ASHA-Worker-Humanity: ବାତ୍ୟାରେ ବୃଦ୍ଧାଙ୍କୁ କାନ୍ଧରେ ବୋହି ନେଲେ ଆଶା ଦିଦି
ଚାରିଆଡ଼େ ବାତ୍ୟାର ଭୟ, ସୁରକ୍ଷିତ ଆଶ୍ରୟ ଖୋଜୁଥିଲେ ଲୋକେ। ହେଲେ ଜଣେ ଅସହାୟ ବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଲେ ଆଶା ଦିଦି ବନିତା। ନିଜ କାନ୍ଧରେ ବୋହି ନେଇଗଲେ ସୁରକ୍ଷିତ ସ୍ଥାନକୁ, ମାନବିକତାର ନିଦର୍ଶନ ଦେଇ ଜିତିଲେ ସଭିଙ୍କ ହୃଦୟ।
ପୁରୀ :ବାତ୍ୟା ଅକ୍ୱାନର ଭୟ ଭିତରେ ଦେଖିବାକୁ ମିଳିଛି ମାନବିକତାର ଏକ ନିଆରା ଚିତ୍ର। ନିଜ ଜୀବନକୁ ନେଇ ସମସ୍ତେ ଚିନ୍ତିତ ଥିବାବେଳେ ଜଣେ ଅସହାୟ ବୃଦ୍ଧାଙ୍କ ପାଇଁ ସାହାରା ସାଜିଛନ୍ତି ଆଶା ଦିଦି। ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ଭାବେ ଘରକୁ ନେଇଛନ୍ତି। ଏଭଳି ମହାନ କାର୍ଯ୍ୟ କରିଥିବା ଆଶା ଦିଦି ହେଉଛନ୍ତି ବନିତା ବେହେରା।ପୁରୀ ଭଟ୍ଟ ଜାଗା ତ୍ରୀଦେବ ନଗରରେ ଦେଖିବାକୁ ମିଳିଛି ଏହି ହୃଦୟସ୍ପର୍ଶୀ ଦୃଶ୍ୟ। ବାତ୍ୟା ଅକ୍ୱାନକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ସୁରକ୍ଷିତ ସ୍ଥାନକୁ ଯାଉଥିବାବେଳେ ଜଣେ ବେସାହାରା ବୃଦ୍ଧା ଘରେ ଏକା ରହିଯାଇଥିଲେ। ବୟସାଧିକ କାରଣରୁ ସେ ଚାଲିବାକୁ ଅକ୍ଷମ ଥିଲେ। ତାଙ୍କୁ ଉଦ୍ଧାର କରିବାକୁ ମଧ୍ୟ ପାଖରେ କେହି ନଥିଲେ। ଏଭଳି ସମୟରେ ବୃଦ୍ଧାଙ୍କ ପାଖରେ ପହଞ୍ଚିଥିଲେ ବନିତା। ଘର ଭିତରୁ ତାଙ୍କୁ ନିଜ କାନ୍ଧରେ ଟେକି ବାହାରକୁ ଆଣିବା ସହ ନିଜ ଘରକୁ ନେଇଥିଲେ। କାରଣ ସେହି ଅଞ୍ଚଳରେ ନା ଥିଲା କୌଣସି କ୍ଲବ ଘର, ନା ଥିଲା ବାତ୍ୟା ଆଶ୍ରୟସ୍ଥଳୀ। ତେଣୁ ବୃଦ୍ଧାଙ୍କୁ ନିଜ ଘରେ ଆଶ୍ରୟ ଦେଇ ସୁରକ୍ଷିତ ରଖିଛନ୍ତି ବନିତା। ବାତ୍ୟାର ବିପଦ ସମୟରେ ବନିତା ବେହେରାଙ୍କ ଏହି ମାନବିକତା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ସତରେ, ବିପଦ ବେଳେ ମଣିଷ ପାଇଁ ମଣିଷ ହିଁ ସବୁଠୁ ବଡ଼ ସାହାରା ହେଇପାରେ ବୋଲି ପ୍ରମାଣ ଦେଇଛନ୍ତି ବନିତା ବେହେରା।
