Minor Dies After Assault:ଚୋରି ସନ୍ଦେହରେ ନାବାଳକଙ୍କୁ ମାଡ଼ ମାରି ହତ୍ୟା
ବାଲେଶ୍ୱର ନୀଳଗିରିରେ ଅଭାବନୀୟ ଘଟଣା; ଦୋକାନରୁ ଚୋରି ସନ୍ଦେହରେ ନାବାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ। ମୃତ୍ୟୁ ପରେ ନ୍ୟାୟ ଦାବିରେ ତେଜିଲା ଉତ୍ତେଜନା, ପୋଲିସ ହେପାଜତରେ ଅଭିଯୁକ୍ତ ଦୋକାନୀ।
ବାଲେଶ୍ୱର: ଚୋରି ସନ୍ଦେହରେ ଜଣେ ନାବାଳକଙ୍କୁ ନିର୍ମମ ମାଡ଼ ମାରିବା ଏବଂ ପରେ ତାଙ୍କର ମୃତ୍ୟୁ ହେବା ଘଟଣାକୁ ନେଇ ନୀଳଗିରି ଅଞ୍ଚଳରେ ତୀବ୍ର ଉତ୍ତେଜନା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅନ୍ତର୍ଗତ ତେନ୍ତୁଳିଆ ପଞ୍ଚାୟତର ତେନ୍ତୁଳିଆ ଛକରେ।ସୂଚନା ଅନୁଯାୟୀ, ଦୋକାନରୁ ଚୋରି କରିଥିବା ସନ୍ଦେହରେ ଜଣେ ନାବାଳକଙ୍କୁ ଦୋକାନୀ ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣକ ହେଉଛନ୍ତି ନୂଆସାହି ଗ୍ରାମର ରାଧାମୋହନ ବାଗ ସିଂଙ୍କ ପୁଅ ଦୀନେଶ ବାଗ ସିଂ।ଘଟଣା ପ୍ରଘଟ ହେବା ପରେ ତେନ୍ତୁଳିଆ ଛକରେ ଉତ୍ତେଜନା ବଢ଼ିଛି। ନାବାଳକଙ୍କ ମୃତ୍ୟୁରେ ମର୍ମାହତ ସ୍ଥାନୀୟ ଲୋକେ ଏକତ୍ରିତ ହୋଇ ଅଭିଯୁକ୍ତ ଦୋକାନୀଙ୍କୁ କଠୋର ଦଣ୍ଡ, ଏପରିକି ଫାଶୀ ଦେବାକୁ ଦାବି କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।ଅନ୍ୟପଟେ, ଅଭିଯୁକ୍ତ ଦୋକାନୀ ମାନସଙ୍କୁ ପୋଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଛି।ସାମାନ୍ୟ ଚୋରି ସନ୍ଦେହକୁ ନେଇ ଜଣେ ନାବାଳକଙ୍କ ଜୀବନ ଚାଲିଯିବା ଘଟଣା ସମଗ୍ର ଅଞ୍ଚଳରେ ଗଭୀର ଶୋକ ଓ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।
