UPI ଚାର୍ଜ ନିୟମ ପ୍ରତ୍ୟାହାର ଦାବି କଲେ ଭକ୍ତ ଦାସ, ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
UPI ପେମେଣ୍ଟ ଚାର୍ଜକୁ ନେଇ କଂଗ୍ରେସର ବିରୋଧ। ନିୟମ ପ୍ରତ୍ୟାହାର ଦାବି କଲେ ଭକ୍ତ ଚରଣ ଦାସ, ବିରୋଧୀଙ୍କ ସମାଲୋଚନାର ଜବାବ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ଭୁବନେଶ୍ୱର: UPI ପେମେଣ୍ଟରେ ୨,୦୦୦ ଟଙ୍କାରୁ ଅଧିକ ଟ୍ରାନ୍ଜାକ୍ସନ୍କୁ ନେଇ ଚାର୍ଜ ବ୍ୟବସ୍ଥା ଚର୍ଚ୍ଚାକୁ ଆସିବା ପରେ ଏହାକୁ ନେଇ ବୟାନବାଜି ତୀବ୍ର ହୋଇଛି। ନୂଆ ବ୍ୟବସ୍ଥାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଥିବା ବେଳେ ଏହାକୁ ନେଇ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ UPI ନୂଆ ନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, “ଦେଶରେ ଏବେ ବେପାରୀ ସରକାର ଚାଲିଛି।” UPI ଟ୍ରାନ୍ଜାକ୍ସନ୍ରେ ନୂଆ ଚାର୍ଜ ବ୍ୟବସ୍ଥା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ ବୋଲି ଭକ୍ତ ଦାସ ଅଭିଯୋଗ କରିଛନ୍ତି। ଏହା ସହିତ ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ ବୋଲି ସେ କହିଛନ୍ତି। ଭକ୍ତ ଦାସ ପ୍ରଶ୍ନ କରିଛନ୍ତି, ବ୍ୟାଙ୍କିଂ ବ୍ୟବସ୍ଥାରେ ଲିକ୍ୱିଡିଟି ଥିବାବେଳେ ପୁଣି ୦.୪ ପ୍ରତିଶତ ଚାର୍ଜର ଆବଶ୍ୟକତା କ’ଣ? ଗ୍ରାହକ ସାମଗ୍ରୀ କିଣିବା ସମୟରେ ଟିକସ ଦେଉଥିବା ବେଳେ ପେମେଣ୍ଟ ସମୟରେ ପୁଣି ଚାର୍ଜ କାହିଁକି ଦେବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସରକାର ପୂର୍ବରୁ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେଇଥିବା ବେଳେ ଏବେ ଏଥିରେ ଚାର୍ଜ ଲାଗୁ କରିବା ନୀତିକୁ ସେ ସମାଲୋଚନା କରିଛନ୍ତି। ନୂଆ ଚାର୍ଜ ବ୍ୟବସ୍ଥା ପ୍ରତ୍ୟାହାର ନହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଭକ୍ତ ଚରଣ ଦାସ ଚେତାବନୀ ଦେଇଛନ୍ତି।
ଅନ୍ୟପଟେ, UPI ଚାର୍ଜକୁ ନେଇ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବିନା ତର୍ଜମାରେ ଡିଜିଟାଲ ପେମେଣ୍ଟକୁ ନେଇ ଅଭିଯୋଗ କରାଯାଉଥିବା ସେ କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେଡି ହେଉ କି କଂଗ୍ରେସ, ବିରୋଧୀ ଦଳଗୁଡ଼ିକ ପ୍ରଥମେ ନୂଆ ବ୍ୟବସ୍ଥାକୁ ଭଲ ଭାବେ ତର୍ଜମା କରିବା ଉଚିତ। ତର୍ଜମା ନକରି କେବଳ ସମାଲୋଚନା କରିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ବିରୋଧୀଙ୍କୁ ସମାଲୋଚନା କରି ପୃଥ୍ୱୀରାଜ କହିଛନ୍ତି, “କିଛି ଲୋକଙ୍କ ଚାରିତ୍ରିକ ଦୋଷ ଥାଏ। ମାଛରେ ପୋକ ପକାଇବା ତାଙ୍କର ଉଦ୍ଦେଶ୍ୟ।” ବିରୋଧୀ ଦଳଗୁଡ଼ିକ constructive ବା ସକାରାତ୍ମକ ବିରୋଧୀ ଦଳ ଭାବେ କାମ କରିବା ଉଚିତ ବୋଲି ସେ କହିଛନ୍ତି। ପୃଥ୍ୱୀରାଜ ହରିଚନ୍ଦନ ଆହୁରି କହିଛନ୍ତି, ଚେକ୍ କିମ୍ବା ଡିପୋଜିଟ୍ ଭଳି କିଛି ବ୍ୟାଙ୍କିଂ ସେବାରେ ମଧ୍ୟ ଚାର୍ଜ ଲାଗିଥାଏ। ସେହିପରି ଡିଜିଟାଲ ପେମେଣ୍ଟରେ ବ୍ୟାଙ୍କଗୁଡ଼ିକର ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଚାର୍ଜ ବ୍ୟବସ୍ଥା କରାଯାଇଥିବା ସେ ଦାବି କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କଗୁଡ଼ିକର କ୍ଷତି କମିବା ସହ ଦେଶର ଅର୍ଥନୀତିକୁ ମଜଭୁତ କରିବା ଉଦ୍ଦେଶ୍ୟ ରହିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

