BJP-Akali Alliance In Punjab:ଏନଡିଏକୁ ଫେରିଲା ପୁରୁଣା ସାଥୀ
୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ବିଜେପି ପ୍ରାୟ ୪୮ରୁ ୫୫ ସିଟରେ ଲଢିପାରେ ଓ ବାକି ଆସନରେ ଅକାଳୀ ଦଳ ଲଢ଼ିପାରେ ବୋଲି ସମ୍ଭାବ୍ୟ ଫର୍ମୁଲାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ୨୦୨୦ରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଏନଡିଏରୁ ଓହରିଯାଇଥିଲା ଶିରୋମଣି ଅକାଳୀ ଦଳ।

ଏନଡିଏକୁ ଫେରିଲା ପୁରୁଣା ସାଥୀ। ୬ ବର୍ଷ ପରେ ଏନଡିଏକୁ ଫେରିଲା ଶିରୋମଣି ଅକାଳୀ ଦଳ। କେବଳ ଫେରିନି। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟ କରି ଲଢ଼ିବ ବୋଲି ନେଲା ବଡ଼ ନିଷ୍ପତ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ସୁଖବୀର ସିଂ ବାଦଲ ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଉପସ୍ଥିତିରେ ଏହି ମେଣ୍ଟ ଘୋଷଣା କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ମିଶିକି ଲଢ଼ିବେ। ବୈଠକ ଓ ପ୍ରେସମିଟରେ ପଞ୍ଜାବ ବିଜେପି ଅଧ୍ୟକ୍ଷ କେଓ୍ୱଲ ସିଂ ଢିଲୋ, ସୁନୀଲ
ଝାକଡ଼ ଓ ଅଶ୍ୱିନୀ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ୧୧୭ ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ବିଜେପି ପ୍ରାୟ ୪୮ରୁ ୫୫ ସିଟରେ ଲଢିପାରେ ଓ ବାକି ଆସନରେ ଅକାଳୀ ଦଳ ଲଢ଼ିପାରେ ବୋଲି ସମ୍ଭାବ୍ୟ ଫର୍ମୁଲାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ୨୦୨୦ରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଏନଡିଏରୁ ଓହରିଯାଇଥିଲା ଶିରୋମଣି ଅକାଳୀ ଦଳ। ପଞ୍ଜାବ ରାଜନୀତିରେ ଏହା ଏକ ବଡ଼ ରାଜନୈତିକ ଘଟଣା। ୬ ବର୍ଷର ବ୍ୟବଧାନ ପରେ ପୁଣି ଥରେ BJP ଓ Shiromani Akali Dal
(SAD)ମଧ୍ୟରେ ମେଣ୍ଟ ହୋଇଛି। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନକୁ ନଜରରେ ରଖି ଉଭୟ ଦଳ ଏକାଠି ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ମେଣ୍ଟ ଘୋଷଣା ସମୟରେ ଅମିତ ଶାହ Shiromani Akali Dalକୁ NDAର ଏକ ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି କହିଛନ୍ତି। ସେ କହିଥିବା ଅନୁସାରେ, ଆଜିଠାରୁ SADପୁଣି NDAର ଆଧିକାରିକ ସହଯୋଗୀ ଭାବେ କାମ କରିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ SADନେତାଙ୍କ ସହ ଫୋନରେ କଥା ହୋଇ ଏହି ମେଣ୍ଟକୁ ସ୍ୱାଗତ କରିଥିବା ଅମିତ ଶାହ କହିଛନ୍ତି। ମେଣ୍ଟରେ ପଞ୍ଜାବରେ ଅକାଳୀ ଦଳକୁ ବଡ଼ ଭୂମିକା ଦିଆଯିବ ବୋଲି ଅମିତ ଶାହଙ୍କ ଘୋଷଣାରୁ ସଙ୍କେତ ମିଳିଛି। ମେଣ୍ଟରେ
ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶାହଙ୍କ ମତ ଥିଲା ଯେ ବଡ଼ ଭାଇ ଦଳ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇବ। ଏହା SADର ନେତୃତ୍ୱକୁ ପଞ୍ଜାବରେ ଅଧିକ ଗୁରୁତ୍ୱ ଦେବାର ସଙ୍କେତ। ବିଜେପି ଓ ଅକାଳୀ ଦଳ ଦୀର୍ଘ ପ୍ରାୟ ୨୪ ବର୍ଷ ଧରି ମେଣ୍ଟରେ ରହିଥିଲେ। କିନ୍ତୁ ୨୦୨୦ରେ କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନକୁ ନେଇ ଉଭୟ ଦଳର ସମ୍ପର୍କ ଭାଙ୍ଗିଥିଲା। ସେହି ସମୟରେ ପଞ୍ଜାବ, ହରିୟାଣା ସମେତ ଦେଶର ବିଭିନ୍ନ ଅଞ୍ଚଳରେ କୃଷକମାନେ ଏହି ଆଇନକୁ ବିରୋଧ କରି ବଡ଼ ଆନ୍ଦୋଳନ କରିଥିଲେ। କୃଷକଙ୍କ ଆନ୍ଦୋଳନ ଓ ଅସନ୍ତୋଷକୁ ନଜରରେ ରଖି NDAରୁ ବାହାରିବାକୁ ନିଷ୍ପତ୍ତି ନେଇଥିଲା ଅକାଳୀ ଦଳ। ୧୭ ସେପ୍ଟେମ୍ବର ୨୦୨୦ରେ ହରସମିତ କୌର ବାଦଲ କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଥିଲେ।୨୬ ସେପ୍ଟେମ୍ବର ୨୦୨୦ରେ ଏନଡିଏ ଛାଡ଼ିଥିଲା ଅକାଳୀ ଦଳ। ୧୯ ନଭେମ୍ବର ୨୦୨୧ରେ ଗୁରୁପର୍ବ ଅବସରରେ ପ୍ରଧାନମନ୍ତ୍ରୀ ୩ଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। BJP ଓ SAD ୧୯୯୬ରୁ ୨୦୨୦ ପର୍ଯ୍ୟନ୍ତ ମେଣ୍ଟରେ ରହିଥିଲେ। ୧୯୯୭ ପଞ୍ଜାବ ନିର୍ବାଚନ ପୂର୍ବରୁ ଏହି ମେଣ୍ଟ ମଜବୁତ ହୋଇଥିଲା। BJP ୨୩ଟି ବିଧାନସଭା ଆସନରେ ଲଢ଼ୁଥିଲା ଓ SAD ୯୪ଟି ଆସନରେ ନିର୍ବାଚନ ଲଢ଼ୁଥିଲା।୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ଉଭୟ ଦଳ ମିଶି
ପଞ୍ଜାବରେ ସରକାର ଚଳାଇଥିଲେ। ପ୍ରକାଶ ସିଂ ବାଦଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିଲେ।ମେଣ୍ଟ ଭାଙ୍ଗିବା ପରେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ିଥିଲେ। ଏହି ନିର୍ବାଚନରେ AAPବଡ଼ ବିଜୟ ହାସଲ କରି ଅର୍ଥାତ ୯୨ ଆସନ ଦଖଲ କରି ସରକାର ଗଠନ କରିଥିଲା। SAD ଓ BJP ଉଭୟଙ୍କ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିଲା। ଅକାଳୀ ଦଳ ମାତ୍ର ୩ଟି ଆସନ ପାଇଥିଲା ବେଳେ ବିଜେପି ମାତ୍ର ୨ଟି ଆସନରେ ହାମୁଡ଼େଇପଡ଼ିଥିଲା। ଏବେ ଏହି ମେଣ୍ଟ ପଞ୍ଜାବର ରାଜନୈତିକ ସମୀକରଣକୁ ବଦଳାଇପାରେ। କାରଣ ଗ୍ରାମାଞ୍ଚଳ ଭୋଟରଙ୍କ
ଉପରେ ଅକାଳୀ ଦଳର ପ୍ରଭାବ ଥିଲା ବେଳେ ସହରୀ ଭୋଟରଙ୍କ ଉପରେ ବିଜେପିର ପ୍ରଭାବ ରହିଛି। SADର ପଞ୍ଜାବରେ ପାରମ୍ପରିକ କୃଷକ ଓ ଗ୍ରାମାଞ୍ଚଳରେ ରାଜନୈତିକ ଆଧାର ରହିଛି। ସେପଟେ BJP ସହର ଓ କିଛି ଅଞ୍ଚଳରେ ନିଜର ଭୋଟ ବ୍ଯାଙ୍କକୁ ମେଣ୍ଟ ମାଧ୍ୟମରେ ମଜବୁତ କରିବାକୁ ଚାହୁଁଛି। ଶାସକ ଆପ୍ ଓ କଂଗ୍ରେସ ବିରୁଦ୍ଧରେ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବା ଉଭୟ ଦଳର ରାଜନୈତିକ ଲକ୍ଷ୍ୟ। ପଞ୍ଜାବରେ ନିଶା ଦ୍ରବ୍ୟ ସମସ୍ୟା, ଆଇନ-ଶୃଙ୍ଖଳା, ଚାଷୀ ସମସ୍ୟା ଓ ରାଜ୍ୟର ବିକାଶ ମେଣ୍ଟର ପ୍ରମୁଖ ପ୍ରସଙ୍ଗ ହୋଇପାରେ।ମେଣ୍ଟ ଘୋଷଣା ସମୟରେ ଉଭୟ ବିଜେପି ଓ ଅକାଳୀ ପକ୍ଷରୁ ପଞ୍ଜାବକୁ ୨୦୨୯ ସୁଦ୍ଧା ନିଶାମୁକ୍ତ କରିବାର ଲକ୍ଷ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି। ପଞ୍ଜାବରେ ନିଶା ସମସ୍ୟା ଦୀର୍ଘଦିନ ଧରି ଏକ ବଡ଼ ସାମାଜିକ ଓ ରାଜନୈତିକ ପ୍ରସଙ୍ଗ ରହିଆସିଛି। ୬ ବର୍ଷ ପରେ BJP ଓ SADର ପୁନଃମିଳନ କେବଳ ଦୁଇ ଦଳର ମେଣ୍ଟ ନୁହେଁ, ଏହା ପଞ୍ଜାବରେ NDAର ରାଜନୈତିକ ପୁନର୍ଗଠନର ଏକ ବଡ଼ ପଦକ୍ଷେପ। SAD ନିଜର ପୁରୁଣା ରାଜନୈତିକ ଆଧାରକୁ ପୁନଃସକ୍ରିୟ କରିବାକୁ ଚାହୁଁଥିବାବେଳେ BJPପଞ୍ଜାବରେ ଏକ ଶକ୍ତିଶାଳୀ regional partner ସହ ନିର୍ବାଚନୀ ଲଢ଼େଇକୁ ଆଗକୁ ନେବାକୁ ଚାହୁଁଛି।
