ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି: ୧୫ଟି ସୁପାରିଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି
ଓଡ଼ିଶାର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି। ୧୫ଟି ସୁପାରିଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି। ପାର୍ଟ ଟାଇମ୍ ଶିକ୍ଷକଙ୍କ ପାରିଶ୍ରମିକ ୧୬ ହଜାର ଟଙ୍କାକୁ ବୃଦ୍ଧି ସହ ୧୯୪ ସ୍କୁଲ ହେବ ଅନୁଦାନଭୁକ୍ତ।

ଭୁବନେଶ୍ୱର: ରାଜ୍ୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଉଚ୍ଚସ୍ତରୀୟ ବୈଠକରେ ୧୫ଟି ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଶିକ୍ଷକ ଓ କର୍ମଚାରୀ ସଂଘଗୁଡ଼ିକର ବିଭିନ୍ନ ଦାବି ଅନୁଧ୍ୟାନ କରି ସୁପାରିଶ କରିଥିଲା। ଏହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ତଥା ଉଚ୍ଚଶିକ୍ଷା ବିଭାଗ ଅନୁଧ୍ୟାନ କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ, ୨୦୧୩ ସରକାରୀ ବ୍ଲକ୍ ଗ୍ରାଣ୍ଟରୁ ବଞ୍ଚିତ ୧୯୪ଟି ଉଚ୍ଚବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବ। ସରକାରୀ ସ୍କୁଲରେ କାର୍ଯ୍ୟରତ ପାର୍ଟ ଟାଇମ୍ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୦ ହଜାରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି ହେବ। ଏଥିସହ ପ୍ରାଥମିକ ଶିକ୍ଷକଙ୍କ ନିୟମିତ ପଦୋନ୍ନତି, ୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକଙ୍କ ନିୟମିତକରଣ ଏବଂ ଯୋଗ୍ୟ ଶିକ୍ଷକଙ୍କ ବକେୟା ଦରମା ପ୍ରଦାନ ଭଳି ପଦକ୍ଷେପ ନିଆଯିବ। ଏହାବ୍ୟତୀତ ସଂସ୍କୃତ ଟୋଲ୍ରେ ନିୟମିତ ଶିକ୍ଷକ ନିଯୁକ୍ତି, ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ଦରମା, ଆଦର୍ଶ ବିଦ୍ୟାଳୟର କର୍ମଚାରୀଙ୍କ ନିୟମିତ ଦରମା ଓ ଆବାସିକ ଛାତ୍ରାବାସ କାର୍ଯ୍ୟକ୍ଷମ କରିବା ଉପରେ ମଧ୍ୟ ନିଷ୍ପତ୍ତି ହୋଇଛି। ଆଦର୍ଶ ବିଦ୍ୟାଳୟରେ AI ଓ ରୋବୋଟିକ୍ସ ଲାବ୍ ସ୍ଥାପନ ସହ TGT ଶିକ୍ଷକଙ୍କ ପୂର୍ବ ଚାକିରି ଅବଧି ଗଣନା ଓ ବେତନ ସୁରକ୍ଷା ଭଳି ପଦକ୍ଷେପ ମଧ୍ୟ ସାମିଲ ରହିଛି।
