ବଲାଙ୍ଗୀରରୁ ବଡ଼ ଘୋଷଣା: ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ପକ୍କା ଘର
ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଆଉ ୧ ଲକ୍ଷ ଘର ମଞ୍ଜୁର। ମୁଖ୍ୟମନ୍ତ୍ରୀ ୯୧୧ କୋଟି ଟଙ୍କାର ୨୪୮ଟି ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।

ବ୍ଯୁରୋ: ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ପକ୍କା ଘର ଯୋଗାଇଦେବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ବିକଶିତ ଓଡ଼ିଶାର ଆରମ୍ଭ ଗାଁରୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀରଠାରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମରେ କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ରାଜ୍ୟର ଅନ୍ୟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ପକ୍କା ଘର କେବଳ ଏକ ନିର୍ମାଣ ନୁହେଁ, ଏହା ଗରିବ ପରିବାରର ସମ୍ମାନ, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତର ଆଧାର। ୨୦୧୪-୧୫ରୁ ରାଜ୍ୟରେ ୪୧ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ହୋଇଥିବା ବେଳେ ଗତ ଦୁଇ ବର୍ଷରେ ୫.୬୬ ଲକ୍ଷରୁ ଅଧିକ ଘର ସମ୍ପୂର୍ଣ୍ଣ ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଓଡ଼ିଶାକୁ ମଞ୍ଜୁର ହୋଇଥିବା ୨୮.୦୬ ଲକ୍ଷ ଘର ମଧ୍ୟରୁ ୨୫.୫୮ ଲକ୍ଷ ଘର ନିର୍ମାଣ ଶେଷ ହୋଇଛି। ୨୦୨୬-୨୭ ବର୍ଷ ପାଇଁ ପୂର୍ବରୁ ମଞ୍ଜୁର ୪ ଲକ୍ଷ ଘର ସହ ଆଉ ୧ ଲକ୍ଷ ଘରକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଆଉ ୧ ଲକ୍ଷ ଘର ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ସେହିପରି PM-JANMAN ଅଧୀନରେ ମଞ୍ଜୁର ୪୧,୦୭୫ ଘରରୁ ୩୫,୬୩୫ଟି ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ମଞ୍ଜୁର ୨.୨୫ ଲକ୍ଷ ଘରରୁ ୧.୪୭ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇଛି। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ପ୍ରତି ଗାଁକୁ ପକ୍କା ସଡ଼କରେ ଯୋଡ଼ିବା ସହ ଆଗାମୀ ଦିନରେ ଅଧିକ ଆବାସ ଯୋଗାଇଦେବାର ଆଶ୍ୱାସନା ଦେଇଛନ୍ତି। ବଲାଙ୍ଗୀରରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଏହି ସମାରୋହରେ ବଲାଙ୍ଗୀର ଜିଲ୍ଲାରେ ପ୍ରାୟ ୯୧୧ କୋଟି ଟଙ୍କା ବ୍ୟୟରେ ୨୪୮ଟି ବିକାଶ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି। ଏଥିରେ ୧୭୬ କୋଟି ଟଙ୍କାର ୧୬୦ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୭୩୫ କୋଟି ଟଙ୍କାର ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ସ୍ୱାସ୍ଥ୍ୟ, ଜଳଯୋଗାଣ, ଜଳସେଚନ, ଶିକ୍ଷା ଓ ସଡ଼କ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଜିଲ୍ଲାର ବିକାଶକୁ ନୂଆ ଗତି ଦେବ ବୋଲି ଆଶା ପ୍ରକାଶ କରାଯାଇଛି।
