US-Flight-Ground-Stop:ଆମେରିକା ବିମାନବନ୍ଦରରେ ହଟିଲା ଗ୍ରାଉଣ୍ଡ ଷ୍ଟପ୍
ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଆମେରିକାରେ ଘଣ୍ଟା ଘଣ୍ଟା ଧରି ଅଟକିଥିଲା ବିମାନ ଚଳାଚଳ। ହଜାର ହଜାର ଉଡ଼ାଣ ବିଳମ୍ବ ଓ ବାତିଲ ହେବା ପରେ FAA ଗ୍ରାଉଣ୍ଡ ଷ୍ଟପ୍ ଆଦେଶ ହଟାଇଛି।

ଆମେରିକା:ଆମେରିକାରେ ଦୀର୍ଘ ସମୟ ଧରି ଠପ୍ ରହିବା ପରେ ପୁଣି ଆରମ୍ଭ ହୋଇଛି ବିମାନ ଚଳାଚଳ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ କେନ୍ଦ୍ରଗୁଡ଼ିକରେ ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଦେଖାଦେବାରୁ ଶୁକ୍ରବାର ଆମେରିକାରେ ଦେଶବ୍ୟାପୀ ଗ୍ରାଉଣ୍ଡ ଷ୍ଟପ୍ ଲାଗୁ କରିଥିଲା ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA)। ପ୍ରାୟ ୪ ଘଣ୍ଟାରୁ ଅଧିକ ସମୟ ପରେ ଶୁକ୍ରବାର ରାତି ୮ଟା ୧୫ ମିନିଟ୍ରେ ଏହି ଆଦେଶ ହଟାଇ ଦିଆଯାଇଥିଲା। ଆମେରିକାର ପରିବହନ ମନ୍ତ୍ରୀ ସିନ୍ ଡଫିଙ୍କ କହିବା ଅନୁଯାୟୀ, ପୁରୁଣା ଭିତ୍ତିଭୂମି ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ର ରାଡାର ଓ ଯୋଗାଯୋଗ ବ୍ୟବସ୍ଥାରେ ଅସ୍ଥିରତା ଏହି ସମସ୍ୟାର କାରଣ। ସିଷ୍ଟମ୍ର ସ୍ୱିଚ୍ ଓ ରାଉଟର ଉପରେ ଅତ୍ୟଧିକ ଡାଟା ଚାପ ପଡ଼ିବାରୁ ତଥ୍ୟରେ ଅସଙ୍ଗତି ଦେଖାଦେଇଥିଲା। ତେବେ ରାଡାର କିମ୍ବା ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇନଥିବା ଏବଂ ବର୍ତ୍ତମାନ ବିମାନ ଉଡ଼ାଣ ସୁରକ୍ଷିତ ଥିବା ସେ କହିଛନ୍ତି। ଏହି ବିଭ୍ରାଟ ଯୋଗୁଁ ୧୦ ହଜାରରୁ ଅଧିକ ବିମାନ ବିଳମ୍ବ ହୋଇଥିବା ବେଳେ ଅତି କମ୍ରେ ୪ ହଜାର ବିମାନ ବାତିଲ ହୋଇଛି। ପ୍ରାୟ ୧୫ ଲକ୍ଷ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଗ୍ରାଉଣ୍ଡ ଷ୍ଟପ୍ ଲାଗୁ ହେବା ସମୟରେ ୪ ହଜାରରୁ ଅଧିକ ବିମାନ ଆକାଶରେ ଥିଲେ। ଆମେରିକାର ସମସ୍ତ ୨୨ଟି ଏୟାର ରୁଟ୍ ଟ୍ରାଫିକ୍ କଣ୍ଟ୍ରୋଲ୍ କେନ୍ଦ୍ର ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନ୍ୟପଟେ ଏହା ପଛରେ କୌଣସି ସାଇବର ଆକ୍ରମଣ କିମ୍ବା ଅପରାଧିକ ଷଡ଼ଯନ୍ତ୍ର ଥିବାର ପ୍ରମାଣ ମିଳିନଥିବା FBI ସୂତ୍ରରୁ ଜଣାପଡ଼ିଛି। ତେବେ ସଫ୍ଟୱେର୍ ଅପଡେଟ୍ ଯୋଗୁଁ ଏପରି ହୋଇଛି କି ନାହିଁ, ତାହାର ତଦନ୍ତ ଚାଲିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ହୋମଲ୍ୟାଣ୍ଡ ସିକ୍ୟୁରିଟି ସଚିବ ମାର୍କୱେନ୍ ମୁଲିନ୍ କହିଛନ୍ତି, ଟ୍ରମ୍ପ ସମଗ୍ର ସ୍ଥିତି ଉପରେ ନଜର ରଖିବା ସହ ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ। ଏହି ବିଭ୍ରାଟର ପ୍ରଭାବ ଆମେରିକାର ରେଳ ସେବା ଆମଟ୍ରାକ୍ର ୱେବସାଇଟ୍ ଓ ଆପ୍ରେ ମଧ୍ୟ ଦେଖାଦେଇଥିଲା। ଏହାର ସେବାରେ ତ୍ରୁଟି ଏବଂ ଗ୍ରାହକ ସେବାକୁ ଯୋଗାଯୋଗ କରିବାରେ ସମସ୍ୟା ହୋଇଥିବା କମ୍ପାନୀ କହିଛି। ଆମେରିକାର ବିମାନ ଚଳାଚଳ ବ୍ୟବସ୍ଥାର ପୁରୁଣା ଭିତ୍ତିଭୂମିକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଥିବା ବେଳେ ଏହି ଘଟଣାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
