MLA Convoy Attack:ମଝି ରାସ୍ତାରେ ବିଧାୟକଙ୍କ କାରକେଡ୍କୁ ଟାର୍ଗେଟ୍
ବିହାରରୁ ଫେରୁଥିବା ବେଳେ ଉତ୍ତରପ୍ରଦେଶରେ ବିଜେପି ବିଧାୟକଙ୍କ କାରକେଡ୍ରେ ଧକ୍କା ଦେଲା ଦ୍ରୁତଗାମୀ ସ୍କର୍ପିଓ। ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହେବା ସହ ୪ ଜଣ ଆହତ ହୋଇଛନ୍ତି। ଘଟଣାକୁ ନେଇ ବଢ଼ିଛି ରାଜନୈତିକ ଚର୍ଚ୍ଚା।

ଉତ୍ତରପ୍ରଦେଶ:ବିଧାୟକଙ୍କ କାରକେଡ୍କୁ ଟାର୍ଗେଟ୍ କରିଥିଲା କି ସ୍କର୍ପିଓ? ଉତ୍ତରପ୍ରଦେଶର ଚନ୍ଦୌଲିରେ ବିଜେପି ବିଧାୟକ ସୁଶୀଲ ସିଂହଙ୍କ କାରକେଡ୍କୁ ଏକ ଦ୍ରୁତଗାମୀ ସ୍କର୍ପିଓ ଧକ୍କା ଦେବା ପରେ ଏଭଳି ସନ୍ଦେହ ପ୍ରକାଶ କରିଛନ୍ତି ନିଜେ ବିଧାୟକ। ଘଟଣାକୁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ସେ ଆଶଙ୍କା କରିଛନ୍ତି।ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୮ଟା ୩୦ରେ ଜାତୀୟ ରାଜପଥ-୧୯ର ଫୁଟିଆ ଓ ମିଶିରପୁରା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସୈୟଦରାଜା ବିଧାନସଭା ଆସନର ବିଧାୟକ ସୁଶୀଲ ସିଂହ ବିହାରର ମୋକାମା ବିଧାୟକ ଅନନ୍ତ ସିଂହଙ୍କ ଝିଅଙ୍କ ତିଳକ ସମାରୋହରେ ଯୋଗଦେଇ ଫେରୁଥିଲେ। ତାଙ୍କ କାରକେଡ୍ରେ ପ୍ରାୟ ୨୦ରୁ ୨୫ଟି ଗାଡ଼ି ଥିଲା।ଏହି ସମୟରେ ଏକ ଧଳା ସ୍କର୍ପିଓ କାରକେଡ୍ରେ ଥିବା ଗାଡ଼ିଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଧକ୍କା ଦେଇଥିଲା। ଦୁଇଟି ଫର୍ଚୁନର ସମେତ ଅନ୍ୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୋଟିଏ ଗାଡ଼ି ଓଲଟି ପଡ଼ିଥିଲା। ଏଥିରେ ମୋଟ ୪ ଜଣ ଆହତ ହୋଇଥିବା ରିପୋର୍ଟ ହୋଇଛି। ତେବେ ବିଧାୟକ ସୁରକ୍ଷିତ ରହିଛନ୍ତି।ସୁଶୀଲ ସିଂହଙ୍କ କହିବା ଅନୁଯାୟୀ, ସ୍କର୍ପିଓରେ ଥିବା ଲୋକେ ନିଜକୁ ସ୍ଥାନୀୟ ବାସିନ୍ଦା ବୋଲି ପରିଚୟ ଦେଇଥିଲେ। କିନ୍ତୁ ଏକାଧିକ ଗାଡ଼ିକୁ ଧକ୍କା ଦେବାର ଢଙ୍ଗ ତାଙ୍କୁ ସନ୍ଦେହରେ ପକାଇଛି। ଅନ୍ୟପଟେ ପୁଲିସର ପ୍ରାଥମିକ ତଦନ୍ତରେ ସ୍କର୍ପିଓ ଚାଳକ ମଦ୍ୟପାନ କରିଥିବା ଜଣାପଡ଼ିଛି। ଗାଡ଼ିକୁ ଜବତ କରାଯିବା ସହ ଚାରି ଜଣଙ୍କୁ ଅଟକ ରଖାଯାଇଥିବା ରିପୋର୍ଟ ହୋଇଛି। ତେବେ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି ନାହିଁ, ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
