Liquor Seized In Khaira:ମଦ ବେପାର ଉପରେ ଅବକାରୀ ଚଢ଼ାଉ
ଖଇରା ଅବକାରୀ ଥାନା ଅଞ୍ଚଳର ୪ଟି ସ୍ଥାନରେ ଚଢ଼ାଉ; ୭୦ ଲିଟର ଦେଶୀ ମଦ ସମେତ ବିଦେଶୀ ମଦ ଓ ବିଅର ଜବତ, ଜବତ ସାମଗ୍ରୀର ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ।
ବାଲେଶ୍ୱର: ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଜୋରଦାର ଚଢ଼ାଉ। ଖଇରା ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ, ବିଦେଶୀ ମଦ ଓ ବିଅର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ସୂଚନା ଅନୁଯାୟୀ, ବାଲେଶ୍ୱର ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲାଦ ସାମଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ବାରାପୁର ବଜାର, ସାରଡାଙ୍ଗ, କେନ୍ଦୁଭଦଳୀ ଓ ହର୍ଣ୍ଣବାବି ଗ୍ରାମରେ ଚଢ଼ାଉ କରିଥିଲା।ଚଢ଼ାଉରେ ୭୦ ଲିଟର ଦେଶୀ ମଦ, ୩.୨୪୦ ଲିଟର ବିଦେଶୀ ମଦ ଓ ୨୩.୪୦୦ ଲିଟର ବିଅର ଜବତ ହୋଇଥିଲା। ଏହି ଘଟଣାରେ କେନ୍ଦୁଭଦଳୀର ଅନାମ ଦାସ, ବାରାପୁରର ପ୍ରଶାନ୍ତ ମାଝୀ ଓ ହର୍ଣ୍ଣବାବିର ଜୟକୃଷ୍ଣ ବେହେରାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।ଜବତ ମଦ ଓ ବିଅରର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ାଉରେ ସହକାରୀ ଉପନିରୀକ୍ଷକ ଦୀପିକା ପରିଡ଼ା ଓ କନଷ୍ଟେବଳ ଦେବାଶିଷ ମଲ୍ଲିକ, ଶଶୀକାନ୍ତ ସାହୁ ସାମିଲ ଥିଲେ। ଏନେଇ ଖଇରା ଅବକାରୀ ଥାନାରେ ୩ଟି ମାମଲା ରୁଜୁ ହୋଇଛି।
