Basta Station Protest:ବସ୍ତା ଷ୍ଟେସନକୁ ଅଣଦେଖା ଅଭିଯୋଗ
ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ର ରହଣିଠାରୁ ଆରମ୍ଭ କରି ନୂତନ ପ୍ଲାଟଫର୍ମ ଓ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ଦାବି; ଅମୃତ ଭାରତ ଷ୍ଟେସନ ଯୋଜନାରେ ବସ୍ତାକୁ ସାମିଲ କରିବାକୁ ଦୁଇଦିନିଆ ଗଣଧାରଣା।
ବାଲେଶ୍ୱର: ଦୀର୍ଘଦିନର ରେଳ ସମସ୍ୟାର ସମାଧାନ ଦାବିରେ ତେଜିଲା ଆନ୍ଦୋଳନ। ବସ୍ତା ରେଳ ଷ୍ଟେସନର ବିକାଶ ଓ ଯାତ୍ରୀଙ୍କ ସୁବିଧା ଦାବିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ପକ୍ଷରୁ ଷ୍ଟେସନ ସମ୍ମୁଖରେ ଦୁଇଦିନିଆ ଗଣଧାରଣା ଆରମ୍ଭ ହୋଇଛି।ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲାର ବସ୍ତା ରେଳ ଷ୍ଟେସନକୁ ଦୀର୍ଘବର୍ଷ ଧରି ଅଣଦେଖା କରାଯାଉଥିବା ଅଭିଯୋଗ କରିଛି JMM। ଷ୍ଟେସନରେ ଦୁଇଟି ଏକ୍ସପ୍ରେସ୍ ଟ୍ରେନ୍ର ରହଣି, ଚତୁର୍ଥ ପ୍ଲାଟଫର୍ମ ନିର୍ମାଣ, ଫୁଟ୍ ଓଭରବ୍ରିଜ୍ ନିର୍ମାଣ ସହିତ ବସ୍ତା ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।ଏହି ଦାବିଗୁଡ଼ିକୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି। ଫଳରେ JMM ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି।ବାଲେଶ୍ୱର ଜିଲ୍ଲା JMM ସଭାପତି କମଳ ଲୋଚନ ବାରିକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଧାରଣାରେ ସାମିଲ ହୋଇଛନ୍ତି। ବସ୍ତା ଷ୍ଟେସନର ଦୀର୍ଘଦିନର ସମସ୍ୟାର ସମାଧାନ କେବେ ହେବ, ଏବେ ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ଓ ଅପେକ୍ଷା ବଢ଼ିଛି।
