ଉଦ୍ଧବ ସେନାକୁ ପୁଣି ଝଟକା
ବିଧାନ ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଝଟକା, ଠାକରେ ପରିବାରର ବିଶ୍ୱସ୍ତ ସଚିନ ଅହିର ସିନ୍ଦେ ଗୋଷ୍ଠୀରେ ସାମିଲ । ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣି ମହାଭାରତ । ବିଧାନ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀକୁ ଲାଗିଛି ଶକ୍ତ ଝଟକା। ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସଚିନ ଅହିର ମଙ୍ଗଳବାର ଉଦ୍ଧବଙ୍କ ହାତ ଛାଡ଼ି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତାଧୀନ ଶିବସେନା କ୍ୟାମ୍ପରେ ସାମିଲ ହୋଇଛନ୍ତି। କେବଳ ସେତିକି ନୁହେଁ, ସିନ୍ଦେ ଗୋଷ୍ଠୀରେ ସାମିଲ ହେବା ପରେ ସେ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇପଡିଛି। ବିଧାନ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଉଦ୍ଧବ ଠାକରେଙ୍କ କ୍ୟାମ୍ପରେ ବଡ଼ଧରଣର ବିଦ୍ରୋହ ଦେଖିବାକୁ ମିଳିଛି। ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏହି ସୂଚନାକୁ ସ୍ପଷ୍ଟ କରିବା ସହ ଅହିରଙ୍କୁ ଦଳୀୟ ଉତ୍ତରୀୟ ଓ ନାମାଙ୍କନ ପତ୍ର ଦିଆଯାଇଥିବା ପ୍ରକାଶ କରିଛନ୍ତି। ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ୱର୍କଲିର ପୂର୍ବତନ ବିଧାୟକ ସଚିନ ଅହିର ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହୋଇଛନ୍ତି। ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହେବା ସହ ସେ ବିଧାନ ପରିଷଦର ଉପାଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ସଚିନ ଅହିରଙ୍କୁ ଦଳକୁ ସ୍ୱାଗତ କରିବା ସହ ନାମାଙ୍କନ ଫର୍ମ ପ୍ରଦାନ କରିଛନ୍ତି। ସଚିନ ଅହିରଙ୍କ ଦଳବଦଳକୁ ମହାରାଷ୍ଟ୍ର ରାଜନୀତିରେ ‘ଅପରେସନ ଟାଇଗର-୩’ର ଅଂଶ ବୋଲି ସିନ୍ଦେ ଶିବିର ଦାବି କରିଛି। ଦଳର କହିବା ଅନୁସାରେ, ଆଗାମୀ ଦିନରେ ଉଦ୍ଧବ ଶିବିରର ଆହୁରି ଅନେକ ବିଧାୟକ ସିନ୍ଦେଙ୍କ ସହ ଯୋଗ ଦେଇପାରନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଆଦିତ୍ୟ ଠାକରେ କହିଛନ୍ତି, “ଦଳ ସଚିନ ଅହିରଙ୍କୁ ସବୁକିଛି ଦେଇଥିଲା। କଠିନ ସମୟରେ ଦଳ ଛାଡ଼ି ଯିବା ସିଦ୍ଧାନ୍ତହୀନତାର ପରିଚୟ । ତାଙ୍କୁ ପଚାରନ୍ତୁ, ଦଳ ତାଙ୍କୁ କଣ ଦେଇନଥିଲା?” ଅନ୍ୟପଟେ, ଏକନାଥ ସିନ୍ଦେ ସଚିନ ଅହିରଙ୍କୁ ସ୍ୱାଗତ କରି କହିଛନ୍ତି ଯେ ସେ ରାଜନୀତିର ‘ତେନ୍ଦୁଲକର’, ଯିଏ ଦଳ ପାଇଁ ‘ଛକା’ ମାରିଛନ୍ତି । ସେ ଜଣେ ଜନପ୍ରିୟ ଏବଂ ତଳସ୍ତରରୁ ରାଜନୀତି ଆରମ୍ଭ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଶିବସେନା (ୟୁବିଟି)ର ୯ ଲୋକସଭା ସାଂସଦଙ୍କ ମଧ୍ୟରୁ ୬ ଜଣ ଏକନାଥ ସିନ୍ଦେଙ୍କ ଦଳରେ ସାମିଲ ହୋଇଥିଲେ। । ସେହି ଝଟକାରୁ ଦଳ ଏପର୍ଯ୍ୟନ୍ତ ବାହାରି ପାରିନଥିବା ବେଳେ, ଏବେ ସଚିନ ଅହିରଙ୍କ ଦଳ ବଦଳ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇ ଦେଇଛି । ବର୍ତ୍ତମାନ ସଚିନ ଅହିରଙ୍କ ଯୋଗଦାନ ଉଦ୍ଧବ ଠାକରେଙ୍କ ପାଇଁ ଆଉ ଏକ ବଡ଼ ରାଜନୈତିକ ଝଟକା ବୋଲି ମନେ କରାଯାଉଛି। ଏହା ସହିତ ମହାରାଷ୍ଟ୍ରରେ ଆଗାମୀ ଦିନରେ ଆହୁରି ରାଜନୈତିକ ଓଲଟପାଟ ସମ୍ଭାବନା ବଢିଛି । ଦଳର ବିଧାୟକ ସୁନୀଲ ରାଉତ କହିଛନ୍ତି ଯେ, ଏଭଳି ଅନେକ ଝଟକା ପୂର୍ବରୁ ମଧ୍ୟ ଦଳ ସହିଛି, କିନ୍ତୁ ଶିବସେନା କେବେ ଶେଷ ହେବ ନାହିଁ। ସୂଚନାଯୋଗ୍ୟ ଯେ, ସଚିନ ଅହିର ପ୍ରଥମେ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବା ପରେ NCP ରେ ସାମିଲ ହୋଇଥିଲେ। ଏହାପରେ ଆଦିତ୍ୟ ଠାକରେଙ୍କୁ ୱର୍କଲି ଆସନରୁ ନିର୍ବାଚନ ଜିତାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଶିବସେନାରେ ଯୋଗ ଦେଇଥିଲେ। ଏବେ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସେ ସିନ୍ଦେ କ୍ୟାମ୍ପକୁ ଆସିବା ପରେ ମହା ବିକାଶ ଅଘାଡ଼ି ପକ୍ଷରୁ ଜଗନ୍ନାଥ ଅଭ୍ୟଙ୍କରଙ୍କୁ ପ୍ରାର୍ଥୀ କରାଯାଇଛି। ବର୍ତ୍ତମାନ ଏହି ହାଇପ୍ରୋଫାଇଲ୍ ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଛି । ଗତ ୨୦୨୨ ମସିହାରେ ଶିବସେନାରେ ହୋଇଥିବା ମହାବିଦ୍ରୋହ ପରେ ଏକନାଥ ସିନ୍ଦେ ଦଳର ନାମ ଓ ଚିହ୍ନ ହାସଲ କରିବାରେ ସଫଳ ହୋଇଥିଲେ। ଆଉ ଏବେ ଗୋଟିଏ ପରେ ଗୋଟିଏ ବଡ଼ ନେତା ଉଦ୍ଧବଙ୍କ ହାତ ଛାଡୁଥିବାରୁ ଆଗାମୀ ଦିନରେ ଉଦ୍ଧବ ଠାକରେଙ୍କ ରାଜନୈତିକ ଭବିଷ୍ୟତ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
