ଦିଲ୍ଲୀରେ ବିଜୟ ସରକାରଙ୍କ ପ୍ରତିନିଧି ସାଜିଲେ ଫିଲ୍ମ ପ୍ରଡ୍ୟୁସର
ଜଣେ ଫିଲ୍ମ ନିର୍ମାତାଙ୍କୁ ଏତେ ମହତ୍ତ୍ୱପୂର୍ଣ୍ଣ ପ୍ରଶାସନିକ ପଦରେ ବସାଇବା ଅନୁଚିତ। ସ୍ୱତନ୍ତ୍ର ପ୍ରତିନିଧି ପଦ ତାମିଲନାଡ଼ୁ ସରକାର ଓ କେନ୍ଦ୍ର ସରକାରଙ୍କ ଭିତରେ ସମନ୍ୱୟ ରଖିବାର ପ୍ରମୁଖ ପଦ।ଏଭଳି ନିଷ୍ପତ୍ତି ଦିଲ୍ଲୀରେ ତାମିଲନାଡ଼ୁ ରାଜ୍ୟକୁ ଉପହାସର ପାତ୍ର ସଜାଇଦେବ। ତେବେ ଏ ବାବଦରେ ସିଏମଓରୁ କୌଣସି ସ୍ପଷ୍ଟିକରଣ ଆସିନି।

ଦିଲ୍ଲୀରେ ବିଜୟ ସରକାରଙ୍କ ତାମିଲନାଡ଼ୁର ସ୍ୱତନ୍ତ୍ର ପ୍ରତିନିଧି ସାଜିଲେ ଭେଙ୍କଟ ନାରାୟଣ। ଭେଙ୍କଟ ନାରାୟଣ ହେଉଛନ୍ତି ଫିଲ୍ମ ନିର୍ମାତା। ଶୁକ୍ରବାର ତାମିଲନାଡୁ ସରକାର ଏକ ଅଧିକାରିକ ଆଦେଶ ଜାରି କରିଛନ୍ତି। ଭେଙ୍କଟ ବର୍ଷେ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଏହି ପଦରେ ରହିବେ। ହେଲେ ଭେଙ୍କଟଙ୍କ ଚୟନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି ହୋଇଛି। ଭେଙ୍କଟ ଟିଭିକେ ମୁଖ୍ୟ ତଥା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କ ଖାସ୍ ବୋଲି ପରିଚିତ। ତାମିଲ ଫିଲ୍ମ ଉଦ୍ୟୋଗରେ ତାଙ୍କ ବ୍ୟାନର କେବିଏନ ପ୍ରଡକ୍ସନ ନାଁରେ ବେଶ୍ ପ୍ରସିଦ୍ଧ। ମୁଖ୍ୟମନ୍ତ୍ରୀ ବିଜୟଙ୍କ ବହୁ ପ୍ରତୀକ୍ଷିତ ତଥା ଆଗାମୀ ରାଜନୈତିକ ଡ୍ରାମା ଫିଲ୍ମ ଜନନାୟକନର ମୁଖ୍ୟ ପ୍ରଯୋଜକ ଅଟନ୍ତି ଭେଙ୍କଟ। ଏହି ଫିଲ୍ମର ନିର୍ଦେଶନା ଏଚ.ବିନୋଥ କରିଛନ୍ତି। CBFC ସାର୍ଟିଫିକେଟ ମିଳିବାରେ ବିଳମ୍ୱ, ରିଲିଜ ପୂର୍ବରୁ ଏହାର ହାଇ-କ୍ୱାଲିଟି ଭର୍ଜନ ଅନଲାଇନ ଲିକ୍ ହେବା କାରଣରୁ ଲଗାତାର ବିବାଦରେ ରହିଆସିଛି। ଯେବେ ଚଳିତ ବର୍ଷ ସରକାର ଗଠନ ଦାବି କରିବାକୁ ରାଜ୍ୟପାଳ ଆର.ବି.ଆର୍ଲେକରଙ୍କ ପାଖରେ ଲୋକଭବନ ଯାଇଥିଲେ ବିଜୟ। ବିଜୟଙ୍କ ସହ ନାରାୟଣ ବି ସାଙ୍ଗରେ ଲୋକଭବନ ଯାଇଥିଲେ। ଏହି ନିଯୁକ୍ତିକୁ ନେଇ ସରକାରଙ୍କ ପରିବାରବାଦ ଓ ପ୍ରଶାସନିକ ଅପରିପକ୍ୱତାକୁ ଟାର୍ଗେଟ କରିଛି ବିରୋଧୀ ଦଳ ଡିଏମକେ। ଡିଏମକେ ରାଜ୍ୟସଭା ସାଂସଦ ପି ଓ୍ୱିଲସନ କହିଛନ୍ତି, ଜଣେ ଫିଲ୍ମ ନିର୍ମାତାଙ୍କୁ ଏତେ ମହତ୍ତ୍ୱପୂର୍ଣ୍ଣ ପ୍ରଶାସନିକ ପଦରେ ବସାଇବା ଅନୁଚିତ। ସ୍ୱତନ୍ତ୍ର ପ୍ରତିନିଧି ପଦ ତାମିଲନାଡ଼ୁ ସରକାର ଓ କେନ୍ଦ୍ର ସରକାରଙ୍କ ଭିତରେ ସମନ୍ୱୟ ରଖିବାର ପ୍ରମୁଖ ପଦ। ଏହି ପଦରେ କାମ କରୁଥିବା ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କ ସହ ସମନ୍ୱୟ ରଖିବା, ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବୈଠକର ବ୍ୟବସ୍ଥା କରିବା, ରାଜ୍ୟକୁ ପ୍ରଭାବିତ କରୁଥିବା କେନ୍ଦ୍ରୀୟ ନୀତି ବାବଦରେ ଅବଗତ କରାଇବା, ସଂସଦ ଅଧିବେଶନ ବେଳେ ତାମିଲନାଡୁ ସାଂସଦଙ୍କୁ ଅଧିକୃତ ତଥ୍ୟ ଦେବାରେ ସହାୟତା ଦେବା ଆଦି ପ୍ରମୁଖ କାମ ଥାଏ। ସରକାର ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିଯୁକ୍ତି କରିବାର ଅଧିକାର ଅଛି ସତ। କିନ୍ତୁ ଏହି ନିଯୁକ୍ତି ରାଜ୍ୟର ପ୍ରଶାସନିକ ହିତକୁ ଧ୍ୟାନ ଦେଇ କରିବା ଦରକାର। ଜଣେ ଫିଲ୍ମ ନିର୍ମାତାଙ୍କୁ ଏ ପଦରେ ନିଯୁକ୍ତି ଦେଇ ପଦର ଗାରିମାକୁ ଛୋଟ କରାଯାଇଛି। ଏଭଳି ନିଷ୍ପତ୍ତି ଦିଲ୍ଲୀରେ ତାମିଲନାଡ଼ୁ ରାଜ୍ୟକୁ ଉପହାସର ପାତ୍ର ସଜାଇଦେବ। ତେବେ ଏ ବାବଦରେ ସିଏମଓରୁ କୌଣସି ସ୍ପଷ୍ଟିକରଣ ଆସିନି।
