବ। ଯୁବକ ଓ ଯୁବତୀଙ୍କ ପାଇଁ ଅତିରିକ୍ତ ରୋଜଗାରର ସୁଯୋଗ ସୃଷ୍ଟି ହୋଇପାରିବ। Private Two-wheelersକୁ Aggregator Platform ସହ ଯୋଡ଼ିବା ପାଇଁ ରାଜ୍ୟଗୁଡ଼ିକ ନିୟମ ଅନୁସାରେ ସୁଯୋଗ ଦେଇପାରିବେ। କିନ୍ତୁ ଏହା କେନ୍ଦ୍ରର ମତ ଓ ନିୟାମକ ଗାଇଡଲାଇନ୍ ସମ୍ପର୍କିତ। ରାଜ୍ୟରେ ସେବା ଚାଲିବା ପାଇଁ ରାଜ୍ୟ ସରକାରଙ୍କ ନିୟମ ଓ ଅନୁମତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
